ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଅନୁଧ୍ୟାନ କରିଛନ୍ତି। ବିଧାୟକ ନାୟକ ବିଭିନ୍ନ ୱାର୍ଡ ବୁଲି ବର୍ଷାଜନିତ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବା ସହ ଏହାର ଶୀଘ୍ର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିଶେଷ କରି ବର୍ଷା ଯୋଗୁ ଅଞ୍ଚଳରେ ନିଷ୍କାସନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇ ଜଳବନ୍ଦୀ ସମସ୍ୟା ଉପୁଜିଥିବା ନେଇ ସ୍ଥାନୀୟ ବାସିନ୍ଦା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକଙ୍କ ସମସ୍ୟା ଶୁଣିବା ପରେ ବିଧାୟକ ତୁରନ୍ତ ଘଟଣାସ୍ଥଳରୁ ବିଭାଗୀୟ ଅଧିକାରୀମାନଙ୍କ ସହ କଥା ହୋଇ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଏହା ପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ବିଧାୟକ ଗଞ୍ଜାମ ବ୍ଲକ୍ର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରି ବର୍ଷା ଓ ନଦୀଜଳ ବୃଦ୍ଧିଜନିତ ସ୍ଥିତି ଅନୁଧ୍ୟାନ କରିବା ସହ ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କ ସୁରକ୍ଷା ଓ ସହାୟତା ଯୋଗାଣ ଉପରେ ଗୁରୁତ୍ୱ ଦେଇଥିଲେ।
ଏହି ପରିଦର୍ଶନ ସମୟରେ ତହସିଲଦାର ସୁକାନ୍ତ ମିଶ୍ର, ଏନ୍ଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ବିନୋଦ ପାଢ଼ୀଙ୍କ ସମେତ ବିଭାଗୀୟ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।