Posted inଜାତୀୟ

ଗେହଲଟ୍‌ ଗୋଷ୍ଠୀର ୯୨ ବିଧାୟକଙ୍କ ଇସ୍ତଫା

ଜୟପୁର/ନୂଆଦିଲ୍ଲୀ,୨୬ା୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଶିବିରରେ ରବିବାର ରାତିରେ ହାଇଡ୍ରାମା ଦେଖିବାକୁ ମିଳିଛି। ଗେହଲଟ୍‌ ମୁଖ୍ୟମନ୍ତ୍ରୀ ପଦରେ ଥାଇ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ବୋଲି ତାଙ୍କ ସମର୍ଥକମାନେ ଦାବି କରିଛନ୍ତି। ଗେହଲଟ୍‌ ଗୋଷ୍ଠୀର ୯୨ ବିଧାୟକ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ସମୂହ ଇସ୍ତଫା ଦେଇଛନ୍ତି। ସେମାନେ ବିଧାନସଭା ବାଚସ୍ପତି ସି.ପି. ଜୋଷୀଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଫଳରେ ୨୦୦ ଆସନ ବିଶିଷ୍ଟ ରାଜ୍ୟ ବିଧାନଭାରେ ବିଧାୟକଙ୍କ ସଂଖ୍ୟା ୧୦୮କୁ ଖସିଛି। ଏଥିସହ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ମଧ୍ୟ ୫୫କୁ ହ୍ରାସ ପାଇଛି। ଗୃହରେ ଭାଜପା ବିଧାୟକଙ୍କ ସଂଖ୍ୟା ହେଉଛି ୭୦। କଂଗ୍ରେସ ବିଧାୟକମାନେ ସରକାର ଭାଙ୍ଗିବାକୁ ଏପରି ଉଦ୍ୟମ କରିଛନ୍ତି କି ବୋଲି ପ୍ରଶ୍ନ କରାଯିବାରୁ ଜଣେ ଏମ୍‌ଏଲ୍‌ଏ କହିଛନ୍ତି, ଆମେ ଗେହଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁ। କେନ୍ଦ୍ରୀୟ ନେତୃତ୍ୱ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ସର୍ତ୍ତରେ ତାଙ୍କୁ ରିହାତି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି କରିଛି।

ଅକ୍ଟୋବାର ୧୭ରେ ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିରୋଧୀ ଦଳର ସର୍ବୋଚ୍ଚ ପଦ ଅଳଙ୍କୃତ କରିବା ଦୌଡ଼ରେ ମଧ୍ୟ ସେ ଆଗୁଆ ଅଛନ୍ତି। କିନ୍ତୁ ଦଳର ମଙ୍ଗ ଧରିବା ପାଇଁ ନାମାଙ୍କନପତ୍ର ଦାଖଲ ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ଗେହଲଟ୍‌ ଚୌକି ଛାଡ଼ିବା ପରେ ତାଙ୍କ ସ୍ଥାନରେ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ପୂର୍ବତନ ସଭାପତି ତଥା ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବା ନେଇ ଆଲୋଚନା ଚାଲିଥିବାବେଳେ ତାଙ୍କ ନାମ ଘୋଷଣା ପୂର୍ବରୁ ରବିବାର ଉଭୟ ଜୟପୁର ଓ ଦିଲ୍ଲୀରେ ମାରାଥନ ବୈଠକ ବସିଛି। ମାତ୍ର ଦୁଇଟି ରାଜ୍ୟରେ ସୀମିତ ରହିଯାଇଥିବା ସର୍ବପୁରାତନ ଦଳ ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ସୁଦୃଢ଼ କରି ନୂଆ ଅଧ୍ୟକ୍ଷ ବାଛିବାକୁ ଯାଉଥିବାବେଳେ ଉତ୍ତର ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ରାଜସ୍ଥାନରେ କ୍ଷମତା ପରିବର୍ତ୍ତନର ସୁଯୋଗ ସୃଷ୍ଟି ହୋଇଛି। କାରଣ ‘ଭାରତ ଯୋଡ଼ୋ ଯାତ୍ରା’ରେ ଥିବା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉଦୟପୁର ଚିନ୍ତନ ଶିବିର ନିଷ୍ପତ୍ତି ଅନୁସାରେ ଗେହଲଟ୍‌ଙ୍କ ଆଗରେ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ସର୍ତ୍ତ ରଖିସାରିଛନ୍ତି। କୁହାଯାଉଛି, ଗେହଲଟ୍‌ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବା ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ।

