ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସୂର୍ଯ୍ୟନାରାୟଣପୁର ଗ୍ରାମର ଇ. ସୀମାଦ୍ରୀ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ସୀମାଦ୍ରୀ ବିଲରେ କାମ ସାରି ଘରକୁ ଫେରୁଥିବା ସମୟରେ ରେଗିଡ଼ି ଛକ ନିକଟରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ।

ଖବର ପାଇ ଚମାଖଣ୍ଡି ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ସମେତ ପୁଲିସ କର୍ମଚାରୀ, ବେଲଗାଁ ଥାନା ଅଧିକାରୀ ସ୍ମିତାଞ୍ଜଳି ପ୍ରଧାନ, ଛତ୍ରପୁର ଏସ୍‌ଡିପିଓ ଚନ୍ଦନ କୁମାର ଘଡ଼ାଇ ଏବଂ ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଆନ୍ଦୋଳନରତ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।  ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share