ବଲାଙ୍ଗୀର,୨୬ା୪(ସୁନିଲ କୁମାର ମହାନ୍ତି): ଅବସରପ୍ରାପ୍ତ ସିଡିଏମ୍ଓ ଡା. ମନୋରଞ୍ଜନ ମହାପାତ୍ର (୯୨)ଙ୍କ ରବିବାର ସକାଳେ ପରଲୋକ ହୋଇଛି। ସେ ବେଶ୍ କିଛିଦିନ ହେଲା ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ ଥିଲେ। ଜଣେ ଦରଦୀ ଡାକ୍ତର ଓ ସମାଜସେବୀ ଭାବେ ସେ ଲୋକପ୍ରିୟ ଥିଲେ। ଗଞ୍ଜାମ ଜିଲା ସିଡିଏମଓ ଭାବରେ ଚାକିରି ଜୀବନରୁ ଅବସର ଗ୍ରହଣ କରିଥିଲେ। ବଲାଙ୍ଗୀରର ଜଣେ ବୁଦ୍ଧିଜୀବୀ ଓ ସମାଜସେବୀ ଭାବେ ସେ ପରିଚିତ ଥିଲେ। ତାଙ୍କର ସ୍ତ୍ରୀ ସମାଜସେବିକା ଡା. ଜ୍ୟୋତ୍ସ୍ନାମୟୀ, ଦୁଇ ପୁଅ ସଞ୍ଜୟ ଓ ସନ୍ତକ, ବୋହୂ, ଦୁଇ ଝିଅ ସୀମା, ରିମା ଓ ଜ୍ବାଇଁ ଅଛନ୍ତି । ଡାକ୍ତର ମହାପାତ୍ରଙ୍କ ବିୟୋଗ ଖବର ପାଇବା ପରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗୀର ସହର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବଲାଙ୍ଗୀର ସହରର ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଡାକ୍ତର ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆସନ୍ତା କାଲି (ସୋମବାର) ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି।