ସିଟ୍‌ ନାହିଁ କହି ଫେରାଇ ଦେଉଛନ୍ତି ଘରୋଇ ସ୍କୁଲ

ଭୁବନେଶ୍ୱର,୪।୪(ଅନୁରାଧା ମହାରଣା)ଶିକ୍ଷାଧିକାର ଆଇନ୍‌ (ଆରଟିଇ) ଅଧୀନରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ୨୫ ପ୍ରତିଶତ ସିଟ୍‌ରେ ମାଗଣା ପାଠ ପଢ଼ାଇବା ପାଇଁ ଅଭିଭାବକମାନେ ଆଶା ବାନ୍ଧିଛନ୍ତି। ତେବେ ନାମଲେଖା ପାଇଁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନଠାରୁ ଆରମ୍ଭ କରି ଚୟନ ପ୍ରକ୍ରିୟା ଓ ନାମଲେଖା ପର୍ଯ୍ୟନ୍ତ ଅଭିଯୋଗର ତାଲିକା ଲମ୍ବି ଚାଲିଛି। ରାଜଧାନୀ ଭୁବନେଶ୍ୱରର ଅନେକ ଘରୋଇ ଇଂଲିଶ ମିଡିୟମ ସ୍କୁଲ୍‌ ଏହି ପୋର୍ଟାଲରେ ପଞ୍ଜୀକରଣ ନ କରିବା ଅଭିଯୋଗର ସମାଧାନ ହୋଇ ନ ଥିବାବେଳେ ମନୋନୟନ ପ୍ରକ୍ରିୟା ଉପରେ ମଧ୍ୟ ଅନେକ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି। ଆବେଦନ ପରେ ମନୋନୀତ ପିଲାଙ୍କୁ ବିଭିନ୍ନ ପ୍ରାଇଭେଟ ସ୍କୁଲରେ ନାମଲେଖା ପାଇଁ ପାରଦର୍ଶୀ ପୋର୍ଟାଲରେ ତାଲିକା ଜାରି ହେଲା। ସେହି ଅନୁସାରେ ସମ୍ପୃକ୍ତ ପିଲାଙ୍କ ଅଭିଭାବକମାନେ ନାମ ଲେଖାଇବାକୁ ଆଲଟ୍‌ମେଣ୍ଟ ହୋଇଥିବା ଘରୋଇ ସ୍କୁଲ୍‌କୁ ଯିବା ପରେ କର୍ତ୍ତୃପକ୍ଷ ସିଟ୍‌ ନ ଥିବା କହି ଫେରାଇ ଦେଉଥିବା ଗୁରୁତର ଅଭିଯୋଗ ଉଠିଛି। ଫଳରେ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସେମାନେ ଭୁବନେଶ୍ୱର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ଏହାସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିବା ଅଭିଭାବକ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ପ୍ରାୟ ୫୦୦ ରୁ ଅଧିକ ଅଭିଭାବକ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଭେଟିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ନିରୂପାୟ ହୋଇ ଉକ୍ତ ଅଭିଭାବକମାନେ ମହାସଂଘ ନେତୃତ୍ୱରେ ନବୀନ ନିବାସ ଅଭିମୁଖେ ବାହାରିଥିଲେ। ତେବେ ବାଟରେ ପୋଲିସ ସେମାନଙ୍କୁ ଅଟକାଇବା ସହ ବୁଝାଶୁଝା କରିବା ପରେ ସେମାନେ ଫେରିଥିଲେ। ତେବେ ଅଭିଭାବକମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଅନ୍ୟପଟେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ରଙ୍କ ସହିତ ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ପ୍ରମୁଖ ଆଲୋଚନା କରିଛନ୍ତି। ଗୁରୁବାର ଭୁବନେଶ୍ୱର ବିଇଓଙ୍କୁ ସବିଶେଷ ରିପୋର୍ଟ ମାଗିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶକ ଆଶ୍ୱାସନା ଦେଇଛନ୍ତି। ସେହିପରି ଅଭିଭାବକ ମହାସଂଘର ଏକ ପ୍ରତିନିଧି ଦଳ ବିଇଓଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତରେ ଆଲୋଚନା କରିବ ବୋଲି ସୂଚନା ରହିଛି।