ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍ଜିଦ୍ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯାଇଥିଲା। ହିନ୍ଦୁମାନଙ୍କ ଅନ୍ୟତମ ଉପାସନା ପୀଠ ଭାବେ ଉତ୍ତର ଭାରତରେ ରାମ ମନ୍ଦିର ଅନେକ ଗୁରୁତ୍ୱ ବହନ କରିଆସିଛି। ଏବେ ଶ୍ରୀରାମ ମନ୍ଦିର ଚର୍ଚ୍ଚାକୁ ଆସିଛି ଏଇଥିପାଇଁ ଯେ, ସେଠାକାର ଦାନ ଅର୍ଥ ଲୁଟ୍ ହୋଇଥିବା ସ୍ପଷ୍ଟ ହୋଇଛି। ଲୁଟ୍ର ପରିମାଣ ସାଢ଼େ ୭ କୋଟି ଟଙ୍କା ଆଲୋଚନା ହେଉଥିବା ବେଳେ କେହି କେହି ଏହା ପ୍ରାୟ ୨୦୦ କୋଟି ଟଙ୍କା ହୋଇଛି ବୋଲି କହିଲେଣି। ଏହି ଘଟଣାରେ ଉତ୍ତର ପ୍ରଦେଶ ସରକାର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରିଛନ୍ତି। ଇତିମଧ୍ୟରେ ରାମ ମନ୍ଦିରର ୬ ଜଣ କର୍ମଚାରୀଙ୍କ ସମେତ ୮ ଜଣ ଗିରଫ ହୋଇସାରିଲେଣି। ଉଲ୍ଲେଖଯୋଗ୍ୟ ଯେ, ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ପ୍ରତ୍ୟେକ ସଦସ୍ୟଙ୍କୁ ସରକାର ବାଛିବାଛି ଅବସ୍ଥାପିତ କରିଥିଲେ। ଏମାନେ ସମସ୍ତେ ହିନ୍ଦୁତ୍ୱ ରାଜନୀତିରେ ସମ୍ପୂର୍ଣ୍ଣ ବିଶ୍ୱାସ କରୁଥିବା ହେତୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ଅଳଙ୍କୃତ କରୁଥିଲେ। କେହି ଜାଣି ନ ଥିଲେ ଯେ ଅଳଙ୍କାର ମଧ୍ୟ ହଠାତ୍ କେତେବେଳେ ବିଷ୍ଠାରେ ପରିଣତ ହୋଇଯିବ। ଶ୍ରୀରାମ ମନ୍ଦିର ସମ୍ପତ୍ତି ଲୁଟିଲା ବେଳକୁ ଏହି ହିନ୍ଦୁତ୍ୱବାଦୀମାନଙ୍କର ବିବେକକୁ ବାଧିଲା ନାହିଁ।
କୁହାଯାଉଛି ନୈତିକ ଦୃଷ୍ଟିକୋଣରୁ ଟ୍ରଷ୍ଟର ମୁଖ୍ୟ ଚମ୍ପତ୍ତ ରାୟ ଇସ୍ତଫା ଦେଇସାରିଛନ୍ତି। ଦାନ ଅର୍ଥ ହେରଫେର ଘଟଣାକୁ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲେ ମଧ୍ୟ ତୁରନ୍ତ ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। ଯେଉଁ ସୁପ୍ରିମକୋର୍ଟ ରାତିଅଧିଆ ଶିଳ୍ପପତି ରତନ ଟାଟାଙ୍କଠାରୁ ଆରମ୍ଭ କରି ଆତଙ୍କବାଦୀ ଅଜମଲ କସବଙ୍କ ଶୁଣାଣି କରିଛନ୍ତି, ସେହି ଅଦାଲତ ଏବେ ରାମମନ୍ଦିରର ଏତେବଡ଼ ଦୁର୍ନୀତି ସମ୍ପର୍କରେ ତତ୍କ୍ଷଣାତ୍ ଶୁଣାଣି କରିବାକୁ ପଛଘୁଞ୍ଚା ଦେବା ଆଶ୍ଚର୍ଯ୍ୟ ଲାଗୁଛି। ଗଣମାଧ୍ୟମରେ ଶ୍ରୀରାମ ମନ୍ଦିର ଦାନ ଅର୍ଥ ବାରମ୍ବାର ଚୋରି ହୋଇଥିବାର ରିପୋର୍ଟ ପ୍ରକାଶ ପାଉଛି। କୁହାଯାଉଛି ଯେ, ମନ୍ଦିର ପ୍ରତିଷ୍ଠା ହେବାଠାରୁ ଦାନ ଅର୍ଥ ହଡ଼ପ ହେବାରେ ଲାଗିଛି। କିନ୍ତୁ ଏପ୍ରିଲ ୨୭ରୁ ୫ ଜୁନ ୨୦୨୬ ମଧ୍ୟରେ ମନ୍ଦିର ହୁଣ୍ଡିରୁ ୭୦ ଥର ଚୋରି ହୋଇଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି। ଏସ୍ଆଇଟି ରିପୋର୍ଟରେ କୁହାଯାଇଛି ଯେ, ଚୋରିରେ ସମ୍ପୃକ୍ତ ବ୍ୟକ୍ତିମାନେ ଅତି କାଇଦା କରି ଅର୍ଥ ହଡ଼ପ କରିଛନ୍ତି। କିଛି କର୍ମଚାରୀ ସିସିଟିଭି କ୍ୟାମେରା ଆଗରେ ଛିଡ଼ା ହୋଇଯାଉଥିବା ବେଳେ ଗଣତି କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଅର୍ଥକୁ ଲୁଚାଇ ନେଇ ଏକ ଶୌଚାଳୟରେ ରଖୁଥିଲେ। ପରେ ବ୍ୟାଙ୍କରେ ଜମା ପାଇଁ ଦାନ ଅର୍ଥ ଦିଆଯାଉଥିବା ବେଳେ ସେଥିରେ ହଡ଼ପ ଅର୍ଥକୁ ମିଶାଇ ଦିଆଯାଉଥିଲା। ବ୍ୟାଙ୍କରେ ଜମା ହେବା ପୂର୍ବରୁ ସମ୍ପୃକ୍ତ ଅର୍ଥକୁ କର୍ମଚାରୀମାନେ ବାଣ୍ଟି ନେଉଥିଲେ। ସମ୍ଭବତଃ ସେଥିପାଇଁ ଏହି ଦୁର୍ନୀତିରେ ବ୍ୟାଙ୍କ କର୍ମଚାରୀ ତଦନ୍ତ ବଳୟ ଭିତରକୁ ଆସିଥିବାରୁ ସେମାନଙ୍କୁ ମଧ୍ୟ ପଚରା ହେଲାଣି। ଏଠାରେ ଜଣାପଡ଼ୁଛି ଯେ, ମିଳିମିଶି ଶ୍ରୀରାମ ମନ୍ଦିର ଅର୍ଥ ଓ ସୁନାରୁପା ଭଳି ସାମଗ୍ରୀ ହଡ଼ପ ହେବା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ଏହି ମନ୍ଦିରରେ କେବଳ ହିନ୍ଦୁତ୍ୱବାଦୀମାନେ ପ୍ରବଳମାତ୍ରାର ଦାନ ଦେଇ ଆସୁଛନ୍ତି। ଏବେ ସେହି ବିଚରା ଧାର୍ମିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ବୁଝୁଥିବେ ଯେ, ସେମାନଙ୍କ କଷ୍ଟାର୍ଜିତ ଅର୍ଥ ସିଧାସଳଖ ଚୋରଙ୍କ ହାତରେ ପଡ଼ିଲା। ରାମମନ୍ଦିର ଦାନ ଅର୍ଥ ହେରଫେର ଘଟଣା କେବଳ ଏକ ଆର୍ଥିକ ଅନିୟମିତତା ଭିତରେ ସୀମିତ ନାହିଁ। ଏହା ଏକ ଧର୍ମର ଆସ୍ଥା ଓ ବିଶ୍ୱାସ ପ୍ରତି ନକାରାତ୍ମକ ସନ୍ଦେଶ ଦେଉଛି। ଯେଉଁଠି ଶ୍ରଦ୍ଧାଳୁଙ୍କ ଦାନକୁ ପବିତ୍ର ଭାବେ ଗ୍ରହଣ କରାଯାଏ, ସେଠାରେ ‘ବାଡ଼ ଫସଲ ଖାଇଲା’ ଭଳି ସ୍ଥିତି ସୃଷ୍ଟି ହେବା ସାଧାରଣରେ ସମାଲୋଚନା ହେବା ସ୍ବାଭାବିକ। ପ୍ରସଙ୍ଗ ଏବେ ଧର୍ମୀୟ ଭାବନାଠାରୁ ଯାଇ ରାଜନୈତିକ ଦିଗକୁ ଛୁଇଁଲାଣି। ଉତ୍ତର ପ୍ରଦେଶର ଭାଜପା ସରକାର ଏହି ବିଷୟରେ ସ୍ବଚ୍ଛତା ଅଣାଯିବ ବୋଲି କହୁଥିବା ବେଳେ ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାରମ୍ବାର ଅଯୋଧ୍ୟା ଗସ୍ତ କରୁଥିବା ଦର୍ଶାଇ ଦାନ ଅର୍ଥ ହଡ଼ପ ହେବା ‘ଦୀପ ତଳ ଅନ୍ଧାର’ ବୋଲି ଆଖ୍ୟା ଦେଇଛନ୍ତି।
ଏବେ ଏହି ଦୁର୍ନୀତିର ଚେର ରାଜନୀତି ଭିତରକୁ ପ୍ରବେଶ କରିଥିବା ହେତୁ ଶାସକ ଦଳର ଅନେକ ସମର୍ଥକ ବିଚଳିତ ହୋଇପଡ଼ିଛନ୍ତି। ଯେଉଁ ସାମ୍ବାଦିକ ବା ସାଧାରଣ ନାଗରିକ ଏ ସମ୍ପର୍କରେ ସନ୍ଦେହ ସୃଷ୍ଟି କରି ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କ ଉପରେ ତୁରନ୍ତ ଆକ୍ରମଣ ଆରମ୍ଭ ହୋଇଯାଉଛି। ଏଭଳି ପରିସ୍ଥିତିକୁ ଦେଖି ଉତ୍ତର ପ୍ରଦେଶର ଜଣେ ହିନ୍ଦୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ କହିଛନ୍ତି, ହିନ୍ଦୁତ୍ୱବାଦୀ ରାଜନୈତିକ କର୍ମୀମାନେ ଶ୍ରୀରାମଙ୍କ ତୁଳନାରେ ତାଙ୍କ ଦଳର ନେତାଙ୍କୁ ଆଗରେ ରଖୁଛନ୍ତି ବୋଲି ପ୍ରମାଣିତ ହୋଇଗଲା।