ଭୁବନେଶ୍ୱର,୧୮।୬(ସୁନିତ୍ ମିଶ୍ର): ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଓଏସ୍ଡିଏମ୍ଏ (ଓସ୍ଡମା)ର ମୁଖ୍ୟ ମହାପ୍ରବନ୍ଧକ ଥିବା ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଝାରସୁଗୁଡ଼ାର ଅତିରିକ୍ତ ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ରାଜସ୍ବ ପର୍ଷଦର ଯୁଗ୍ମ ସଚିବ ଥିବା ଓଏଏସ୍ ଅଫିସର ବସନ୍ତ କୁମାର ସେଠୀଙ୍କୁ ବ୍ରହ୍ମପୁର ଆଞ୍ଚଳିକ ଶିଳ୍ପକେନ୍ଦ୍ରର ପରିଚାଳକ ଭାବେ ଅବସ୍ଥାପିତ କରିଛନ୍ତି। ନବରଙ୍ଗପୁରର ଅତିରିକ୍ତ ଉପଜିଲାପାଳ ଥିବା ଶରତ ମାଝୀଙ୍କୁ କୋରାପୁଟର ଅତିରିକ୍ତ ଉପଜିଲାପାଳ ଭାବେ ଅବସ୍ଥାପିତ କରାଯାଇଛି।
ଏହି ବଦଳି ଆଦେଶ ଅଧୀନରେ ଥିବା ସମ୍ପୃକ୍ତ ଅଧିକାରୀମାନଙ୍କ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କୁ ଉକ୍ତ ବିଜ୍ଞପ୍ତି ଜାରି ହେବାର ୨ ଦିନ ମଧ୍ୟରେ ସ୍ଥାନାନ୍ତରିତ ଅଧିକାରୀମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନ ହେଲେ ସମ୍ପୃକ୍ତ ଅଧିକାରୀଙ୍କୁ ଆସନ୍ତା ୧୯ ତାରିଖରୁ କେନ୍ଦ୍ରୀୟ ଭାବେ ମୁକ୍ତ କରାଗଲା ବୋଲି ବିବେଚନା କରାଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।