୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲାପାଳ ମନୋଜ ସତ୍ୟବାନ ମହଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଏସପି ରୋହିତ ବର୍ମା,ଅତିରିକ୍ତ ଜିଲାପାଳ ନରେଶ ଚନ୍ଦ୍ର ଶବର, ତପନ କୁମାର ନାୟକ, କୋରାପୁଟ ପୌରାଧକ୍ଷ ଲଲାଟ ରଂଜନ ସେଠି, ସିଡିଓ ବେଣୁଧର ଶବର, ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟିର ଭାରପ୍ରାପ୍ତ ସମ୍ପାଦକ ଭବାନୀ ଶଙ୍କର ଆଚାର୍ଯ୍ୟ, ପୂର୍ବତନ ସମ୍ପାଦକ ଡ଼ଃ ଜଗବନ୍ଧୁ ସାମଲଙ୍କ ସମେତ ସମସ୍ତ ସଦସ୍ୟ, ସେବାୟତ ସଙ୍ଘର ସଦସ୍ୟ ପୋଲିସ, ପ୍ରଶାସନର ଅଧିକାରୀ, ଆଇନଜୀବୀ ଗଣମାଧ୍ୟମ ପ୍ରତିନିଧି ସହ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ଦେବସ୍ନାନ ପୂର୍ଣ୍ଣିମାଠାରୁ ରଥଯାତ୍ରା ଓ ବାହୁଡା଼ ଯାଏ ହେବାକୁ ଥିବା ବିଭିନ୍ନ ବ୍ୟବସ୍ଥା, ଭକ୍ତଙ୍କ ସୁବିଧା, ସୁରକ୍ଷା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ସୱାସ୍ଥ୍ୟସେବା, ଆଲୋକୀକରଣ, ଟ୍ରାଫିକ ନିୟନ୍ତ୍ରଣ ଓ ଶୃଙ୍ଖଳା ରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ସୁଭଦ୍ରାଙ୍କ ପହଣ୍ଡି ସହ ସୁଭଦ୍ରାଙ୍କ ଡାହୁକ କାର୍ଯ୍ୟକୁ ମହିଳାଙ୍କ ବଦଳରେ ସେବାୟତ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଦ୍ୱାରା ସମ୍ପାଦିତ କରାଯିବ।

ସେହିପରି ୩ ରଥ ଉପରେ ଭକ୍ତଙ୍କ ଯିବା ଓ ଗହଳି କରିବା ଉପରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଇ ପ୍ରତି ରଥରେ ଅତି ବେଶୀରେ ସେବାୟତଙ୍କ ସହ ୭ ଜଣ ବ୍ୟକ୍ତି ସୀମିତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛ।

ସୂଚନା ଥାଉକି, ଚଳିତ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ହେବାକୁ ଥିବାବେଳେ ୧୪ ଜୁଲାଇରେ ନେତ୍ରଉତ୍ସବ ଓ ନବଯୌବନ ଦର୍ଶନ, ୧୬ରେ ଶ୍ରୀଗୁଣ୍ଡିଚା ଯାତ୍ରା, ଜୁଲାଇ ୨୦ ରେ ହ୍ରୋପଞ୍ଚମୀ, ଜୁଲାଇ ୨୪ରେ ବାହୁଡ଼ା଼ ଜୁଲାଇ ୨୫ରେ ସୁନାବେଶ ଓ ଅଧରପଣା, ୨୬ ଜୁଲାଇରେ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ରହିଥିବା ବୈଠକରେ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ଉତ୍ସବରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଦାୟିତ୍ୱ ସମ୍ପାଦନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ସମ୍ପୃକ୍ତ ବିଭାଗର ଅଧିକାରୀ ଓ ସେବାୟତମାନଙ୍କୁ ନିଜ ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା।
ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଆଚାର୍ଯ୍ୟ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Share