ଧର୍ମୀୟ ଭାବାବେଗ ଓ ରାଜନୀତି

ଡ. ଛାୟାକାନ୍ତ ଷଡ଼ଙ୍ଗୀ

୧୯୫୦ ମସିହାରେ ଯେତେବେଳେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେଲା, ସେତେବେଳେ ଏହାର ମୁଖବନ୍ଧରେ ‘ସେକ୍ୟୁଲାର’ ଶବ୍ଦଟି ନ ଥିଲା। ୧୯୭୬ରେ ୪୨ତମ ସମ୍ବିଧାନ ସଂଶୋଧନରେ ଏହି ଶବ୍ଦଟି ଯୋଡ଼ି ଦିଆଗଲା। ସମ୍ବିଧାନର ଧାରା ୨୫ରେ ଭାରତୀୟ ନାଗରିକମାନଙ୍କୁ ନିଜ ଇଚ୍ଛା ଅନୁସାରେ ଧର୍ମ ଆଚରଣ ଓ ତା’ର ପ୍ରଚାରପ୍ରସାର କରିବା ସ୍ବାଧୀନତା ଦିଆଯାଇଛି। ଧାରା ୨୬ରେ ଧାର୍ମିକ ଗୋଷ୍ଠୀ ବା ସମ୍ପ୍ରଦାୟଗୁଡ଼ିକୁ ଧର୍ମାନୁଷ୍ଠାନ ପରିଚାଳନା କରିବା ଅଧିକାର ଦିଆଯାଇଛି। ସେହି ଅନୁସାରେ ମୁସଲମାନ୍‌, ଖ୍ରୀଷ୍ଟିଆନ୍‌, ଶିଖ୍‌ ଆଦି ସମ୍ପ୍ରଦାୟ ସେମାନଙ୍କ ଧର୍ମାନୁଷ୍ଠାନଗୁଡ଼ିକୁ ନିଜେ ପରିଚାଳିତ କରୁଛନ୍ତି। ମାତ୍ର ବିଭିନ୍ନ ରାଜ୍ୟରେ ହିନ୍ଦୁମାନଙ୍କ ମନ୍ଦିରଗୁଡ଼ିକୁ ସରକାର ବିଶେଷ ଆଇନ ତିଆରି କରି ନିୟନ୍ତ୍ରଣ କରୁଛନ୍ତି। ଧର୍ମ ନିରପେକ୍ଷତାର ମର୍ମ ହେଉଛି ସରକାର କୌଣସି ଧାର୍ମିକ ଗୋଷ୍ଠୀ ବା ସମ୍ପ୍ରଦାୟ ପ୍ରତି ପକ୍ଷପାତ କରିବ ନାହିଁ ଓ ସେମାନଙ୍କ ପୂଜା ପଦ୍ଧତି ରୀତିନୀତି ସମ୍ପର୍କରେ ପକ୍ଷଭୁକ୍ତ ହେବନାହିଁ। ମାତ୍ର ଭାରତରେ ମସ୍‌ଜିଦ ଓ ଚର୍ଚ୍ଚ ପରିଚାଳନା କ୍ଷେତ୍ରରେ ସରକାର ହସ୍ତକ୍ଷେପ କରୁ ନ ଥିବା ବେଳେ ବିଭିନ୍ନ ଆଇନ ତିଆରି କରି ହିନ୍ଦୁ ମନ୍ଦିରର ପରିଚାଳନା କ୍ଷେତ୍ରରେ ହସ୍ତକ୍ଷେପ କରୁଛନ୍ତି। ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ଏହା କେତେଦୂର ଠିକ୍‌, ତାହା ବିତର୍କର ବିଷୟ।
ନିକଟରେ କର୍ନାଟକ ସରକାର ଘୋଷଣା କରିଛନ୍ତି, ହିନ୍ଦୁ ମନ୍ଦିରଗୁଡ଼ିକୁ ସେମାନଙ୍କ ନିଜ ପରିଚାଳନାଗତ ଅଧିକାର ଉପରେ ଯେଉଁ ସବୁ ଆଇନଗତ ପ୍ରତିବନ୍ଧକ ଅଛି ସେ ସବୁକୁ ଉଠାଇ ଦିଆଯିବ। ମାତ୍ର ଏହି ପ୍ରସଙ୍ଗରେ କର୍ନାଟକ କଂଗ୍ରେସ ଅଧ୍ୟକ୍ଷ ଶିବକୁମାର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ସରକାର ମନ୍ଦିର ପରିଚାଳନାରୁ ଦୂରେଇ ଗଲେ ରାଜକୋଷର