ଗରିବର ଇଜ୍ଜତ

ଗରିବ ଲୋକର ହାତର ଅଙ୍ଗୁଳି ଓ ହୃଦୟ ବୋଧହୁଏ ଗୋଟିଏ ଶରୀରରେ ଅବସ୍ଥିତ ନୁହେଁ ଅବା ରାଜନେତାମାନେ ଏ ବିଷୟରେ ଅବଗତ ନାହାନ୍ତି, ନ ହେଲେ ଶରୀରଠୁ ଶାଖା-ପ୍ରଶାଖା ଭଳି ବାହାରିଥିବା ହାତର ଯେଉଁ ଅଙ୍ଗୁଳିଗୁଡ଼ିକ ବ୍ୟବହାର କରି ସେମାନଙ୍କଠୁ ଭୋଟ ସଂଗ୍ରହ କରାଯାଏ, ସେହି ମଣିଷଙ୍କ ହୃଦୟକୁ କାହିଁକି ପାଦରେ ଦଳି ଦିଆଯାଆନ୍ତା। ଆଗରୁ ବ୍ରିଟିଶ ସରକାର ଥିଲେ। ଯାବତୀୟ ଦୁର୍ଦ୍ଦଶା ପାଇଁ ସେମାନଙ୍କ ମୁଣ୍ଡରେ ଅଠା ବୋଳିବା ଅଭ୍ୟାସ ଏକ ରାଜନୈତିକ ଆଲେଖ୍ୟ ଭାବେ ବେଶ୍‌ କିଛି ବର୍ଷ ଚାଲିଲା। ସ୍ବାଧୀନତାର ୭୭ ବର୍ଷ ପରେ ବି କ’ଣ ସେହି ଦୃଶ୍ୟ ଦେଖିବାକୁ ମିଳିବ? ୫/୧୦ କି.ମି. ନିତାନ୍ତ ପାଦ-ପ୍ରତିକୂଳ ରାସ୍ତାରେ ଚାଲିଚାଲି ମଣିଷ ଯିବ ଗୋଟିଏ ଚୁଆ ପାଖକୁ ପାଣି ଆଣିବାକୁ, ଯେତେବେଳେ କି ସମାନ୍ତରାଳ ଭାବେ ଆମେ ବିଶ୍ୱର ‘ଏତେ ନମ୍ବର ଅର୍ଥନୀତି’ ବୋଲି ଜୋର୍‌ ପାଟିରେ କହୁଥିବୁ। ବିଧାନସଭା ଓ ସଂସଦରେ ଆପେକ୍ଷିକ ପରିସଂଖ୍ୟାନମାନ ଦିଆଯାଉଥିବ କିପରି ଏତେ ମସିହାରେ ଏତେ ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ ଏବେ ଏତେ ପ୍ରତିଶତ ଲୋକ ଅଛନ୍ତି। ଏହି ଆପେକ୍ଷିକ ତତ୍ତ୍ୱର ମୂଲ୍ୟ କ’ଣ ଅତି ନିର୍ମମ ପରିବେଶରେ ରହୁଥିବା ମଣିଷଙ୍କ ପାଇଁ। ଦାରିଦ୍ର୍ୟ ସହ ଜାତିଗତ ଓ ଭୌଗୋଳିକ ପଛୁଆପଣ ଯେଉଁଠି ମିଶିଯାଏ, ସେଠି ଭିନ୍ନ ଏକ ଓଡ଼ିଶା, ଭିନ୍ନ ଏକ ଭାରତର ଚିତ୍ର ଦେଖିବାକୁ ମିଳେ। ତେବେ ସେହି ଭିନ୍ନ ଓ ଅପେକ୍ଷାକୃତ କମ୍‌ ଦୃଶ୍ୟମାନଙ୍କୁ ବେଶ୍‌୍‌ ବହୁଳଭାବରେ ଦେଖିବାକୁ ମିଳେ, ସାମାନ୍ୟ ଭିନ୍ନ ରୂପରେ ଆମ ଦୈନନ୍ଦିନ ଜୀବନରେ। ଉଦାହରଣ ପାଇଁ ଦୁଇଟି କ୍ଷେତ୍ର ନିଆଯାଉ-ସ୍ବାସ୍ଥ୍ୟ ଓ ରେଳସେବା।
