ଚାଲିଛି ଇସ୍ତଫା, ଦଳଡିଆଁ ପର୍ବ

ଅନୁଗୋଳ,୭ା୪ (ଅମିତ କୁମାର ସାମଲ)ଅନୁଗୋଳ ଜିଲା ରାଜନୀତିରେ ଏବେ ଜୋର୍‌ଧରିଛି ଇସ୍ତଫା ଓ ଦଳଡିଆଁ ପର୍ବ। ବିଶେଷକରି ବିଜେଡି ଓ ଭାଜପାର ପ୍ରାର୍ଥୀ ଘୋଷଣା ପରେ ଅସନ୍ତୁଷ୍ଟ ନେତା ଦଳରୁ ଇସ୍ତଫା ଦେଇ ଅନ୍ୟ ଦଳରେ ସାମିଲ ହେଉଛନ୍ତି। ବିଜେଡିର ସମ୍ପୂର୍ଣ୍ଣ ପ୍ରାର୍ଥୀ ଘୋଷଣା ସରି ନ ଥିବାରୁ ଓ କଂଗ୍ରେସ ଏଯାଏ ଜିଲା ପାଇଁ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଆଗାମୀ ଦିନରେ ଏହି ଇସ୍ତଫା ଓ ଦଳଡିଅଁା ପର୍ବ ଅଧିକ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଫଳରେ ଏହା ଜିଲାରେ ଭୋଟ ଗଣିତକୁ ଗୋଳମାଳିଆ କରିଦେବାର ଆଶଙ୍କା କରାଯାଉଛି।
୨୦୨୪ ନିର୍ବାଚନକୁ ନେଇ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ଜାରି ରହିଛି। ବିଶେଷକରି ଅନୁଗୋଳ ଜିଲାରେ ଥିବା ୫ ବିଧାନସଭା ନିର୍ବାଚନମଣ୍ଡଳୀରୁ ଛେଣ୍ଡିପଦା, ପାଲଲହଡ଼ା ଓ ଆଠମଲ୍ଲିକ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ଅନୁଗୋଳ ଓ ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଦଳକୁ ବେଶ୍‌ କସରତ କରିବାକୁ ପଡ଼ୁଛି। ଏପରି କି ୩ୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ସରିଥିଲେ ସୁଦ୍ଧା ବିଜେଡି ଅନୁଗୋଳ ଓ ତାଳଚେର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରି ନାହିଁ। ତେବେ ଦଳ ପାଇଁ ଜିଲାର ପାଲଲହଡ଼ା ଓ ଛେଣ୍ଡିପଦାରେ କିଛି ସମସ୍ୟା ଦେଖିବାକୁ ମିଳି ନ ଥିବା ବେଳେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ବିଜେଡିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏଠାରେ ବିଧାୟକ ଥିବା ରମେଶ ଚନ୍ଦ୍ର ସାଏଙ୍କୁ ଦଳ ଆଉ ଥରେ ଟିକେଟ୍‌ ଦେଇନାହିଁ। ତାଙ୍କ ସ୍ଥାନରେ ବରିଷ୍ଠ ନେତା ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଅସନ୍ତୁଷ୍ଟ ହୋଇ ବିଧାୟକ ସାଏ ବିଜେଡି ଛାଡ଼ିଛନ୍ତି। ତାଙ୍କ ସହ ବହୁ ସମର୍ଥକ ତଥା ସ୍ଥାନୀୟ ନେତା ମଧ୍ୟ ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଛନ୍ତି। ସେହିପରି ଅନୁଗୋଳ ଜିଲାର ସମସ୍ତ ୫ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରିସାରିଥିବା ଭାଜପା ମଧ୍ୟ ଇସ୍ତଫା ସମସ୍ୟାର ସମ୍ମୁଖୀନ ହୋଇଛି। ଦଳର ୨ ବରିଷ୍ଠ ନେତା ଭାଗୀରଥି ପ୍ରଧାନ ଓ ରବି ନାରାୟଣ ପାଣି ଦଳ ଛାଡ଼ିଛନ୍ତି। ଦୁହେଁ ଗୋଟିଏ ଦିନରେ ନିଜ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳରେ ସେମାନଙ୍କୁ ଅବହେଳା କରାଯାଉଥିବା ଦୁହେଁ ଅଭିଯୋଗ କରିଛନ୍ତି। ଖୁବ୍‌ଶୀଘ୍ର ସେମାନେ ଅନ୍ୟ ଦଳରେ ଯୋଗଦେଇପାରନ୍ତି ବୋଲି ଜିଲାରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ କଂଗ୍ରେସ ଏଯାଏ ଅନୁଗୋଳ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ତଥାପି ଦଳରେ ଅସନ୍ତୋଷ ରହିଥିବା ଆଲୋଚନା ହେଉଛି। ଏପରି କି ଜିଲା କଂଗ୍ରେସ ସଭାପତି ପଦବୀରୁ ସଂଗ୍ରାମ ମିଶ୍ର ଗତ ୨ ତାରିଖରେ ଇସ୍ତଫା ଦେବା ଏହାର ପ୍ରମାଣ ବୋଲି କୁହାଯାଉଛି। ଯଦିଓ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ତଥାପି ଏହା ମଧ୍ୟରେ ରହସ୍ୟ ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ବିଜେଡି ଅନୁଗୋଳ ଓ ତାଳଚେର ପାଇଁ ପ୍ରାର୍ଥୀ ଘୋଷଣା କରିବାର ଥିବାରୁ ଏହି ଇସ୍ତଫା ଓ ଦଳଡିଅଁା ପର୍ବ ବ୍ୟାପକ ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।