ହାଟଡିହୀ/ଛେନାପଦୀ,୯ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ ଏବଂ ଧମକ ଦେବା ଘଟଣାରେ ପୋଲିସ ଶନିବାର ଜଣକୁ ଗିରଫ କରିଛି l ଘଟଣା ସମ୍ପର୍କରେ ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡା କହିଛନ୍ତି ଯେ, ଗତ ୨୨ ଏପ୍ରିଲ ୨୦୨୬ରେ ରାଧିକାଦେଇପୁର ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ସାମଲଙ୍କ ରିପୋର୍ଟ ଆଧାରେ ଘସିପୁରା ଥାନା କେସ୍ ନଂ. ୧୮୮/୨୦୨୬ରେ ଏକ ମାମଲା ପଞ୍ଜୀକୃତ ହୋଇଥିଲା l ଏଥିରେ ଅଭିଯୋଗ କରାଯାଇଥିଲା ଯେ ଉକ୍ତ ଦିନ ରାଜସ୍ବ ନିରୀକ୍ଷକ ଏବଂ ସହକାରୀ ରାଜସ୍ବ ନିରୀକ୍ଷକ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇ ସେ ସମ୍ପର୍କରେ ଘସିପୁରା ତହସିଲଦାରଙ୍କୁ ଜଣାଇଥିଲେ। ତହସିଲଦାରଙ୍କ ଆଗମନ ପୂର୍ବରୁ, ଟ୍ରାକ୍ଟର ମାଲିକ ପ୍ରଶାନ୍ତ କୁମାର ଜେନା ଓରଫ ବିଭୁ, ତାଙ୍କ ଭାଇ ସୁଶାନ୍ତ କୁମାର ଜେନା ଓରଫ ବୁବୁ ଏବଂ କାଂସା ଗ୍ରାମର ଜଣେ ସଞ୍ଜୟ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ସରକାରୀ ଅଧିକାରୀମାନଙ୍କୁ ଗାଳିଗୁଲଜ କରିଥିଲେ ଏବଂ ଧମକ ଦେଇ ଜବତ ହୋଇଥିବା ଟ୍ରାକ୍ଟରକୁ ବଳପୂର୍ବକ ଘଟଣାସ୍ଥଳରୁ ନେଇଯାଇଥିଲେ। ରାଧିକାଦେଇପୁର ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ସାମଲଙ୍କ ରିପୋର୍ଟ ଆଧାରରେ ମାମଲା ରୁଜୁ ହୋଇଥିଲା। ମାମଲାରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜଣେ ଅଭିଯୁକ୍ତ ସୁଶାନ୍ତ କୁମାର ଜେନା ଓରଫ ବୁବୁଙ୍କୁ ଗିରଫ କରାଯାଇଛି।