ବରଗଡ଼,୨୬।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ୨ଦିନ ପରେ ଅର୍ଥାତ୍ ୩୦ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏହା ପୂର୍ବରୁ ଶୁକ୍ରବାର ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏଶନ ବରଗଡ଼ରେ ଅନୁଷ୍ଠିତ ଏକ ବୈଠକ ନେଇଥିବା ନିଷ୍ପତ୍ତି ଧାନ ସଂଗ୍ରହ ପ୍ରକ୍ରିୟାରେ ବାଧକ ସାଜିବ, ତାହା ଏବେଠାରୁ ସ୍ପଷ୍ଟ ହୋଇଯାଇଛି। ସରକାର ରାଇସ୍ ମିଲ୍ରେ ରହିଥିବା କଷ୍ଟମ ମିଲିଂ ଚାଉଳ ଉଠାଣ ସମେତ ଅନ୍ୟ ଦାବି ସମୂହ ପୂରଣ ନ କଲେ ମିଲର୍ସମାନେ ମଣ୍ଡିରୁ ଧାନ ଉଠାଇବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ବରଗଡ଼ ସହର ଉପକଣ୍ଠ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏଶନର ବୈଠକ ବସିଥିଲା। ବୈଠକରେ ଆସୋସିଏଶନର ଚେୟାରମ୍ୟାନ ସନ୍ତୋଷ ଅଗ୍ରୱାଲ, ସଭାପତି ମହେଶ ବଂଶଲ, ଉପସଭାପତି ନିତେଶ ବଂଶଲ, ସମ୍ପଦାକ ଦିପକ ରଞ୍ଜନ ଦାଶ, କୋଷାଧ୍ୟକ୍ଷ ନବୀନ ଅଗ୍ର୍ରୱାଲଙ୍କ ସମେତ ଅନ୍ୟ କର୍ମକର୍ତ୍ତା, ସଭ୍ୟବୃନ୍ଦ ତଥା ରାଜ୍ୟର ବିଭିନ୍ନ ଜିଲାର ଶତାଧିକ ମିଲର୍ସ ଉପସ୍ଥିତ ଥିଲେ। ବୈଠକରେ ମିଲର୍ସମାନେ ସେମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। କଷ୍ଟମ ମିଲିଂ ଚାଉଳ ଉଠାଣରେ ବିଳମ୍ବ, ଏଫଏକ୍ୟୁ ଧାନ, ମିଲିଂ ପ୍ରୋତ୍ସାହନ ରାଶି, ପରିବହନ ଖର୍ଚ୍ଚ ଆଦି ୧୨ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ଏବଂ ସରକାରଙ୍କୁ ଏ ନେଇ ବାରମ୍ବାର ଅବଗତ କରିବା ସତ୍ତ୍ୱେ କିଛି ସୁଫଳ ମିଳି ନ ଥିବା ଅଭିଯୋଗ କରି ଆସୋସିଏଶନର କର୍ମକତ୍ତା, ସଭ୍ୟବୃନ୍ଦ ଉଦ୍ବେଗ ପ୍ରକାଶ କରିଥିଲେ।
ଧାନର ଏଫଏକ୍ୟୁ ମାନ ନିର୍ଦ୍ଧାରଣ ସହିତ ୩୭.୫ କି.ଗ୍ରା ଓଜନର ବସ୍ତାରେ ଧାନ ଯୋଗାଣ ସୁନିଶ୍ଚିତ କରାଯିବା, ମିଲର୍ସଙ୍କଠାରୁ କଷ୍ଟମ ମିଲିଂ ଚାଉଳ ସମୟୋଚିତଭାବେ ଗ୍ରହଣ କରିବା, କଞ୍ଚାଧାନରେ ପ୍ରାକୃତିକଭାବେ ହେଉଥିବା ଆର୍ଦ୍ରତା ହ୍ରାସକୁ ଦୃଷ୍ଟିରେ ରଖି ୧ପ୍ରତିଶତ ଡ୍ରାଇଏଜ୍ ଅନୁମତି ପ୍ରଦାନ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ପ୍ରୋତ୍ସାହନ ରାଶି ତୁରନ୍ତ ପ୍ରଦାନ, ଧାନ ଓ ଚାଉଳ ପରିବହନ ଖର୍ଚ୍ଚ ବୃଦ୍ଧି, ମିଲର୍ସମାନେ ବହନ କରୁଥିବା ଷ୍ଟୋରେଜ ଚାର୍ଜ, ବୀମା ଖର୍ଚ୍ଚ, ବ୍ୟାଙ୍କ ଗ୍ୟାରେଣ୍ଟି ଯଥାର୍ଥଭାବେ ପ୍ରଦାନ, କଷ୍ଟମ ମିଲିଂ ଚାଉଳ ଯୋଗାଣ ମାନଦଣ୍ଡରେ ବାରମ୍ବାର ପରିବର୍ତ୍ତନକୁ ବନ୍ଦ କରାଯିବାକୁ ଆସୋସିଏଶନ ଦାବି କରିଛି। ସେହିପରି ମିଲର୍ସମାନେ ଦାଖଲ କରିଥିବା ବିଲ୍ ଗୁଡ଼ିକୁ ମାସିକ ଭିତ୍ତି ଯାଞ୍ଚ କରାଯିବା ଓ ତାକୁ ଅନୁମୋଦନ କରି ବ୍ୟାଙ୍କଖାତାକୁ ସିଧାସଳଖ ରାଶି ପ୍ରଦାନ, ଷ୍ଟକଯାଞ୍ଚ ନିୟମରେ ସଂଶୋଧନ, ମୁକ୍ତ ବାଣିଜ୍ୟ ଓ ଚାଉଳ ରପ୍ତାନୀକୁ ପ୍ରୋତ୍ସାହନ ଦେବା ପାଇଁ ଆସୋସିଏଶନ ପକ୍ଷରୁ ଦାବି ହୋଇଛି। ଏହି ଦାବି ସମୂହ ପୂରଣ ନ ହେଲେ ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାରେ ଆସୋସିଏଶନ ସହଯୋଗ କରିବ ନାହିଁ ବୋଲି ଚେତାବନୀ ଦେଇଛି।