ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ଗତ ୧୯୬୨ ଜାନୁୟାରୀ ୨୮ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରମୋଦ ପ୍ରଥମେ ୧୯୮୯ ରେ ଗଜପତି ଜିଲା ମୋହନା ବ୍ଲକ କଣ୍ଟାସାରୁ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଚାକିରି ଆରମ୍ଭ କରିଥିଲେ।

ଗତ ୨୦୨୨ ଜାନୁୟାରୀ ୩୧ରେ ସେ ଚାକିରିରୁ ଅବସର ନେଇଥିଲେ। ଗ୍ରାମର ଜଣେ ଆଦର୍ଶ ବ୍ୟକ୍ତିତ୍ୱ ଭାବେ ସେ ପରିଚିତ ଥିଲେ। ଗ୍ରାମର ବହୁ ଉନ୍ନୟନମୂଳକ କାର୍ଯ୍ୟରେ ତାଙ୍କରି ଯୋଗଦାନ ଥିଲା। ଗ୍ରାମର ବିଭିନ୍ନ ଯାନିଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ପୁରୋଭାଗରେ ରହି ସେ ନିଷ୍ଠାର ସହ ସୁପରିଚାଳନା କରି ସମସ୍ତଙ୍କଠାରୁ ପ୍ରସଂଶା ପାଉଥିଲେ। ଜଣେ ଆଦର୍ଶ ଶିକ୍ଷକ ଭାବେ ସେ କେବଳ ଛାତ୍ରୀଛାତ୍ରଙ୍କୁ ଦିଗ୍‌ଦର୍ଶନ ଦେଇ ନ ଥିଲେ ବରଂ ଗ୍ରାମର ଜଣେ ମାର୍ଗଦର୍ଶକ ଭାବେ ଗ୍ରାମର ସର୍ବବିଧ ଉନ୍ନତି ପାଇଁ ସେ ନିଜକୁ ସମର୍ପିତ କରିଥିଲେ। ତାଙ୍କରି ବିୟୋଗ ଖବର ପାଇ ସୋମବାର ମଧ୍ୟାହ୍ନରେ ବହୁ ବିଶିଷ୍ଟ ବ୍ୟକ୍ତି ଗ୍ରାମରେ ପହଞ୍ଚି ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ମରଶରୀରକୁ ଗାଁ ଶ୍ମଶାନରେ ସତ୍କାର କରାଯାଇଥିଲା। ଜଣେ ଛାତ୍ରବତ୍ସଳ ଏବଂ ବିଭିନ୍ନ ବିଷୟରେ ଅଗାଧ ପାଣ୍ଡିତ୍ୟ ଥିବା ପ୍ରମୋଦ କୁମାର ରଥଙ୍କ ଆକସ୍ମିକ ବିୟୋଗରେ ଭୀମପୁର ଗ୍ରାମ ସମେତ ଦିଗପହଣ୍ଡି ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 

Share