ଏପରି ସ୍ଥଳେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରୂପେ ହାଇକମାଣ୍ଡଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ସଚିନ ପାଇଲଟ୍‌, ଯିଏକି ପୂର୍ବରୁ ଏକାଧିକ ଥର କ୍ଷମତାର ଶୀର୍ଷକୁ ଯାଉ ଯାଉ ରହିଯାଇଥିଲେ। ଅନ୍ୟପକ୍ଷେ ୨୦୨୦ ଜୁଲାଇରେ ନିଜ ୧୮ ଅନୁଗତଙ୍କୁ ନେଇ ପାଇଲଟ୍‌ ବିଦ୍ରୋହୀ ସାଜିଥିବାବେଳେ ରାଜ୍ୟର କଂଗ୍ରେସ ସରକାରଙ୍କୁ ଯେଉଁ ୧୦୨ ବିଧାୟକ ସମର୍ଥନ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଗେହଲଟ୍‌ ଗୋଷ୍ଠୀ ଦାବି କରିଛନ୍ତି। ଗେହଲଟ୍‌ ଶିବିରର ୫୬ ବିଧାୟକ ରବିବାର ବୈଠକରେ ଏନେଇ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଗେହଲଟ୍‌ଙ୍କ ଜୟପୁର ବାସଭବନରେ ଅନୁଷ୍ଠିତ ବିଧାୟକ ଦଳ ବୈଠକ ପୂର୍ବରୁ ତାଙ୍କ ଘନିଷ୍ଠ ମନ୍ତ୍ରୀ ଶାନ୍ତି ଧରିଓ୍ବାଲଙ୍କ ଘରେ ଆଉ ଏକ ମିଟିଂ ହୋଇଥିଲା। ଉକ୍ତ ବୈଠକରେ ଗେହଲଟ୍‌ଙ୍କ ଟିମ୍‌ର ୧୬ ମନ୍ତ୍ରୀ ସାମିଲ ହୋଇଥିଲେ। ସେପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେ.ସି. ବେଣୁଗୋପାଳ, ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଓ ରାଜସ୍ଥାନ ପ୍ରଭାରୀ ଅଜୟ ମାକେନ୍‌ ଜୟପୁରରେ ପହଞ୍ଚତ୍ ଦଳୀୟ ବିଧାୟକମାନଙ୍କ ସହ ବିଚାରବିମର୍ଶ କରିଛନ୍ତି। ଏହି କେନ୍ଦ୍ରୀୟ ନେତାମାନଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବା କଥା, ଯାହାକି ଗେହଲଟ୍‌ଙ୍କ ସମର୍ଥକମାନଙ୍କ ଇସ୍ତଫା ଯୋଗୁ ହୋଇପାରି ନାହିଁ।
ବିଧାନସଭାରେ କଂଗ୍ରେସର ୧୦୦ ବିଧାୟକ ଥିବାବେଳେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୬ ଏମ୍‌ଏଲ୍‌ଏ ଶାସକ ଦଳରେ ସାମିଲ ହୋଇଛନ୍ତି। ସେହିପରି ସ୍ବାଧୀନ ୧୩ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ଗେହଲଟ୍‌ଙ୍କୁ ସମର୍ଥନ କରୁଛନ୍ତି। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ସୁନିଶ୍ଚିତ କରିଥିବା ପାଇଲଟ୍‌ ରାହୁଲଙ୍କ ଘନିଷ୍ଠ ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। କାରଣ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପୂର୍ବ ସଫଳତା ଦୋହରାଇବାକୁ ହେଲେ ଯୁବପିଢ଼ିଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ପଡ଼ିବ। ଗେହଲଟ୍‌ଙ୍କ ନିଜ ସହର ଯୋଧପୁରରେ ଦେଖିବାକୁ ମିଳିଥିବା ପୋଷ୍ଟରଗୁଡ଼ିକରେ ପାଇଲଟ୍‌ଙ୍କ ସମର୍ଥନରେ ସ୍ଲୋଗାନ ଲେଖାଯାଇଛି ‘ନୂଆ ଯୁଗର ପ୍ରସ୍ତୁତି’। ଗତ ନିର୍ବାଚନରେ ତତ୍କାଳୀନ ବସୁନ୍ଧରା ରାଜେ ସରକାରରେ ମନ୍ତ୍ରୀ ଥିବା ୟୁନୁସ୍‌ ଖାନ୍‌ଙ୍କୁ ଟୋଙ୍କ ଆସନରେ ୫୪,୧୭୯ ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଥିବା ପାଇଲଟ୍‌ ଏଥର ମୁଖ୍ୟମନ୍ତ୍ରୀ ହୋଇପାରିବେ ନା ପୁଣି ନିରାଶ ହେବେ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

୧୪ ଲକ୍ଷର ଗାଡ଼ିରେ ୧୦ ଲକ୍ଷ ଟଙ୍କା ମୋଡିଫିକେସନ ଖର୍ଚ୍ଚ, ବ୍ୟାକଫୁଟରେ ସରକାର

ଭୁବନେଶ୍ୱର,୧୮ା୧୨: ଓଡ଼ିଶା ବନ ବିଭାଗ ପକ୍ଷରୁ କିଣାଯାଇଥିବା ମହିନ୍ଦ୍ରା ‘ଥର୍’ ଗାଡ଼ିର ମୋଡିଫିକେସନ ଖର୍ଚ୍ଚକୁ ନେଇ ଏବେ ବଡ଼ ବିବାଦ ମୁଣ୍ଡ ଟେକିଛି। ୫୧ଟି ଥର୍...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri