ଦାରିଙ୍ଗବାଡ଼ି, ୧୪।୧୧ (ଅରୁଣ ସାହୁ): ଗାଁ ଦାଣ୍ଡକୁ ସଫାସୁତୁରା ରଖିବା, ଅନାବନା ଘାସ କାଟିବା ସହ ଏଣେତେଣେ ପଡ଼ିଥିବା ପଲିଥିନ ଓ ପ୍ଲାଷ୍ଟିକ ଆବର୍ଜନା ହଟାଇବା ନେଇ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଗାଁକୁ ସ୍ୱଚ୍ଛ ରଖିବା ସହ ସୁନ୍ଦର ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ପ୍ଲିହେରୀ ପଞ୍ଚାୟତର ସୁନ୍ଦରଦଣ୍ଡ ଗ୍ରାମବାସୀ ଏକାଠି ହୋଇ ଶନିବାର ସଫେଇ କାର୍ଯ୍ୟ କରିଛନ୍ତି।
ଏଥିପାଇଁ ସେମାନେ ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ନିର୍ଭର ନକରି ନିଜସ୍ୱ ଶ୍ରମଦାନ ମାଧ୍ୟମରେ ଏହି ସଫେଇ କାର୍ଯ୍ୟ କରି ଅନ୍ୟ ଗ୍ରାମବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ଗାଁର ସ୍ୱଚ୍ଛତା ଓ ବିକାଶ ପାଇଁ ସବୁବେଳେ ପ୍ରଶାସନ ଉପରେ ନିର୍ଭର ନକରି ନିଜେ ଆଗେଇ ଆସିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇ ଏହି ସଫେଇ କାର୍ଯ୍ୟ କରିଥିବା ଗ୍ରାମର ମନେକା ପ୍ରଧାନ, ରବିଚନ୍ଦ୍ର ପ୍ରଧାନ, ମିଥୁନ କୁମାର ପ୍ରଧାନ, ମମିତା ପ୍ରଧାନ, ରାଜକୁମାରୀ ପ୍ରଧାନ ଓ ସାମିତ୍ରୀ ପ୍ରଧାନ ପ୍ରମୁଖ କହିଛନ୍ତି।
ସୁନ୍ଦରଦଣ୍ଡ ଛକଠାରୁ ଗୌଡ଼ ସାହି ପର୍ଯ୍ୟନ୍ତ ଗ୍ରାମର ରାସ୍ତା ସଫେଇ କାର୍ଯ୍ୟରେ ସମସ୍ତେ ସାମିଲ ହୋଇଥିଲେ। ଏହା କେବଳ ରାସ୍ତା ସଫା କରିବା ନୁହେଁ, ବରଂ ଗ୍ରାମବାସୀଙ୍କ ଏକତା, ସହଯୋଗ, ସାମୂହିକ ଦାୟିତ୍ୱବୋଧ ଓ ଗାଁ ପ୍ରତି ଭଲପାଇବାର ଏକ ସୁନ୍ଦର ପରିଚୟ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।
ସରକାରଙ୍କ ସହଯୋଗ ନିଶ୍ଚିତ ଆବଶ୍ୟକ, କିନ୍ତୁ ଗାଁର ବିକାଶ ପାଇଁ ଗ୍ରାମବାସୀଙ୍କ ଇଚ୍ଛାଶକ୍ତି ଓ ଏକତା ମଧ୍ୟ ସେତିକି ଜରୁରୀ ବୋଲି ମତ ପ୍ରକାଶ ପାଇଛି।