ଆଜି ପ୍ରକାଶ ପାଇବ ମହାନଗର ନିଗମର ସାନି ଚିଠା ସଂରକ୍ଷଣ ତାଲିକା

ଭୁବନେଶ୍ୱର,୭।୧ (ବ୍ୟୁରୋ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ମହାନଗର ନିଗମର ସାନି ଚିଠା ଆସନ ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ତାଲିକା ପ୍ରକାଶ କରିବ ଗୃହ ଓ ନଗର ଉନ୍ନୟନ ବିଭାଗ। ଆସନ୍ତା ୧୬ ତାରିଖ ସୁଦ୍ଧା ଅଭିଯୋଗ ଓ ପ୍ରସ୍ତାବ ଦାଖଲ କରାଯିବ। ଏହାପରେ ଚୂଡାନ୍ତ ଚିଠା ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ତାଲିକା ବିଭାଗ ପକ୍ଷରୁ ପ୍ରକାଶ କରାଯିବ।
ବୁଧବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), କଟକ ମହାନଗର ନିଗମ (ସିଏମ୍‌ସି) ଓ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ସଂଶୋଧିତ ଚିଠା ଆସନ ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ତାଲିକା ବିଭାଗକୁ ପ୍ରଦାନ କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏହି ତାଲିକାରେ ଓବିସି ବର୍ଗଙ୍କୁ ବାଦ୍‌ ଦିଆଯାଇଛି। ସେମାନଙ୍କ ସ୍ଥାନରେ ଏହି ଆସନଗୁଡିକୁ ଅଣସଂରକ୍ଷିତ ରଖାଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମରେ ପୂର୍ବରୁ ୬୭ ଓ୍ବାର୍ଡ ମଧ୍ୟରୁ ୪୭ ଓ୍ବାର୍ଡ ସଂରକ୍ଷିତ ରଖାଯାଇଥିଲା ଓ ୨୦ଟି ଓ୍ବାର୍ଡ ଅଣସଂରକ୍ଷିତ ଥିଲା। ସେହିପରି ସଂରକ୍ଷିତ ୪୭ ଓ୍ବାର୍ଡ ମଧ୍ୟରୁ ୧୮ଟି ପଛୁଆବର୍ଗ (ମହିଳା ଓ ପୁରୁଷ)ଙ୍କ ପାଇଁ ସଂରକ୍ଷିତ ରହିଥିଲା। ଏବେ ତାହା ଉଚ୍ଛେଦ କରାଯାଇଥିବାରୁ ମୋଟ ୩୮ଟି ଆସନ ଅଣସଂରକ୍ଷିତ ଥିବାବେଳେ ୨୯ଟି ଆସନ ସଂରକ୍ଷିତ ରହିଥିବା ସୂଚନା ମିଳିଛି। ତେବେ ତାଲିକାରେ କ’ଣ ପରିବର୍ତ୍ତନ ହୋଇଛି ଓ କେତୋଟି ଆସନ କାହା ପାଇଁ ସଂରକ୍ଷିତ ରହିଛି ତାହା ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ବିଭାଗ ତାଲିକା ପ୍ରକାଶ ପାଇବା ପରେ ସ୍ପଷ୍ଟ ହେବ।