ଅପହରଣ ଉଦ୍ୟମ ବେଳେ ନାବାଳକ ଉଦ୍ଧାର

ଦେବଗଡ଼, ୫।୯ (ଶଶାଙ୍କ ଶେଖର ଝାଙ୍କର ): ଜଣେ ନାବାଳକଙ୍କୁ ଅପହରଣ ଉଦ୍ୟମ ବେଳେ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ କଣ୍ଟାବାହାଳ ଗ୍ରାମରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ନାବାଳକ ଜଣକ ଦେବଗଡ଼ ଥାନା ବିଜୟନଗର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ସଂପୃକ୍ତ ନାବାଳକଙ୍କ ମା’ ଦେବଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ନାବାଳକ ଜଣକ ସହାୟକ ଭାବେ ତାଙ୍କ ସହିତ ରହିଥିଲେ। ଜଣେ ଅଚିହ୍ନା ବ୍ୟକ୍ତି ନିଜକୁ ତାଙ୍କର ମାମୁଁ ବୋଲି ପରିଚୟ ଦେବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲେ। ଏକ ବାଇକ ଯୋଗେ ଯାଉଥିବା ବେଳେ କଣ୍ଟାବାହାଳ ନିକଟରେ ବାଇକର ପେଟ୍ରୋଲ ସରିଯାଇଥିବାରୁ ସ୍ଥାନିୟ ଏକ ଦୋକାନରୁ ପେଟ୍ରୋଲ ପକାଇ ଥିଲେ। ଅଚିହ୍ନା ବ୍ୟକ୍ତିଙ୍କ ହାତରେ ଟଙ୍କା ନ ଥିବାରୁ ସଂପୃକ୍ତ ନାବାଳକଙ୍କୁ ଦୋକାନୀଙ୍କ ପାଖରେ ବନ୍ଧା ପକାଇ ସେଠାରେ ଛାଡି ଚାଲି ଯାଇଥିଲୋ। ଦୀର୍ଘ ସମୟ ଧରି ନ ଆସିବାରୁ ଦୋକାନୀ ଜଣକ ସନ୍ଦେହ କରି ନାବାଳକଙ୍କୁ ପଚରାଉଚୁରା କରିବା ପରେ ସତ କଥା ଜାଣିବାକୁ ପାଇଥିଲେ। ପରେ ଗ୍ରାମବାସୀଙ୍କୁ ଜଣାଇବା ସହ ପୋଲିସ ଏବଂ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ସୁରକ୍ଷା ଅଧିକାରୀ ଚିନ୍ମୟ କୁମାର ସାଇଁ ପ୍ରମୁଖ ପହଞ୍ଚି ଖଇରପାଲି ଫାଣ୍ଡି ପୁଲିସ ଉପସ୍ଥିତିରେ ଉଦ୍ଧାର କରି ପରିବାର ଲୋକଙ୍କୁ ରାତି ୧୨ ଟା ସମୟରେ ହସ୍ତାନ୍ତର କରିଥିଲେ। ଏନେଇ ସଂପୃକ୍ତ ନାବାଳକଙ୍କ ମା’ ଥାନାରେ ଏକ ଏତଲା ଦେଇଥିବା ବେଳେ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି।