ଦାରିଙ୍ଗବାଡି,୯ା୮(ଅରୁଣ ସହୁ ): ବିଶ୍ୱ ଜନଜାତି ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଶତାଧିକ ମହିଳା, ପୁରୁଷ ଏକାଠି ହୋଇ ପାରମ୍ପରିକ ବାଦ୍ୟ ଯନ୍ତ୍ର ପୋଷାକ, ଅଳଙ୍କାର, ଆଦି ପରିଧାନ କରି ନାଚ ଗୀତ ସହ ସହର ପରିକ୍ରମା କରିଥିଲେ ପରେ ସଭା ଓ ଶୋଭାଯାତ୍ରା କରି ବିଭିନ୍ନ ଦାବି ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ୮ ଦଫା ଏକ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ରରେ ସେମାନଙ୍କ ପ୍ରମୁଖ ଦାବି ଫୁଲବାଣୀରେ ରହିଥିବା ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲକୁ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ବତୀ ସରକାରୀ ମେଡିକାଲ ଓ ହସ୍ପିଟାଲ ନାମରେ କରାଯିବା ନିଷ୍ପତିକୁ ଦୃଢ଼ ନିନ୍ଦା କରାଯାଇଛି । ପୂର୍ବନାମ ଅପରବର୍ତ୍ତିତ ରହୁ କିମ୍ବା କୌଣସି ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ ପାଇଁ ଦାବି କରିବା ସହ ଏହା ସରକାର ନମାନିଲେ ଆନ୍ଦୋଳନ ତୀବ୍ରତର ପାଇଁ ଚେତାବନୀ ଦିଆଯାଇଛି ।
ସେହିପରି ଦାରିଙ୍ଗବାଡି, ସିମନବାଡି, ଡବେରୀ, ବ୍ରାହ୍ମଣୀଗାଁ, କିରିକୁଟି ମୌଜାରେ ବାହାର ଜିଲାରୁ ଆସିଥିବା ଲୋକ ଜନଜାତିଙ୍କ ସରଳତାର ସୁଯୋଗ ନେଇ ବେଆଇନ କୋଠା ନିର୍ମାଣ କରୁଛନ୍ତି । ତାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ସେହିପରି ଶିକ୍ଷାକ୍ଷେତ୍ରରେ ଉନ୍ନତି ଓ ନୂତନ ଡିଗ୍ରୀ କଲେଜ ପାଇଁ ଶୀଘ୍ର ପଦକ୍ଷେପ ନେବାସହ ଡ଼ଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ଡିଗ୍ରୀ କଲେଜ ଖୋଲିବାକୁ ଦାବି କରାଯିବା ସହ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୁରଣ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି ।
ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଖାଲିଥିବା ଶିକ୍ଷକ ପଦବୀ ଯଥାଶୀଘ୍ର ପୁରଣ ପାଇଁ ଦାବି କରାଯାଇଛି । ସେହିପରି ଗ୍ରାମସଭାର ସହମତି ଏବଂ ଶିଳ୍ପାୟାନ ପାଇଁ ବିନା ଅନୁମତିରେ କୌଣସି କମ୍ପାନୀ କିମ୍ବା ଶିଳ୍ପପତିଙ୍କୁ ଜନଜାତିଙ୍କ ଜମିକୁ ପ୍ରଦାନ କରାନଯାଉ ବୋଲି ଦାବି ପତ୍ରରେ ଉଲ୍ଲେଖ ରହିଛି । ସେହିପରି ଖଣିଜ ଓ ଜଳପ୍ରକଳ୍ପ ସମ୍ବନ୍ଧୀୟ ସମ୍ପର୍କରେ ସେମାନଙ୍କ ମୁଖ୍ୟ ଅଭିଯୋଗଯେ, ହାତୀମୁଣ୍ଡା ପଞ୍ଚାୟତ ବୁଜୁଲି ଖଣି ଖନନ ଏବଂ ସୋନପୁର ଜଳ ଆନିକଟ କାର୍ଯ୍ୟ ସମ୍ପୃକ୍ତ ଅଞ୍ଚଳର ଗ୍ରାମସଭାରେ ସହମତି କରିବାକୁ ଦାବି ହୋଇଛି । ସେହିପରି ଜଙ୍ଗଲଜମି ପଟ୍ଟା ପ୍ରଦାନ ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ ପାଇଁ ପଦକ୍ଷେପ ପାଇଁ ଦାବି ହୋଇଛି । ସେହିପରି ତାମାଙ୍ଗି ମୌଜାରେ ସର୍ବାଧିକ ଜଙ୍ଗଲଜମି ଥିବା ବେଳେ ଆଜି ପର୍ଯ୍ୟନ୍ତ ଜନଜାତିଙ୍କୁ ଜମିପଟ୍ଟା ପ୍ରଦାନ ପ୍ରକ୍ରିୟା ଆରମ୍ଭ ନହେବା ଅତ୍ୟନ୍ତ ଲଜ୍ଜାଜନକ ଏଣୁ ଶୀଘ୍ର ଏହା ଆରମ୍ଭ କରିବାକୁ ଦାବି କରାଯାଇଛି । ଉପରୋକ୍ତ ଦାବି ଗୁଡିକୁ ସରକାର ଗମ୍ଭୀରତାର ସହ ବିଚାର କରି ଶୀଘ୍ର ପଦକ୍ଷେପ ନିଅନ୍ତୁ ନହେଲେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଦାବିପତ୍ର ପ୍ରଦାନ ସମୟରେ କୁଇକୁଳ ସମିତିର ସଭାପତି କରୁଣାକର ପ୍ରଧାନଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ଘେନେଶ୍ଵର ପ୍ରଧାନ, ସମ୍ପାଦକ ଶୁକଦେଵ ପ୍ରଧାନ, ଅଜୟ ପଡ୍ରା, ପୁରେ ପ୍ରଧାନ, ଚକ୍ରଧର ମଲିକ, ଏଲିଆସ ପ୍ରଧାନ, ନହ ପ୍ରଧାନ, ରଞ୍ଜନ ପ୍ରଧାନ, ଦିଲୀପ ପ୍ରଧାନ, ସୁରେଶ ପ୍ରଧାନ, ଧର୍ମେନ୍ଦ୍ର ପ୍ରଧାନ, ସଞ୍ଜୟ ପ୍ରଧାନ, ସିସପା ପ୍ରଧାନ ଲେଙ୍କା ପ୍ରଧାନ, ଇସାକ ପ୍ରଧାନ ଲଙ୍କେଶ୍ୱର ପ୍ରଧାନଙ୍କ ସମେତ ଶତାଧିକ ଜନଜାତି ସମ୍ପ୍ରଦାୟ ଲୋକ ଉପସ୍ଥିତ ଥିଲେ ।