ଗରିବର ଇଜ୍ଜତ କେତେ ତାହା ଜାଣିବା ପାଇଁ ଥରେ ସରକାରୀ ହସ୍ପିଟାଲ ବୁଲିଯିବା ଉଚିତ ହେବ। ସ୍ବାସ୍ଥ୍ୟକାର୍ଡ ପଛରେ କାର୍ଡ ଚାଲିଛି ଏବଂ ସମାନ୍ତରାଳ ଭାବରେ ସରକାରୀ ହସ୍ପିଟାଲରେ ଶୀତ, ବର୍ଷାରେ ଆତ୍ମ-ସଂଗୃହୀତ ମସିଣା ବା ବିଛଣା ଚାଦରରେ ରୋଗୀ ପଡ଼ିଛି। ସ୍ବାସ୍ଥ୍ୟକାର୍ଡ ଜଟିଳ ରୋଗର ଚିକିତ୍ସା ସୁଗମ କରିପାରେ, ଆବଶ୍ୟକ ଚିକିତ୍ସାକୁ କମ୍‌ ସମୟ ଭିତରେ ଉପଲବ୍ଧ କରିପାରେ, ମାତ୍ର ରୋଗୀର ପକ୍କା ଚଟାଣ ଉପରେ ଶୋଇବାଟା ପକ୍କା! ଆମେ କ’ଣ ସରକାରୀ ହସ୍ପପିଟାଲର ରୋଗୀମାନଙ୍କୁ ଖଟ ଖଣ୍ଡେ ଦେଇ ପାରିବାନି? ଖଟ ଉପରେ ଥୁଆ ବିଛଣା ଖାଲି ଫଳପ୍ରଦ ଚିକିତ୍ସା ପାଇଁ ନୁହେଁ, ଏହା ମାନସିକ ଭାବରେ ଗରିବ ରୋଗୀଟିକୁ ଆଶ୍ୱସ୍ତ କରେ। ସେ ଭାବେ ଏବେ ମୁଁ ଉତ୍ତୋଳିତ, ପ୍ରତ୍ୟାଖ୍ୟାତ ନୁହେଁ !!
ଭାରତ ଏକ ଜନବହୁଳ ରାଷ୍ଟ୍ର ହେଲା ବୋଲି ଏଠି କ’ଣ ରୋଗୀମାନେ ଚଟାଣରେ ଶୋଇବେ? ଯଦି ଏହା ହିଁ ବାସ୍ତବତା, ତାହା ଜାତୀୟ ସ୍ବାସ୍ଥ୍ୟ ସୂଚକାଙ୍କରେ ସନ୍ନିବେଶିତ କରାଯାଉ, ଯଦ୍ଦ୍ବାରା ଲୋକଙ୍କ ଭିତରେ ଭେଦଭାବ ରହିବ ନାହିଁ, ଲୋକେ କଥାଟିକୁ ମାନିନେବେ। ଦୁଃଖ ଲାଗେ ଯେତେବେଳେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିଥିବା ଲୋକଟି ସେଠିକାର ଚିକିତ୍ସା ବ୍ୟବସ୍ଥା ବିଷୟରେ ଦୁର୍ବଳ ଶ୍ରେଣୀର ଲୋକ ଆଗରେ ଗୋଲାପି ଚିତ୍ର ଆଙ୍କି ବସେ। ଗରିବ ତ ଦୂରର କଥା, ନିମ୍ନ ମଧ୍ୟବିତ୍ତମାନେ ଭାବିବାକୁ ଲାଗନ୍ତି, ”ଆମର ପୁଣି କି ଇଜ୍ଜତ! ନିଜ ଘରର ଛିଣ୍ଡା ମଶିଣା ଆଉ ସରକାରୀ ହସ୍ପିଟାଲର ଚଟାଣ ପର୍ଯ୍ୟନ୍ତ ଆମର ଦୌଡ଼!“
