ବୈତରଣୀରେ ବେଆଇନ ବାଲି ଉଠାଣ ଉପରେ ଲାଗିଲା ଲଗାମ, ଧାରା ୧୬୩ ଜାରି

ଭଦ୍ରକ, ୨୨।୪(ସନାତନ ରାଉତ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧିନରେ ବୈତରଣୀ ନଦୀରେ ବିଭିନ୍ନ ବାଲି ଘାଟରୁ ବେଆଇନ ବାଲି ଉଠାଣ ବଢ଼ି ଚାଲିଛି। ଏହି ଅବୈଧ ବାଲି ଖନନକୁ ନେଇ ପ୍ରଶାସନ କଠୋର ପଦକ୍ଷେପ ନେଇଛି। ଉପ-ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଦେଶ ଅନୁଯାୟୀ ବୁଧବାର ଅପରାହ୍ନରେ ବି ଏନ ଏସ ଧାରା ୧୬୩ ଜାରି କରାଯାଇ ବାଲି ଉତ୍ତୋଳନ ଓ ପରିବହନରେ ନିଷେଧଆଦେଶ ଜାରି କରାଯାଇଛି l

ଖଣି ବିଭାଗର ରିପୋର୍ଟ ଅନୁସାରେ ଭଣ୍ଡାରୀପୋଖରୀ ଝୁଟଣା, ବଡ଼ ବନସ୍ତା, ବାଲିପୁର, ନେରଡ଼ା, ଟିକିରା ଓ ବାଲିପୋଖରୀ ଅଞ୍ଚଳରେ ବ୍ୟାପକ ଭାବେ ଅବୈଧ ବାଲି ଖନନ ଚାଲିଥିଲା। ମେସିନ୍ ଓ ଭାରୀ ଯାନ ବ୍ୟବହାର କରି ଚାଲୁଥିବା ଏହି କାରବାରରେ ଅସାମାଜିକ ବ୍ୟକ୍ତି ଜଡିତ ଥିବା ମଧ୍ୟ ଉଲ୍ଲେଖ ହୋଇଛିl ବଳୁ ଖନନ ଯୋଗୁ ଭୂଗର୍ଭ ଜଳସ୍ତର କମିବା, ନଦୀ ସ୍ରୋତ ବଦଳିବା ସହ ପରିବେଶର ଗୁରୁତର କ୍ଷତି ଘଟୁଥିବା କୁହାଯାଇଛି । ସେହିପରି, ବାଲି ମାଫିଆଙ୍କ ଦାଦାଗିରି ଯୋଗୁଁ ଅଞ୍ଚଳରେ ଆଇନ ଶୃଙ୍ଖଳା ଭଙ୍ଗ ହେବାର ଆଶଙ୍କା ମଧ୍ୟ ବଢ଼ିଥିଲା। ପ୍ରଶାସନର ଆଦେଶ ଅନୁଯାୟୀ ବିନା ଅନୁମତିରେ ଏହି ସ୍ଥାନରେ ବାଲି ଉତ୍ତୋଳନ, ଉଠାଣ ଓ ପରିବହନ ସଂପୂର୍ଣ୍ଣ ନିଷିଦ୍ଧ।

ଟ୍ରାକ୍ଟର, ହାଇୱା , ଜେସିବି ଭଳି ଭାରୀ ଯାନର ଚଳାଚଳ ଉପରେ ରୋକ।।ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଆଦେଶକୁ କଡାକଡି ସହ କାର୍ଯ୍ୟକାରିତା କରିବା ପାଇଁ ତହସିଲଦାର ଓ ପୋଲିସକୁ ସଂଯୁକ୍ତ ଚେକିଂ ଓ ଚଢ଼ାଉ କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ତୁରନ୍ତ କାର୍ଯ୍ୟକାରି କରାଯାଇଛି । ଆଜି ଏନେଇ କନିଷ୍ଠ ଖଣି ଅଧିକାରୀ ସୌମ୍ୟ ରଞ୍ଜନ ଦିୱେଦି ପହଞ୍ଚି ସେଠାରେ ହୋଇଥିବା ଗଡା (ବାଲି ଚୋରି କରିବା ପାଇଁ ରାସ୍ତା)କୁ ବନ୍ଦ କରିଛନ୍ତି ।

Dharitri – Odisha’s No.1 Odia Daily

Share