ପ୍ରଭୂତ କ୍ଷତି ଘଟିବ, କାରଣ ରାଜ୍ୟର ମନ୍ଦିର ପାଣ୍ଠିରୁ ରାଜକୋଷକୁ ପ୍ରଚୁର ଅର୍ଥ ଆସେ। ଭକ୍ତମାନଙ୍କଠାରୁ ସଂଗୃହୀତ କୋଟି କୋଟି ଟଙ୍କାର ଦାନ ଓ ଦକ୍ଷିଣା ସରକାର ଆର୍ଥିକ ସଙ୍କଟ ସମୟରେ ଉପଯୋଗ କରିପାରନ୍ତି। କିଛିମାସ ତଳେ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ ବିଶିଷ୍ଟ ସ୍ତମ୍ଭକାର ଏ. ସୂର୍ଯ୍ୟପ୍ରକାଶ ପ୍ରଶ୍ନ ଉଠାଇଛନ୍ତି। ”ମସ୍‌ଜିଦ୍‌, ଚର୍ଚ୍ଚ ଓ ଗୁରୁଦ୍ୱାରଗୁଡ଼ିକରେ ଗଚ୍ଛିତ ଅର୍ଥରାଶିକୁ ସରକାରୀ ବିତ୍ତକୋଷକୁ ଅଣାଯାଇ ପାରିବ କି? ଯଦି ସବୁ ଧର୍ମ ପ୍ରତି ସମାନ ଆଚରଣ ଧର୍ମନିରପେକ୍ଷତାର ମୂଳଭିତ୍ତି, ଧାରା ୨୬ ଅନୁସାରେ ହିନ୍ଦୁ ମନ୍ଦିରଗୁଡ଼ିକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରି ହିନ୍ଦୁମାନଙ୍କୁ ମନ୍ଦିର ପରିଚାଳନା କରିବା ଅଧିକାର କାହିଁକି ଦିଆଯାଉନାହିଁ। ଏହି ପ୍ରଶ୍ନଟି ଯଥାର୍ଥ। ସରକାର ସବୁ ଧର୍ମର ଅନୁଷ୍ଠାନଗୁଡ଼ିକ ପାଇଁ ସମାନ ଆଇନ ନ କରିବା ଦ୍ୱାରା ଆଜି ଏହି ପ୍ରଶ୍ନ ଉଠିବା ସ୍ବାଭାବିକ। କର୍ନାଟକ ସରକାର ହିନ୍ଦୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏବେ ମନ୍ଦିରଗୁଡ଼ିକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରିବା ଲାଗି ଘୋଷଣା କରିଛନ୍ତି। କାରଣ ଭୋଟରମାନଙ୍କ ମଧ୍ୟରେ ହିନ୍ଦୁମାନେ ହେଉଛନ୍ତି ସଂଖ୍ୟାଗରିଷ୍ଠ। ସେହି ଭୋଟରମାନଙ୍କୁ ସନ୍ତୁଷ୍ଟ କରି ଆକର୍ଷିତ କରିବା ହେଉଛି ସରକାରଙ୍କ ଲକ୍ଷ୍ୟ।
ଜନସାଧାରଣଙ୍କ ଧର୍ମୀୟ ଭାବାବେଗକୁ ରାଜନୈତିକ ସ୍ବାର୍ଥ ନିମନ୍ତେ ଉପଯୋଗ କରିବାର ଧାରା ଏବେ ସମଗ୍ର ଭାରତରେ ପରିଲକ୍ଷିତ ହେଲାଣି। ଯେଉଁ ନେତାମାନେ ଦିନେ କୌଣସି ମନ୍ଦିରରେ ପାଦ ପକାଉ ନ ଥିଲେ, ସେମାନେ ଏବେ ମନ୍ଦିର ଗଲେଣି, ପୂଜାର୍ଚ୍ଚନା କଲେଣି, ମନ୍ଦିର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଲେଣି। ଜନସାଧାରଣଙ୍କ ଧର୍ମୀୟ ଭାବାବେଗକୁ ରାଜନୈତିକ ସ୍ବାର୍ଥରେ ଉପଯୋଗ କରିବାର ଦୃଶ୍ୟ ଅତୀତରେ ବିଶିଷ୍ଟ ସାହିତି୍ୟକ ମନୋଜ ଦାସଙ୍କ ଦୃଷ୍ଟିରୁ ଖସିଯାଇ ନାହିଁ। ତେଣୁ ସେ ଲେଖିଛନ୍ତି ଏକ କାଳଜୟୀ ଗଳ୍ପ ‘ବାବୁଲପୁରର ଷଣ୍ଢ’। ହଠାତ୍‌ ଓକିଲ ପ୍ରିୟନାଥ ବଡାଳ ନିଷ୍ପତ୍ତି ନେଲେ ସେ ଅବଶିଷ୍ଟ ଜୀବନ ଗାଁରେ କଟାଇବେ। ନିଃସନ୍ତାନ ପରଲୋକଗତ ମାମୁଙ୍କଠାରୁ ପ୍ରାପ୍ତ କୋଠରିରେ ରହିବେ। ଦିନେ ଗାଁକୁ ପ୍ରବେଶ କରନ୍ତେ ରାସ୍ତା ମଝିରେ ଏକ ବିରାଟକାୟ ଷଣ୍ଢ ଆଖିବୁଜି ପାକୁଳି କରି ବସିଥାଏ। ଯେତେ ହର୍ନ ବଜାଇଲେ ମଧ୍ୟ ଷଣ୍ଢଟି ଉଠୁ ନ ଥାଏ। ସେ ଶୁଣିଲେ ସେହି ଷଣ୍ଢର ମାଲିକ କେହି ନାହାନ୍ତି। ଗାଁ ମନ୍ଦିରରେ ପୂଜା ପାଉଥିବା ମହାଦେବ ହେଉଛନ୍ତି ତା’ର ମାଲିକ। ଏଣୁ ଷଣ୍ଢଟିକୁ ରାସ୍ତାରୁ ଉଠାଇବା ପାଇଁ ମାଲିକକୁ ଖୋଜିବାର ଆବଶ୍ୟକତା ନ ଥିଲା। ଏଣୁ ରାସ୍ତା ଅବରୋଧ ହଟାଇବା ପାଇଁ ସେ ପହଞ୍ଚତ୍ଲେ ଥାନାରେ। ସେଠାରେ ସେ ଖବର ଦିଅନ୍ତେ ଦୁଇଜଣ କନଷ୍ଟେବଳ ସେଠି ପହଞ୍ଚତ୍ଲେ। ହଠାତ୍‌ ଷଣ୍ଢଟି ଠିଆ ହେଲା ଓ ମନ୍ଥର ଗତିରେ ଚାଲିବାକୁ ଲାଗିଲା। କନଷ୍ଟେବଳ ଦ୍ୱୟ ତା’ର ଉଭୟ ପାର୍ଶ୍ୱରେ ଚାଲୁଥାନ୍ତି। କ୍ରମେ ଲୋକଙ୍କ ଭିଡ଼ ବଢ଼ିଲା। ସମସ୍ତେ ଚାଲିଲେ ଷଣ୍ଢ ପଛରେ। ସମସ୍ତଙ୍କ କଣ୍ଠରୁ ନିର୍ଗତ ହେଉଥାଏ, ”ଜୟ ବାଲୁଙ୍କେଶ୍ୱର ମହାଦେବକି ଜୟ! ଜୟ ମହାଦେବଙ୍କ ଷଣ୍ଢ କି ଜୟ।“ରାସ୍ତାରେ ଜଣେ ବିଧବା ବୁଢ଼ୀ ଷଣ୍ଢ ବେକରେ ମଲ୍ଲୀହାରଟିଏ ପକାଇଦେଲା। ଜଣେ ଗୃହସ୍ଥ ତା’ ଉପରେ ଭକ୍ତିରେ ହଳଦୀପାଣି ଢାଳିଦେଲା। ଆଉ ଜଣେ ତାକୁ ବନ୍ଧାକୋବି ଖାଇବାକୁ ଦେଲା। ସମଗ୍ର ଗଁାଟିକୁ ପ୍ରଦକ୍ଷିଣ କଲା ପରେ ଷଣ୍ଢଟି ତା’ ପୂର୍ବସ୍ଥାନକୁ ଆସି ଶୋଇପଡ଼ି ପୁଣି ପାକୁଳେଇବା ଆରମ୍ଭ କଲା। ସମସ୍ତେ ଉଚ୍ଚକଣ୍ଠରେ କହୁଥାନ୍ତି ‘ମହାଦେବଙ୍କ ଷଣ୍ଢ କି ଜୟ!’ ଓକିଲବାବୁ ଅନୁଭବ କଲେ ଯେ ସମଗ୍ର ଗ୍ରାମବାସୀ ଷଣ୍ଢଟିକୁ ବହୁତ ଭକ୍ତି କରନ୍ତି। ସଙ୍ଗେ ସଙ୍ଗେ ତାଙ୍କ କଣ୍ଠରୁ ମଧ୍ୟ ନିର୍ଗତ ହେଲା ସେହି ପଦ ‘ମହାଦେବଙ୍କ ଷଣ୍ଢକି ଜୟ।’ ତା’ ସାଙ୍ଗକୁ ସେ ସମସ୍ତଙ୍କୁ ସମ୍ବୋଧନ କରି କହିଲେ- ”ଭାଇ ଓ ଭଉଣୀମାନେ! ଆଜି ଆମ ପାଇଁ ଏକ ସ୍ମରଣୀୟ ସନ୍ଧ୍ୟା। ଆମ ଗ୍ରାମର ଗୌରବ ଏହି ଷଣ୍ଢ। ଏହି ଷଣ୍ଢର ଛାୟାତଳେ ଆମେ ଏକଜୁଟ ହେବା।“ ଏହିଭଳି ଏକ ପ୍ରେରଣାପ୍ରଦ ଭାଷଣ ଦେଇ ସମସ୍ତଙ୍କୁ ପ୍ରଭାବିତ କଲେ ଓକିଲ ପ୍ରିୟନାଥ। ଓକିଲବାବୁଙ୍କ ହଠାତ୍‌ ପରିବର୍ତ୍ତନର କାରଣ ସମ୍ପର୍କରେ ଗାଳ୍ପିକ ଯାହା ସୂଚନା ଦେଇଛନ୍ତି, ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ। ତାହା ହେଲା ସାଧାରଣ ନିର୍ବାଚନ ଆସନ୍ନ ଥାଏ ଓ ଓକିଲବାବୁ ଥାଆନ୍ତି ଆଶାୟୀ ପ୍ରାର୍ଥୀ। ଜନସାଧାରଣଙ୍କ ଧର୍ମୀୟ ଭାବାବେଗକୁ ନିଜ ରାଜନୈତିକ ସ୍ବାର୍ଥରେ ଉପଯୋଗ କରିବା ପାଇଁ ସଙ୍ଗେସଙ୍ଗେ ସେ ମଧ୍ୟ ପାଲଟିଗଲେ ଜଣେ ଶିବଭକ୍ତ। ଆଜି ମଧ୍ୟ ଭାରତବର୍ଷରେ ଏହି ଧାରାର ଅନ୍ତ ହୋଇନାହିଁ ବରଂ ବଢ଼ିଛି।
ସେକ୍ୟୁଲାର ଶବ୍ଦର ବ୍ୟବହାର ଆରମ୍ଭ ହୋଇଥିଲା ୟୁରୋପରେ। ପ୍ରାଚୀନକାଳରେ ମଣିଷର ଦୁଃଖ ସମୟରେ ଧର୍ମ ସାନ୍ତ୍ୱନା ଦେଉଥିଲା। ଚର୍ଚ୍ଚଗୁଡ଼ିକ ଜ୍ଞାନ ଚର୍ଚ୍ଚାର କେନ୍ଦ୍ର ଥିଲା। ପାଦ୍ରୀମାନେ ଈଶ୍ୱର ଓ ମୃତ୍ୟୁ ପରବର୍ତ୍ତୀ ଜୀବନ ଉପରେ ବେଶି ଗୁରୁତ୍ୱ ଦେଉଥିଲେ। କ୍ରମେ ଏହି ସ୍ଥିତି ବିରୋଧରେ ପ୍ରତିକ୍ରିୟା ପ୍ରକାଶ ପାଇଲା। ଆସିଲା ଏକ ବୌଦ୍ଧିକ ପରିବର୍ତ୍ତନ। ତାକୁ କୁହାଗଲା ନବଜାଗରଣ (ରେନେସଁା)। ରାଷ୍ଟ୍ରକୁ ଧର୍ମଠାରୁ ବିଚ୍ଛିନ୍ନ କରାଗଲା। ରାଷ୍ଟ୍ରର ଦାୟିତ୍ୱ ହେଲା ଅତିପ୍ରାକୃତିକ ଶକ୍ତିର ସାହାଯ୍ୟ ଉପରେ ନିର୍ଭର ନ କରି ଏହି ସଂସାରରେ ମିଳୁଥିବା ସମ୍ବଳ ସାହାଯ୍ୟରେ ଲୋକଙ୍କ ମଙ୍ଗଳ ସାଧନ କରିବା। ଶାସନତନ୍ତ୍ରକୁ ଧର୍ମୀୟ ଭାବାବେଗରୁ ମୁକ୍ତ ରଖାଗଲା। ତାକୁ କୁହାଗଲା ସେକ୍ୟୁଲାରିଜମ, ଯାହାକୁ ଆମେ ଭାରତରେ ଧର୍ମନିରପେକ୍ଷତା କହୁଛୁ। ମାତ୍ର ବିଡ଼ମ୍ବନାର ବିଷୟ ଯେ, ଭାରତର ସମ୍ବିଧାନରେ ସେକ୍ୟୁଲାର ଶବ୍ଦଟି ସିନା ଅଛି, ଶାସନତନ୍ତ୍ର ଧର୍ମୀୟ ଭାବାବେଗରୁ ମୁକ୍ତ ହୋଇନାହିଁ। ସବୁ ରାଜ୍ୟରେ ଆବିର୍ଭାବ ହେଲେଣି ଅନେକ ପ୍ରିୟନାଥ।
ମୋ: ୭୦୦୮୩୬୯୯୨୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri