ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି। ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ କିଛିମାସ ତଳେ ଏନେଇ ଏନ୍‌ଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି କମିଶନ କ’ଣ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ ଆଗାମୀ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଧାକାନ୍ତ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ, କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତର ଏସ୍‌ସି/ଏସ୍‌ଟି ବିଭାଗ ଦ୍ୱାରା ପରିଚାଳିତ ଏକ ଆବାସିକ ଉଚ୍ଚ ବାଳିକା ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ମୃତ ଶିଶୁପୁତ୍ର ଜନ୍ମ ଦେଇଥିଲେ। ପରେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅକ୍ଟୋବର ୬ରେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଡାକ୍ତରଙ୍କ ଅବହେଳାରୁ ଏପରି ଘଟିଥିବା ଅଭିଯୋଗ କରିଥିଲେ। ଗତ ଜୁଲାଇରେ ମାଲକାନଗିରି ଜିଲା ଚମ୍ପାନଗରସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିଲେ। ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ୨୦୧୫ ମାର୍ଚ୍ଚରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଅନୁସୂଚିତ ଜନଜାତି ବିଭାଗ ମନ୍ତ୍ରୀ ଲାଲ ବିହାରୀ ହିମିରିକା ବିଭିନ୍ନ ଆବାସିକ ବିଦ୍ୟାଳୟରେ ଯୌନ ନିର୍ଯାତନାର ଶିକାର ହୋଇଥିବା ୧୭ଜଣ ନାବାଳିକାଙ୍କ ପରିଚୟ ଦେଇଥିଲେ। ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତେବେ ଏସବୁ ଘଟଣାରେ ଅଭିଯୁକ୍ତ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ବିଭିନ୍ନ ଘଟଣାରେ ପୀଡିତାଙ୍କୁ କ୍ଷତିପୂରଣ ରାଶି ଦିଆଯାଇଛି କି ନାହିଁ ଏବଂ ଭବିଷ୍ୟତରେ ଏଭଳି ନ ଘଟିବା ପାଇଁ କି ପଦକ୍ଷେପ ନିଆଯାଇଛି, ଏସବୁ ଜାଣିବାକୁ କମିଶନଙ୍କ ନିକଟରେ ଅଭିଯୋଗକାରୀ ଆବେଦନ କରିଛନ୍ତି।