ଅଧଘଣ୍ଟା ପୂର୍ବରୁ କରିହେବ ରିଜର୍ଭେଶନ ଟିକେଟ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ):ରେଳ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟିକେଟ ସଂରକ୍ଷଣ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ସାଧାରଣତଃ ଟ୍ରେନ୍‌ ଷ୍ଟେଶନ ଛାଡିବାର ୪ ଘଣ୍ଟା ପୂର୍ବରୁ ସିଟ୍‌ ରିଜର୍ଭେଶନର ପ୍ରଥମ ଚାର୍ଟ ପ୍ରକାଶ ପାଇଥାଏ। ବର୍ତ୍ତମାନ ଅଧଘଣ୍ଟା ପୂର୍ବରୁ ଦ୍ୱିତୀୟ ଚାର୍ଟ ପ୍ରକାଶ ପାଇବ। ଆସନ୍ତା ୧୦ ତାରିଖରୁ ସଂରକ୍ଷଣ ଚାର୍ଟ ପ୍ରକାଶନ କ୍ଷେତ୍ରରେ ଏହି ନୂଆ ନିୟମ ଲାଗୁ ହେବ। ଏ ନେଇ ଭାରତୀୟ ରେଳପଥ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଜୋନାଲ ରେଳପଥର ଅନୁରୋଧକ୍ରମେ ଭାରତୀୟ ରେଳପଥ ଏହି ନିଷ୍ପତ୍ତି ନେଇଛି। ଏଥିଯୋଗୁ ଅଧିକ ସଂଖ୍ୟାରେ ଯାତ୍ରୀ ଆଉ ନିରାଶ ହେବେ ନାହିଁ। ପ୍ରଥମ ରିଜର୍ଭେଶନ ଚାର୍ଟରେ ଥିବା ଖାଲି ସିଟ୍‌ ପାଇଁ କିପରି ଯାତ୍ରୀମାନେ ଅନଲାଇନ୍‌ କିମ୍ବା କାଉଣ୍ଟରରୁ ଟିକେଟ୍‌ ବୁକିଂ କରିପାରିବେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଛି। ଏହାଦ୍ବାରା ଅପେକ୍ଷା ତାଲିକା(ଓ୍ବେଟିଂ ଲିଷ୍ଟ୍‌)ରେ ଥିବା ଯାତ୍ରୀମାନେ ଶେଷ ମୁହୂର୍ତ୍ତ (ଟ୍ରେନ୍‌ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ) ପର୍ଯ୍ୟନ୍ତ ସୁଯୋଗ ପାଇପାରିବେ। ଜରୁରୀ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀମାନେ ମଧ୍ୟ ଉପକୃତ ହେବେ। ଏହାସହ ଟ୍ରେନ୍‌ରେ ଟିଟିଇଙ୍କ ଚତୁରତା ମଧ୍ୟ ଶେଷ ହେବ।
ଏହାବ୍ୟତୀତ ଭାରତୀୟ ରେଳପଥ ବର୍ତ୍ତମାନ ଟ୍ରେନ୍‌ ଚଳାଇବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ସାହାଯ୍ୟ ନେବାକୁ ଯାଉଛି। ଉତ୍ସବ ବା ପର୍ବପର୍ବାଣି ଋତୁରେ ଆରମ୍ଭ ହେବାକୁ ଥିବା ଟ୍ରେନ୍‌ ଚୟନ ଏହି ଆଧୁନିକ ଡିଜିଟାଲ ପ୍ରଣାଳୀରେ କରାଯିବ। ଏହା ଅଧୀନରେ ଏକ ନିର୍ଦ୍ଦିଷ୍ଟ ମାର୍ଗର ଟ୍ରେନ୍‌ରେ ଅପେକ୍ଷା ତାଲିକା ନିର୍ଦ୍ଦିଷ୍ଟ ସଂଖ୍ୟାକୁ ଅତିକ୍ରମ କରିବା ମାତ୍ରେ ସେହି ମାର୍ଗରେ ଏକ ନୂତନ ଟ୍ରେନ୍‌ ଯୋଡାଯିବ। ଏହାଦ୍ବାରା ଯାତ୍ରୀମାନେ ସଂରକ୍ଷଣ ସିଟ୍‌ ପାଇବା ସହ ଗନ୍ତବ୍ୟସ୍ଥଳକୁ ସୁରୁଖୁରୁରେ ଯାତ୍ରା କରିପାରିବେ ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।