ରାଉରକେଲା,୨୪।୧୧(ସଙ୍ଗୀତା ଜେନା): ଅପଚୟ ମାନବ ମୂତ୍ରରୁ ମୂଲ୍ୟବାନ କୃଷି ଉପଯୋଗୀ ସାର ପ୍ରସ୍ତୁତ ହେବ। ଏପରି ନୂତନ ଜ୍ଞାନକୌଶଳ ବିକଶିତ କରିଛନ୍ତି ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)ର ବୈଜ୍ଞାନିକ। ମାନବ ମୂତ୍ରରୁ ବୈଦ୍ୟୁତିକ ରାସାୟନିକ ପ୍ରକ୍ରିୟା ଜରିଆରେ କୃଷି ବ୍ୟବହୃତ ସାର ପ୍ରସ୍ତୁତ କରିବାରେ ଗବେଷକମାନେ ସଫଳ ହୋଇଛନ୍ତି। ଉକ୍ତ ଗବେଷଣା ସନ୍ଦର୍ଭ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଜର୍ନାଲ ଅଫ୍ ୱାଟର ପ୍ରୋସେସ୍ ଇଞ୍ଜିନିୟରିଂରେ ପ୍ରକାଶ ପାଇଛି। ଏହି ଜ୍ଞାନକୌଶଳ ଅପଚୟ ପରିଚାଳନା ସହ ମୂଲବାନ ପୋଷକତତ୍ତ୍ୱର ପୁନଃ ବ୍ୟବହାର ଦିଗରେ ନୂତନ ସମ୍ଭାବନା ସୃଷ୍ଟି କରିଛି।
ଉଦ୍ଭିଦର ବୃଦ୍ଧି ଓ ବିକାଶ ପାଇଁ ଫସଫରସ୍ ଓ ପୋଟାସିୟମ୍ (ଏନ୍ପିକେ) ସାରର ୩ଟି ପ୍ରମୁଖ ଉପାଦାନ ମଧ୍ୟରୁ ଅନ୍ୟତମ। ଫସଲ ଉପତ୍ାଦନ ବୃଦ୍ଧି ଓ ମାଟିର ଉର୍ବରତା ରକ୍ଷା ପାଇଁ ଚାଷୀମାନେ ଏହି ସାର ବ୍ୟବହାର ବହୁଳ କରିଥାନ୍ତି। ତେବେ ଶିଳ୍ପସ୍ତରରେ ଏହାର ଉପତ୍ାଦନ ପାଇଁ ଅଧିକ ଶକ୍ତି ଓ ଅର୍ଥ ଆବଶ୍ୟକ ହୋଇଥାଏ। ଏଭଳି ପରିସ୍ଥିତିରେ ଅପଚୟ ସାମଗ୍ରୀରୁ ନାଇଟ୍ରୋଜେନ୍ ଓ ଫସ୍ଫରସ୍ ପୁନରୁଦ୍ଧାର କରି ସାର ପ୍ରସ୍ତୁତ ଏକ ବିକଳ୍ପ ଭାବେ ଉଭା ହୋଇଛି। ପୂର୍ବରୁ ମୂତ୍ରରୁ ପୋଷକତତ୍ତ୍ୱ ପୃଥକ୍ କରିବା ପାଇଁ ଏକ ରାସାୟନିକ ଅବକ୍ଷେପଣ ପଦ୍ଧତି ବ୍ୟବହାର କରାଯାଉଥିଲା। ଏଥିରେ ମୂତ୍ରରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରଣ ପୋଷକତତ୍ତ୍ୱକୁ କଠିନ ରୂପରେ ଅଲଗା କରାଯାଉଥିଲା। ଉକ୍ତ ପ୍ରକ୍ରିୟାରେ ବାରମ୍ବାର କ୍ଷାରୀୟ ରାସାୟନିକ ପଦାର୍ଥ ଓ ବାହାରୁ ମ୍ୟାଗ୍ନେସିୟମ୍ ଲବଣ ମିଶାଇବାକୁ ପଡ଼ୁଥିବା ଯୋଗୁ ରାସାୟନିକ ଉପାଦାନ ବ୍ୟବହାର ବୃଦ୍ଧି ପାଉଥିଲା। ଏହି ବ୍ୟାପକ ସମସ୍ୟାର ସମାଧାନ ପାଇଁ ଏନ୍ଆଇଟି ବୈଜ୍ଞାନିକମାନେ ଏକ ନୂତନ ବୈଦ୍ୟୁତିକ – ରାସାୟନିକ ପଦ୍ଧତି ବିକଶିତ କରିଛନ୍ତି। ଏଥିରେ ବାହାରୁ ଅତିରିକ୍ତ ରାସାୟନିକ ପଦାର୍ଥ ମିଶ୍ରଣ ପରିବର୍ତ୍ତେ ମ୍ୟାଗ୍ନେସିୟମ୍ ଇଲେକ୍ଟ୍ରୋଡ ବ୍ୟବହାର କରାଯାଉଛି। ମୂତ୍ର ମଧ୍ୟରେ ଏହି ଇଲେକ୍ଟ୍ରୋଡ ଦେଇ ବିଜୁଳି ପ୍ରବାହ କରାଗଲେ କ୍ରମଶଃ ଦ୍ରବୀଭୂତ ହୋଇ ମ୍ୟାଗ୍ନେସିୟମ୍ ଆୟନ ସୃଷ୍ଟି କରିଥାଏ। ପରେ ଏହା ପୋଷକତତ୍ତ୍ୱ ସହ ମିଶି ଷ୍ଟ୍ରୁଭାଇଟ୍ ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ। ଉକ୍ତ ଗବେଷଣାରେ ଏନ୍ଆଇଟିର ଜୈବପ୍ରଯୁକ୍ତି ବିଦ୍ୟା ଓ ମେଡିକାଲ ଇଞ୍ଜିନିୟରିଂ ବିଭାଗର ସହଯୋଗୀ ପ୍ରଫେସର ପି. ବାଲାସୁବ୍ରମଣ୍ୟମ୍, ସହଯୋଗୀ ପ୍ରଫେସର ଜେ. ଶିବରମଣ, ସହକାରୀ ପ୍ରଫେସର ବିକାଶ ଚନ୍ଦ୍ର ମହାରାଜ ଏବଂ ଗବେଷିକା ଆଲିଶା ଜାଫର ସାମିଲ ହୋଇଛନ୍ତି।
ଏହି ଗବେଷଣା ସମ୍ପର୍କରେ ସେମାନେ କହିଛନ୍ତି, ଏହି ବିଦ୍ୟୁତ ରାସାୟନିକ ପଦ୍ଧତି ପୋଷକତତ୍ତ୍ୱ ପୁନରୁଦ୍ଧାର ପାଇଁ ଏକ ସ୍ଥାୟୀ ଓ ରାସାୟନିକ ମୁକ୍ତ ବିକଳ୍ପ ଅଟେ। ଏଥିରେ ବ୍ୟବହୃତ ମ୍ୟାଗ୍ନେସିୟମ୍ ଅନୋଡରୁ ଆବଶ୍ୟକ ମ୍ୟାଗ୍ନେସିୟମ୍ ଆୟନ ନିଜସ୍ବ ପ୍ରକ୍ରିୟାରେ ସୃଷ୍ଟି ହେଉଥିବାରୁ ବାହାରୁ ରାସାୟନିକ ପଦାର୍ଥ ଯୋଗ କରିବାରେ ଆବଶ୍ୟକତା ରହୁନାହିଁ। ଏହାଦ୍ୱାରା ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ସହଜ ହେବା ସହ ଏହାକୁ ଛୋଟ ଓ ମଡ୍ୟୁଲାର ବ୍ୟବସ୍ଥାରେ ମଧ୍ୟ ସ୍ଥାପନ କରାଯାଇପାରିବ। ଗବେଷକ ଦଳ ୫ ଲିଟର ଓ ୩୫ ଲିଟର କ୍ଷମତା ବିଶିଷ୍ଟ ୨ଟି ରିଆକ୍ଟରରେ ଏହି ପଦ୍ଧତି ପରୀକ୍ଷଣ କରିଥିଲେ। ଏଥିପାଇଁ ପୁରୁଷ ଶୌଚାଳୟ ୟୁରିନାଲରୁ ସଂଗୃହୀତ ମୂତ୍ର ବ୍ୟବହାର କରାଯାଇଥିଲା। ପରୀକ୍ଷାରେ ୫ ଲିଟର ରିଆକ୍ଟରରେ ୯୮ପ୍ରତିଶତରୁ ଊର୍ଦ୍ଧ୍ୱ ଓ ୩୫ଲିଟର ରିଆକ୍ଟରରେ ୯୧ପ୍ରତିଶତରୁ ଅଧିକ ଫସ୍ଫରସ୍ ପୁନରୁଦ୍ଧାର ସଫଳତା ମିଳିଥିଲା। ଏଥିରୁ ପ୍ରସ୍ତୁତ ସାରର ଶୁଦ୍ଧତାକୁ ଏକ୍ସ ରେ ଡିଫ୍ରାକ୍ସନ୍ ଓ ଫୁରିଅର୍ ଟ୍ରାନ୍ସଫର୍ମ ଇନ୍ଫ୍ରାରେଡ୍ ସ୍ପେକ୍ଟ୍ରୋସ୍କୋପି (ଏଫ୍ଟିଆଇଆର୍) ପରୀକ୍ଷା ମାଧ୍ୟମରେ ନିଶ୍ଚିତ କରାଯାଇଥିଲା। ଏହି ସାରର ବ୍ୟବହାର ତୁଳସୀ, ବରବଟି ଓ ଭେଣ୍ଡି ଗଛ ବୃଦ୍ଧିରେ ବଜାରରେ ଉପଲବ୍ଧ ଏନ୍ପିକେ ସାର ସହ ତୁଳନୀୟ ଫଳ ଦେଇଥିବା ଜଣାପଡ଼ିଥିଲା। ସେହିପରି ୫ଶହ ଲିଟର କ୍ଷମତା ବିିଶିଷ୍ଟ ପାଇଲଟ୍ ପ୍ଲାଣ୍ଟର ଏହି ସମନ୍ବିତ ପଦ୍ଧତିର ପରୀକ୍ଷଣକୁ ଆର୍ଥିକ ସଫଳତା ମିଳିବା ସମ୍ଭାବନା ରହିଛି ବୋଲି ଗବେଷକ ଦଳ କହିଛନ୍ତି।