Categories: ବାଣିଜ୍ୟ

ହ୍ବାଟ୍ସଆପ୍‌ ୟୁଜରଙ୍କୁ ଆଶ୍ୱସ୍ତି; ମେ ୧୫ ଯାଏ ଲାଗୁ ହେବନି ପ୍ରିଭେସି ପଲିସି

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ର ନୂଆ ପ୍ରଭେସି ନୀତି ଏବଂ ସେବା ସଂକ୍ରାନ୍ତ ଅନ୍ୟ ନିୟମ ଚଳିତ ବର୍ଷ ମେ ମାସ ୧୫ ଯାଏ ଲାଗୁ ହେବ ନାହିଁ। କମ୍ପାନୀ ପକ୍ଷରୁ ଶନିବାର ଏ ନେଇ ଘୋଷଣା କରାଯାଇଛି। ପ୍ରିଭେସି ନିୟମ ସମ୍ପର୍କରେ କୌଣସି ଦ୍ୱନ୍ଦ୍ୱ ରହିଥିଲେ ୟୁଜରଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ିହୋଇ ତା’ର ଉତ୍ତର ରଖାଯାଉଥିବା କମ୍ପାନୀ କହିଛି। ଫେବୃୟାରୀ ୮ରେ କୌଣସି ବ୍ୟକ୍ତିବିଶେଷଙ୍କ ଆକାଉଣ୍ଟ ରଦ୍ଦ କିମ୍ବା ହଟାଇ ଦିଆଯିବ ନାହିଁ। ମେ ମାସ ପରେ ନୂଆ ବିଜ୍‌ନେସ ପ୍ଲାନ୍‌ ସମ୍ପର୍କରେ ୟୁଜରଙ୍କୁ ଅବଗତ କରାଯିବ ବୋଲି ଏହି ମେସେଜିଂ ସେବା ଯୋଗାଣକାରୀ କମ୍ପାନୀ ପକ୍ଷରୁ ଶନିବାର ଟୁଇଟ ଯୋଗେ କୁହାଯାଇଛି।
ଜାନୁୟାରୀ ୬ରେ ଏହି କମ୍ପାନୀ ନୂଆ ନିୟମ ଲାଗୁ ଦ୍ୱାରା ଏହାର ମୂଳ କମ୍ପାନୀ ଫେସ୍‌ବୁକ୍‌ ସହ ଡାଟା ଶେୟାର କରିବା ନେଇ ୟୁଜରଙ୍କୁ କହିଥିଲା। ଏଥିରେ ୟୁଜରଙ୍କୁ କୌଣସି ବିକଳ୍ପ ପ୍ରଦାନ କରାଯାଇ ନ ଥିଲା। ନୂଆ ନିୟମକୁ ଗ୍ରହଣ ନ କଲେ ଫେବୃୟାରୀ ୮ ସୁଦ୍ଧା ହ୍ବାଟ୍ସଆପ୍‌ ଅଚଳ ହୋଇଯିବ ବୋଲି କମ୍ପାନୀ ସ୍ପଷ୍ଟ କରିଥିଲା। କମ୍ପାନୀର ନୂଆ ନିୟମକୁ ନେଇ ୟୁଜର ଏବଂ ବିଶେଷଜ୍ଞ ଅନେକ ସମାଲୋଚନା କରିଛନ୍ତି। ଏହା ଡାଟା ସଂଗ୍ରହକୁ ବଢାଉଥିବା ବେଳେ ପ୍ରିଭେସି ପ୍ରତି ବିପଦ ବୋଲି ଅନେକେ କହୁଛନ୍ତି। ଏହି ପରିପ୍ରେକ୍ଷୀରେ ସାଇବର ନିରାପତ୍ତା ବିଶେଷଜ୍ଞ ଜିତେନ ଜୈନ କହିଛନ୍ତି, ନୂଆ ଅପ୍‌ଡେଟ୍‌ରେ ହ୍ବାଟ୍ସଆପ୍‌ ପ୍ରିଭେସି ବିପନ୍ନତାକୁ କମାଇବା ଲାଗି କୌଣସି ପଦକ୍ଷେପ ନେଉଥିବା ଦେଖାଯାଉନାହିଁ। ବର୍ତ୍ତମାନ ଲୋକମାନେ ଏହି ନୀତିକୁ ବିରୋଧ କରୁଥିବାରୁ କମ୍ପାନୀ କେବଳ ନିୟମ କାର୍ଯ୍ୟକାରୀ କରାଇବା ସମୟକୁ ଘୁଞ୍ଚାଇଛି।
ଏପଟେ ହ୍ବାଟ୍ସଆପ୍‌ ଏକ ବ୍ଲଗ୍‌ ପୋଷ୍ଟରେ କହିଛି, ୟୁଜରଙ୍କ ମଧ୍ୟରେ ନୂଆ ନୀତିକୁ ନେଇ ଅନେକ ଭ୍ରାନ୍ତଧାରଣା ରହିଛି। ଏ ସଂକ୍ରାନ୍ତ ପ୍ରସଙ୍ଗକୁ ବୁଝିବାରେ ଲୋକଙ୍କୁ ସହାୟତା କରାଯିବ। ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପଶନ ଦ୍ୱାରା ୟୁଜରଙ୍କ ସ୍ବାର୍ଥ ରକ୍ଷା କରିବା ଦିଗରେ କମ୍ପାନୀ ଉଦ୍ୟମ ଜାରି ରଖିଛି। ଏହି ନୂଆ ନିୟମ ଦ୍ୱାରା କମ୍ପାନୀ ମଧ୍ୟ ଗ୍ରାହକଙ୍କ ମେସେଜ ପଢ଼ିବା କଷ୍ଟକର ବ୍ୟାପାର। ଭବିଷ୍ୟତରେ ମଧ୍ୟ କୌଣସି ଆକାଉଣ୍ଟ ଡିଲିଟ କରିବା ଯୋଜନା ରଖାଯାଇନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଲୋକମାନେ କେଉଁ ଭଳି ଡାଟା ଶେୟାର କରିବେ ଏବଂ କେଉଁ ଆପ୍ଲିକେଶନ ବ୍ୟବହାର କରିବେ ତାହା ନିଜସ୍ବ ପ୍ରସଙ୍ଗ। ଏଣୁ ବାଧ୍ୟ କରାଇ କିଛି କରାଇବା ଠିକ୍‌ ନୁହେଁ ବୋଲି କ୍ୟାସ୍‌ପର ସ୍କାଏର ସିନିୟର ରିସର୍ଚ୍ଚର ଆନା ଲାର୍କିନା କହିଛନ୍ତି।

Share