ଦିଗପହଣ୍ଡି,୨ା୪(ଅଶେଷ ନାଥ ମିଶ୍ର): ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ରୂପା ରୋସନ ସାହୁ ବୁଧବାର ଦିଗପହଣ୍ଡି ଗସ୍ତ କରି ଫେରିଛନ୍ତି। ସେ ଦିଗପହଣ୍ଡି ସହରର ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଗୋଷ୍ଠୀ ସଚେତନତା ରଥକୁ ପତାକା ଦେଖାଇ ଉଦଘାଟନ କରିଥିଲେ। ପରେ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପ୍ରବେଶ ଉତ୍ସବକୁ ଶୁଭାରମ୍ଭ କରିଛନ୍ତି। ପରେ ସେ ଦିଗପହଣ୍ଡି ବ୍ଲକ୍ ଆଙ୍କୋରଡ଼ା ପଞ୍ଚାୟତ ରାଜପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀଛାତ୍ରଙ୍କ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ୫ ଛାତ୍ରୀଛାତ୍ରଙ୍କୁ ଖଡ଼ି ଛୁଆଁଇଥିଲେ। କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ, ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ବ୍ଲକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ, ତହସିଲଦାର ସନ୍ତୋଷ ସାହୁ, ବିଡ଼ିଓ ସୁଶ୍ରୀ ଅନାମିକା ପାଣ୍ଡେ, ସିଡିପିଓ ପୁଷ୍ପାଞ୍ଜଳି ଶତପଥି, ବ୍ଲକ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ସହ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ବିଶ୍ରବା ପାଇକ, ରସାନନ୍ଦ ଘଡେଇ, ପ୍ରଧାନଶିକ୍ଷୟିତ୍ରୀ ମମତା ଦେବୀ, ଅନୀତା ପାତ୍ର, ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ ପ୍ରଧାନ, ସିଆରସିସି ଅନିଲ କୁମାର ଦାସ, ସହକାରୀ ଶିକ୍ଷକ ଉପେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ଅଧିନ ୮୮ ଟି ପ୍ରାଥମିକ, ୬୮ଟି ଉଚ୍ଚ ପ୍ରାଥମିକ ଏବଂ ୨୦ଟି ନୋଡାଲ ହାଇସ୍କୁଲରେ ବୁଧବାର ୫ ବର୍ଷରୁ ଊଦ୍ଧର୍ବ ପ୍ରାୟ ୧ ହଜାରରୁ ଉଦ୍ଧର୍ବଙ୍କ ପ୍ରଥମ ଶ୍ରେଣୀରେ ନାମ ଲେଖାଯାଇ ଖଡ଼ି ଛୁଆଁ କରାଯାଇଥିବା ଜଣାପଡ଼ିଛି। ପ୍ରତି ବିଦ୍ୟାଳୟ ସମ୍ମୁଖରେ ପୂର୍ଣ୍ଣକଳସ ରଖାଯାଇ ସାଜସଜ୍ଜା କରାଯାଇଥିଲା। ଅଭିଭାବକ ବୃନ୍ଦ ବିଦ୍ୟାଳୟରେ ପହଞ୍ଚି ସେମାନଙ୍କ ଶିଶୁ ମାନଙ୍କ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ସାମିଲ ଥିଲେ। ସେହିପରି ଦିଗପହଣ୍ଡି ବ୍ଲକ ଏମ. ବାସୁଦେବପୁର ହାଇସ୍କୁଲରେ ପ୍ରଧାନଶିକ୍ଷକ ସୁଦାମ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବିଦ୍ୟାଳୟ ପ୍ରବେଶ ଉତ୍ସବ ଉପଲକ୍ଷେ ପ୍ରଥମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


