ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ ଅବସର ପରେ ବ୍ଲକ୍‌ ଶିକ୍ଷା ବିଭାଗରେ ଅଧିକାରୀ ପଦବୀ ଶୂନ୍ୟ ହୋଇପଡ଼ିବା ସହ ସୀମାନ୍ତ ଅଞ୍ଚଳରେ ଶିକ୍ଷା ପରିଚାଳନା ସଙ୍କଟଜନକ ସ୍ଥିତିକୁ ଗତି କରୁଥିବା ପରିଲକ୍ଷିତ ହେଉଛି।

 ସୂଚନା ଅନୁଯାୟୀ, ପଟ୍ଟାଙ୍ଗି ବ୍ଲକ୍‌ ଶିକ୍ଷା ବିଭାଗରେ ଦୀର୍ଘ ୧୦ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡ଼ିଛି। ବର୍ତ୍ତମାନ ଜଣେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଏହା ଦାୟିତ୍ୱରେ ରହି କାର୍ଯ୍ୟ ପରିଚାଳନା କରୁଛନ୍ତି। ସରକାରୀ ନିୟମ ଅନୁଯାୟୀ ଏହି ବ୍ଲକ୍‌ରେ ୩ ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଯୁକ୍ତି ପାଇବା କଥା। ମାତ୍ର ଜୁନ୍ ୨୦୨୫ରେ ଜଣେ  ଅବସର ନେଇଥିବା ବେଳେ ଅନ୍ୟ ଜଣେ ପଡ଼ୋଶୀ ନନ୍ଦପୁର ବ୍ଲକ୍‌କୁ ବଦଳି ହୋଇଯାଇଥିଲେ। ବର୍ତ୍ତମାନ ପ୍ରଭାକର ଖଟୁଆ ଅବସର ନେବା ପରେ ବ୍ଲକ୍‌ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ସମ୍ପୂର୍ଣ୍ଣ ଶୂନ୍ୟ ହୋଇଯାଇଛି।

ପଟ୍ଟାଙ୍ଗି ବ୍ଲକ୍‌ ଅଧୀନରେ ମୋଟ ୧୭୮ଟି ବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟ ରହିଛି। ବିଶେଷ କରି ସୀମାନ୍ତ କୋଟିଆ, ଅମ୍ପାବାଲି, ତଳଗଲୁର୍, ପେଟୁରୁ, ଏବଂ ସୁଙ୍କି ଭଳି ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତଗୁଡ଼ିକରେ ଶିକ୍ଷା ବ୍ୟବସ୍ଥାର ତଦାରଖ ଓ ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପଟ୍ଟାଙ୍ଗି ବ୍ଲକ୍‌ କେବଳ ଜିଲାର ସୀମାନ୍ତ ଅଞ୍ଚଳ ନୁହେଁ, ବରଂ ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ। ଏହି ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ। ଖାଲି ପଡ଼ିଥିବା ଏବିଓ ଏବଂ ଏବିଇଓ  ପଦବୀଗୁଡ଼ିକୁ ଅତିଶୀଘ୍ର ପୂରଣ କରି ଗୁଣାତ୍ମକ ଶିକ୍ଷା ପ୍ରଦାନ ନିଶ୍ଚିତ କରିବାକୁ ସ୍ଥାନୀୟ ଅଭିଭାବକ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share