ପୋଷ୍ଟର, ପାମ୍ପଲେଟ୍‌ ମୁଦ୍ରଣ ଉପରେ କଟକଣା

କଟକ,୨୧ା୩ (କାର୍ତ୍ତିକ ସାହୁ)ନିର୍ବାଚନ ପାଇଁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ନିର୍ବାଚନୀ ପୋଷ୍ଟର ଓ ପାମ୍ପଲେଟ୍‌ ମୁଦ୍ରଣ ଉପରେ ଭାରତୀୟ ନିର୍ବାଚନ କମିଶନ କେତେକ ନିୟମାବଳୀ ଜାରି କରିଛନ୍ତି। ନିର୍ବାଚନ ସମ୍ପର୍କିତ ସମସ୍ତ ପୋଷ୍ଟର କିମ୍ବା ପାମ୍ପଲେଟ୍‌ର ସମ୍ମୁଖ ଭାଗରେ ମୁଦ୍ରଣକାରୀ ସଂସ୍ଥାର ନାମ ଓ ଠିକଣା ମୁଦ୍ରିତ ରହିବା ବାଧ୍ୟତାମୂଳକ କରାଯାଇଛି। କୌଣସି ବ୍ୟକ୍ତି ନିର୍ବାଚନ ପୋଷ୍ଟର ବା ପାମ୍ପଲେଟ ମୁଦ୍ରଣ କରିବାକୁ ଚାହୁଁଥିଲେ ସେଥିରେ ମୁଦ୍ରଣକାରୀ ସଂସ୍ଥାର ପରିଚୟ ଥିବା ସତ୍ୟପାଠ, ତାଙ୍କର ଦସ୍ତଖତ ଏବଂ ସେହି ସତ୍ୟତାକୁ ସମର୍ଥନ କରୁଥିବା ଦୁଇ ଜଣ ବ୍ୟକ୍ତି(ଯେଉଁମାନେ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିବେ)ଙ୍କ ପ୍ରତିସ୍ବାକ୍ଷର ରହିଥିବା ଆବଶ୍ୟକ। ଦସ୍ତାବିଜ୍‌ ମୁଦ୍ରିତ ହେବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ସତ୍ୟପାଠର ନକଲ ସହିତ ଦସ୍ତାବିଜ୍‌ର ଏକକିତା ନକଲ ମୁଦ୍ରଣକାରୀ ସଂସ୍ଥା ସହ ଜିଲାପାଳଙ୍କ ନିକଟକୁ ପଠାଯିବା ଆବଶ୍ୟକ। ନିୟମାବଳୀର ଖିଲାପକାରୀଙ୍କୁ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ। ଏଥିସହ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଛାପା ଗଣମାଧ୍ୟମରେ କୌଣସି ରାଜନୈତିକ ଦଳ ଓ ନେତାଙ୍କ ସପକ୍ଷ ବା ବିପକ୍ଷରେ ପ୍ରକାଶ ପାଉଥିବା ବିଜ୍ଞାପନ କିମ୍ବା ନିର୍ବାଚନ ସମ୍ପର୍କିତ ଘଟଣାରେ ସମ୍ପୃକ୍ତ ସଂସ୍ଥାର ନାମ, ଠିକଣା ରହିବା ବାଧ୍ୟତାମୂଳକ କରାଯାଇଛି।