ପୁରୀରୁ ଶଶୁର ଘରକୁ ଫେରୁଥିଲେ: ଟ୍ରଲର-କାର ମୁହାଁମୁହିଁ ଧକ୍କା, ୨ ମୃତ ୩ ଗୁରୁତର

ପାପଡ଼ାହାଣ୍ଡି, ୧୭।୫ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଜିଟିକିଗୁଡ଼ା ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟାବହ ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପ୍ରଶାସନ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଏକ ପରିବାରର ଦୁଇ ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଜଣେ ଶିଶୁ ଏକ କାର୍ (ନଂ-AP40EP1223) ଯୋଗେ ପୁରୀରୁ ନବରଙ୍ଗପୁର ସ୍ଥିତ ଶଶୁର ଘରକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ ଟ୍ରଲର (ନଂ-TN28BK6116) ସହ କାର୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ୫ ଜଣଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଦୁଇ ଜଣ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ତିନି ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ, ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Dharitri – Odisha’s No.1 Odia Daily

Share