ସମୟର ବିରଳତା ସମ୍ମାନ ଆଣେ। ମଣିଷର ଗୁରୁତ୍ୱ ବଢ଼ାଏ, ପଛେ ତାହା ଫମ୍ପା ହୋଇଥାଉ। ତେଣୁ ସାଧାରଣ ଲୋକଙ୍କ ଆଗମନର ସମୟ ୯.୩୦ ହୋଇଥିଲାବେଳେ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ଆଗମନର ସମୟ ୯.୨୯ ବା ୯.୩୧! ପାସେଞ୍ଜର ଟ୍ରେନ୍‌। ସାଧାରଣ ଲୋକଙ୍କ ଜନପରିବହନ ବ୍ୟବସ୍ଥା।
ସାଧାରଣ ଲୋକ, ଗରିବ ଲୋକ, ସେମାନଙ୍କର ପୁଣି ସମୟ କ’ଣ? ସମୟକୁ ନେଇ ସେମାନଙ୍କର ଇଜ୍ଜତ ବା କ’ଣ? ବାଲେଶ୍ୱରରୁ ଜଳେଶ୍ୱର ୫୦ କି.ମି.। ରେଳ ସମୟ ସାରଣୀରେ ହୁଏତ ଗୋଟିଏ କିଛି ପହଞ୍ଚିବା ସମୟ ଦିଆଯାଇଛି। କିନ୍ତୁ ପ୍ରାୟତଃ ଲାଗେ ୨ରୁ ୩ ଘଣ୍ଟା। ସେ ପୁଣି ବିନା ଶୌଚାଳୟରେ।
ସାରା ଭାରତବର୍ଷର ଏହି ହେଉଛି ରେଳ ବ୍ୟବସ୍ଥା।
କିଏ କାହାଠୁ ଗୁରୁତ୍ୱପୂର୍ଣ୍ଣ ଏହା ଦେଖାଇବାକୁ ପ୍ରତିଯୋଗିତା। ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଟ୍ରେନ୍‌ ଆସିଲେ ବାକି ଟ୍ରେନ୍‌କୁ ରାସ୍ତା ଛାଡ଼ିଦିଅ, ବାଟ ଦିଅ। କାରଣ ବେଗଗାମୀ ଟ୍ରେନ୍‌ରେ ଦ୍ରୁତ ଅର୍ଥ କାରବାର କରୁଥିବା ଲୋକ ଯାଆନ୍ତି। ସେମାନେ ଦ୍ରୁତ ବେଗରେ ନ ଗଲେ, ଦ୍ରୁତ ବେଗର ଅର୍ଥ ଆହରଣ ସମ୍ଭବ ନୁହେଁ! ବୋଧହୁଏ ଏହା ହିଁ ଆମର ସାମାଜିକ, ରାଜନୈତିକ ବ୍ୟବସ୍ଥା। ଅଳ୍ପ କିଛି ଲୋକଙ୍କ ଆର୍ଥିକ, ରାଜନୈତିକ ବେଗ ବୃଦ୍ଧି ଓ ସମୃଦ୍ଧି ପାଇଁ ଅଧିକାଂଶ ଲୋକଙ୍କୁ ବାଟ ଛାଡ଼ିବାକୁ ପଡ଼ିବ, ବେକ ନୁଅଁାଇବାକୁ ପଡ଼ିବ।
ଗରିବର ଇଜ୍ଜତ, କେତେବେଳେ? ଜୀବନକାଳ ଭିତରେ ନା ମୃତ୍ୟୁ ବେଳେ? ଏ ପ୍ରସଙ୍ଗ ଉଠେଇଥିଲେ ମଦର ଟେରେସା ଯେତେବେଳେ ରାସ୍ତାକଡର ଏକ ଅସୁସ୍ଥ ମହିଳାଙ୍କୁ ମୂଷାମାନେ ଟିକିଟିକି କରି ଖାଉଥିବା ବିପର୍ଯ୍ୟୟରୁ ସାଉଁଟି ସେ ପହଞ୍ଚିଥିଲେ ହସ୍ପିଟାଲରେ। ତାଙ୍କର ଦାବି ଥିଲା ୟାଙ୍କର ଯଥୋଚିତ ଚିକିତ୍ସା କରାଯାଉ ବା ତାଙ୍କର ମୃତ୍ୟୁ ଯଦି ଆବଶ୍ୟମ୍ଭାବୀ, ତାଙ୍କୁ ମର୍ଯ୍ୟାଦାର ସହ ମୃତ୍ୟୁବରଣ କରିବାକୁ ସୁଯୋଗ ଦିଆଯାଉ। ମୃତ୍ୟୁର ମର୍ଯ୍ୟାଦା? କେଡ଼େବଡ଼ ହିମାଳୟ ସମ କଥା ଏ ଭାରତବର୍ଷରେ, ଯେଉଁଠି ପୁଅମାନେ ନିଜ ମା’କୁ ମାରି ଘରେ ବିଲେଇ ମରିଛି ବୋଲି କହନ୍ତି।
