ସମ୍ବଲପୁର, ୩୧।୧୦ (ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ (ଏଚ୍ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଉଛନ୍ତି ବୁର୍ଲା ତିଅରପଡ଼ାର କୃପାସିନ୍ଧୁ ବାଗ (୩୫)। ସେ ପୂର୍ବରୁ ବିଶ୍ୱବିଦ୍ୟାଳୟରେ ଠିକା ସଫେଇ କର୍ମଚାରୀ ଭାବେ କାମ କରୁଥିଲେ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସ୍ପି) ଅଜୟ କୁମାର ମିଶ୍ର।
ଜିଲା ପୋଲିସ ମୁଖ୍ୟାଳୟ (ଡିପିଓ)ରେ ଶନିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏଏସ୍ପି ମିଶ୍ର କହିଛନ୍ତି ଯେ, ଗତ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୯ଟାରେ ପ୍ରଫେସର ସାହୁ ନିଜ ବିଭାଗକୁ ଯାଉଥିବା ସମୟରେ ପୂର୍ବରୁ ସେଠାରେ ଲୁଚି ରହିଥିବା ଅଭିଯୁକ୍ତ କୃପାସିନ୍ଧୁ ତାଙ୍କୁ ଅତର୍କିତ ଭାବେ ଛୁରିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଛୁରି ଆଘାତରେ ପ୍ରଫେସର ସାହୁଙ୍କ ବାମପଟ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତୁରନ୍ତ ତାଙ୍କୁ ବୁର୍ଲାସ୍ଥିତ ଭିମ୍ସାରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
ଘଟଣା ପରେ ବୁର୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତତ୍ପରତା ପ୍ରକାଶ କରି ଶନିବାର ହୀରାକୁଦ ରିଙ୍ଗବନ୍ଧ ଅଞ୍ଚଳରୁ ଅଭିଯୁକ୍ତ କୃପାସିନ୍ଧୁଙ୍କୁ ଗିରଫ କରିଥିଲା। ଏଥିସହ ଆକ୍ରମଣରେ ବ୍ୟବହୃତ ଛୁରିକୁ ମଧ୍ୟ ଜବତ କରାଯାଇଛି। ଏ ନେଇ ବୁର୍ଲା ଥାନାରେ କେସ୍ ନଂ. ୪୫୮/୨୦୨୬ରେ ମାମଲା ରୁଜୁ ହୋଇଛି। ଆଇନଗତ ପ୍ରକ୍ରିୟା ଅନୁଯାୟୀ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ସେହିପରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ସୁରକ୍ଷା ଓ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
ପୋଲିସର ସୂଚନା ଅନୁଯାୟୀ, କାର୍ଯ୍ୟରେ ଅବହେଳା ଓ ବିଶୃଙ୍ଖଳିତ ଆଚରଣ ଯୋଗୁଁ କୃପାସିନ୍ଧୁଙ୍କୁ ନିଲମ୍ବନ କରାଯାଇଥିଲା। ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ପୁନର୍ବାର ଚାକିରିରେ ସୁଯୋଗ ଦେବାକୁ ସେ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ତାହା ଗ୍ରହଣ କରାଯାଇ ନ ଥିଲା। ଏହାକୁ ନେଇ ଅଭିଯୁକ୍ତ ପ୍ରଫେସରଙ୍କ ପ୍ରତି ଆକ୍ରୋଶ ରଖିଥିଲେ ଏବଂ ପ୍ରତିଶୋଧ ପରାୟଣ ହୋଇ ଏଭଳି ଆକ୍ରମଣ କରିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଏଏସ୍ପି ମିଶ୍ର କହିଛନ୍ତି।
Dharitri – Odisha’s No.1 Odia Daily