ମରାମତିକୁ ୬ ମାସ ପୂରିଲାନି: ରାସ୍ତାରେ ଖାଲ

ପଟ୍ଟାମୁଣ୍ଡାଇ, ୨୧ା୮(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧ ବାଇପାସ୍‌ଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ସାଢେ ୧୨ କିମି ରାସ୍ତା ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ଲେଉଟିଆ କିଆରି ସାଜିଛି। ଗତ ୨ ବର୍ଷ ମଧ୍ୟରେ ଉକ୍ତ ରାସ୍ତାର ନିର୍ମାଣ ଓ ମରାମତି ବାରମ୍ବାର କରାଯାଇଛି। କିନ୍ତୁ ରାସ୍ତା ନିର୍ମାଣ, ମରାମତି ହେବା ପରେ ମଧ୍ୟ ରାସ୍ତାରୁ ପିଚୁ ଉଠିଯିବା ସହ ଗାତ ସୃଷ୍ଟି ହୋଇ ଯାତାୟାତରେ ଅନ୍ତରାୟ ସୃଷ୍ଟି କରିଛି ।
ସାମାଜିକ କର୍ମୀ ଆଲୋକ ଧଳ, ମିଟୁ ଧଳ, ପ୍ରବୋଧ ଖଣ୍ଡେଇ, ସୁଶାନ୍ତ ଯେନା ପ୍ରମୁଖ କୁହିଛନ୍ତି, କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନରେ କେଳେଙ୍କାରୀ ପଦାରେ ପଡ଼ିଛି। ପଟ୍ଟାମୁଣ୍ଡାଇ ବାଇପାସ ପାଖରୁ ଇନ୍ଦୁପୁର ମଧ୍ୟରେ କୋଟି କୋଟି ଟଙ୍କାର କାମ ହୋଇଛି। ମାତ୍ର ବିଭାଗୀୟ ଅଧିକାରୀ ବେଫିକର ମନୋଭାବ ଯୋଗୁ ରାସ୍ତାର ଚାରିଆଡେ ପିଚୁ ଉଠି ଗାତ ସୃଷ୍ଟି ହୋଇ ଯାତାୟାତରେ ବାଧା ଉପୁଜୁଛି। ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧ ମରାମତି କାର୍ଯ୍ୟ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୬ ମାସ ତଳେ ପଟ୍ଟାମୁଣ୍ଡାଇ ବାଇପାସ୍‌ ପାଖରୁ କୈଳାସି ପୋଲ ପଛକୁ ୯ ଶହ ମିଟର କର୍ଯ୍ୟ ପାଇଁ ୨୬ ଲକ୍ଷ ବ୍ୟୟ ଅଟକଳରେ ଖାଲଖମା ମରାମତି ଓ ଉପର ପିଚୁ କାର୍ଯ୍ୟ ହୋଇଥିଲା। ସେହିଠାରୁ ନୀଳକଣ୍ଠପୁର ପର୍ଯ୍ୟନ୍ତ ୧୫ ଶହ ମିଟର କାମ ପାଇଁ ୫୫ ଲକ୍ଷ ବ୍ୟୟ ଅଟକଳରେ ଖାଲଖମା ମରାମତି ହୋଇଥିଲା।
୮ ମାସ ତଳେ ଘାଘରାଠାରୁ ଚଉଦକୁଲାଟ ପର୍ଯ୍ୟନ୍ତ ୨ କିମି, ଚଉଦକୁଲାଟଠାରୁ ନୀଳକଣ୍ଠପୁର ଘେରି ପର୍ଯ୍ୟନ୍ତ ୨ କିମି ରାସ୍ତା ପାଇଁ ୪୮ ଲକ୍ଷ ୯୪ ହଜାର ବ୍ୟୟ ଅଟକଳରେ ଖାଲଖମା ମରାମତି ଓ ଉପର ପିଚୁ କାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ରାସ୍ତାରେ ବଡ଼ ବଡ଼ ଗାତ ହୋଇଛି। ଠିକାଦାର ଓ ଯନ୍ତ୍ରୀ ସଲାସୁତରାରେ କୋଟି କୋଟି ଟଙ୍କାର କାମକୁ ଅତି ନିମ୍ନମାନର କରାଯାଇ ହରିଲୁଟ କରାଯାଉଛି ବୋଲି ଅଭିଯୋଗ ହେଉଛି। ବୁଦ୍ଧିଜୀବୀ ପ୍ରମୋଦ ଜେନା କହିଛନ୍ତି, ବ୍ରାହ୍ମଣୀ ଘେରି ବନ୍ଧ ପଟ୍ଟାମୁଣ୍ଡାଇ ବାଇପାସ୍‌ ଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ଖାଲଖମାରେ ପରିଣତ ହୋଇ ଯାତାୟାତରେ ବାଧା ସୃଷ୍ଟି ହେଉଥିଲା। ଏହାର ମରାମତି ପାଇଁ ସାଧାରଣରେ ଦାବି ହୋଇ ଆସୁଥିଲା। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି ରାସ୍ତାର ମରାମତି ପାଇଁ ୪ଟି ପର୍ଯ୍ୟାୟରେ ୧ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏହି କାର୍ଯ୍ୟକୁ କରିବାକୁ ଠିକାଦାରଙ୍କୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟଦେଶ ପ୍ରଦାନ କରାଯାଇଥିଲା। ମାତ୍ର ଠିକାଦାର ନାମକୁ ମାତ୍ର ଜେନେତେନ ପ୍ରକାର ନିମ୍ନମାନର କାମ କରି ସାରି ଦେଇଥିଲେ। ଫଳରେ ୬ ମାସ ଭିତରେ ରାସ୍ତାରେ ଆଣ୍ଠୁଏ ଲେଖାଏ ଗାତ ସୃଷ୍ଟି ହୋଇଛି। ଘେରିବନ୍ଧ ଉପରେ ଇନ୍ଦୁପୁର ପାଖରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ନିର୍ଭର କରୁଥିବା ବେଳେ ଏହି ରାସ୍ତାକୁ ଜଳସମ୍ପଦ ବିଭାଗ ଉପର ଠାଉରିଆ ଭାବେ ମରାମତି କରିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସହ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ଏହି କାମ ସମ୍ପର୍କରେ ମୁଁ ଅନୁଧ୍ୟାନ କରି ପୁନଃ ନିର୍ମାଣ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।