ବହୁ ବର୍ଷ ଧରି ପ୍ରଚଳିତ ବ୍ୟବସ୍ଥା, ସମାଜର ଅବହେଳିତ ମଣିଷ ଓ ସାଧାରଣ ଭାବରେ ସମ୍ବଦେନଶୀଳ ମଣିଷର ସୂକ୍ଷ୍ମ ମାନସିକ ସ୍ତରରେ କି ପ୍ରଭାବ ପକାଉଥିବ, ତାହା ବୁଝିବାକୁ କାହାରି ସମୟ ନାହିଁ। ଜଣେମାତ୍ର ମଣିଷ ପାଇଁ ଯେତେବେଳେ ୧୦୦ଟି ଭିନ୍ନ ଭିନ୍ନ ରକମର ଗାଡ଼ି ଛୁଟି ଯାଉଥିବ, ରାସ୍ତାକଡ଼ରେ ଦୁଇଓଳି ଠିକ୍‌ ଭାବରେ ଖାଇବାକୁ ପାଉ ନ ଥିବା ମଣିଷଟି, ଯାହା ପାଖରେ ଛୁଟି ଯାଉଥିବା ଗାଡ଼ିରୁ ଉଡ଼ିଯାଉଥିବା ଧୂଳି ପୋଛିବାକୁ କନା ଖଣ୍ଡେ ନ ଥିବ, ଏହି ଅତିରଞ୍ଜିତ କାର୍‌-ଶୋଭାଯାତ୍ରା ଦେଖି ଭାବୁଥିବ, ମୋ ଜୀବନର ଓଜନ କେତେ?
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ମଣିଷ-ମଣିଷ ଭିତରେ ଥିବା ଭେଦଭାବ ଦୂରୀକରଣ କ୍ରମରେ ସମାଜର ଗରିବ, ଅବହେଳିତ ଲୋକଙ୍କୁ ସମ୍ମାନ ଦିଏ। ପ୍ରକୃତରେ ଅତି ଗରିବମାନଙ୍କୁ ନ୍ୟାୟୋଚିତ ବର୍ଗୀକରଣ କରି ସେମାନଙ୍କ ସାମଗ୍ରିକ ସମୃଦ୍ଧିକୁ ସଂଖ୍ୟାନୂ୍ୟନତା ଯୋଗୁ ଭୋଟବ୍ୟାଙ୍କ ରାଜନୀତିଠୁ ଦୂରେଇ ରଖି, ସେମାନଙ୍କ ପ୍ରତି ପ୍ରଦର୍ଶିତ ବ୍ୟବହାର ଯଦି ସମ୍ମାନବୋଧରେ ରୂପାନ୍ତରିତ କରା ନ ଯାଏ, ଭାରତବର୍ଷ ଯେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର, ଏକଥା କହିହେବ ନାହିଁ।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ଼, ବାଲେଶ୍ୱର,
ମୋ : ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ କେମିତି କରାଯାଇଥିଲା ହତ୍ୟା

କୋଲକାତା,୭।୫: ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନ ଫଳାଫଳ ଘୋଷଣା ପରଠାରୁ, ରାଜ୍ୟରେ ହିଂସା କମିବାର କୌଣସି ସଙ୍କେତ ଦେଖାଯାଇ ନାହିଁ। ନୂତନ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ…

ଚନ୍ଦ୍ରନାଥଙ୍କ ହତ୍ୟାକୁ ନେଇ ଏମିତି କଥା କହିଲେ ଶୁଭେନ୍ଦୁ ଅଧିକାରୀ ସଭିଏଁ ଚକିତ

କୋଲକାତା,୭।୫: ବୁଧବାର ପଶ୍ଚିମବଙ୍ଗରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ଦେଶର ରାଜନୀତିରେ ଏକ ଅନ୍ଧାକାର ଅଧ୍ୟାୟ ଯୋଡିଛି। ଭାଜପା ନେତା ଏବଂ ମୁଖ୍ୟମନ୍ତ୍ରୀ ପଦର ଦୃଢ଼ ଦାବିଦାର…

ଛଟେଇ ବିରୋଧରେ ଗର୍ଜିଲା ବିଦ୍ୟୁତ୍‌ କର୍ମଚାରୀ ସଂଘ, କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇ କହିଲା…

ବନ୍ତ,୭ା୫(କିଶୋର କୁମାର ସେଠୀ): କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତିକୁ ନେଇ ଶ୍ରମିକ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର କର୍ମଚାରୀମାନେ ପ୍ରଥମେ ବନ୍ତ ସେକ୍ସନ କାର୍ଯ୍ୟାଳୟରେ…

ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗର ବଡ଼ ସୂଚନା, ଗଡିବ ୨୦୦….

ଭୁବନେଶ୍ବର,୭।୫: ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ଟ୍ବିନସିଟିରେ ମେଟ୍ରୋ ନୁହେଁ, ଏହା ବଦଳରେ ଗଡିବ ୨୦୦ ଇଲେକ୍ଟ୍ରିକ୍…

ଏହି ଦିନ ଆସାମରେ ଶପଥ ନେବେ ନୂଆ ସରକାର, ଯୋଗଦେବେ ପ୍ରଧାନମନ୍ତ୍ରୀ

ଗୁଆହାଟୀ,୭।୫: ଆସାମରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଗୁଆହାଟୀର ଖାନାପାରାସ୍ଥିତ ଭେଟେନାରୀ ଫିଲ୍ଡରେ ଅନୁଷ୍ଠିତ ହେବ…

ବଙ୍ଗରେ ଭାଜପା ସରକାର ଗଠନରେ ବାଧା ସୃଷ୍ଟି କରିବା ପାଇଁ ଏହି ଯୋଜନା କଲେ ମମତା, ଚିନ୍ତାରେ ପଡିଲା ଭାଜପା

କୋଲକାତା,୭।୫: ପଶ୍ଚିମବଙ୍ଗରେ ୨୦୭ ଆସନରେ ବିପୁଳ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ଭାଜପା) ନୂତନ ସରକାର ଗଠନ ପାଇଁ ମେ ୯ ତାରିଖକୁ ତାରିଖ ଭାବରେ…

ବାଇକ୍‌ ଆରୋହୀଙ୍କୁ ଧକ୍କାଦେଇ ଓଲଟି ପଡ଼ିଲା ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ

ସଇଁତଳା,୭ା୫(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥବା ବଲାଙ୍ଗୀର-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଟ୍ୟାଙ୍କର…

ଯାଜପୁର ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ, ଭାଜପା ସରକାର ବଡ଼ ବୋଝ….

ଭୁବନେଶ୍ବର,୭।୫: ଯାଜପୁର ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ତାଗିଦ କଲେ ନବୀନ ପଟ୍ଟନାୟକ । ଭିଡିଓବାର୍ତ୍ତା ଜାରି କରି କହିଲେ, ମୁଁ ସବୁବେଳେ ଡିସିପ୍ଲିନ୍‌ ଉପରେ ଗୁରୁତ୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri