ମହିଳାଙ୍କୁ ଛୁରିରେ ଆକ୍ରମଣ: ଅଭିଯୁକ୍ତଙ୍କୁ ପିଟିପିଟି ମାରିଦେଲେ ସମ୍ପର୍କୀୟ

କୋରୁକୋଣ୍ଡା,୩୧।୮(ଅବିନାଶ ବେହେରା): ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଉଥିବା ଜଣେ ଅଭିଯୁକ୍ତଙ୍କୁ ଧରି ପିଟିପିଟି ମାରିଦେବା ଘଟଣା ସାମ୍ନାକୁ ଆସିଛି। ଏହିପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲା କାଲିମେଳା ବ୍ଲକ ସଦର ଥାନା ଚିନ୍ତାଳୱାଡ଼ା ପଞ୍ଚାୟତ ଅନ୍ତର୍ଗତ ମାଝୀଗୁଡ଼ା ଗ୍ରାମରେ। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ଜଣଙ୍କୁ  ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ମାଝୀଗୁଡା ଗ୍ରାମର ମୁକା ମାଢିଙ୍କ ସ୍ତ୍ରୀ ମଣି ମାଢି(୨୪) ନଳକୂପରେ ବାସନ ଧୋଉ ଥିଲେ। ସେତିକିବେଳେ ଗ୍ରାମର ଦେବା ମାଡ଼କାମୀ ନାମକ ବ୍ୟକ୍ତି ଏକ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ସେତିକିବେଳେ କେତେଜଣ ଲୋକେ ଦୌଡ଼ି ଆସିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆକ୍ରମଣରେ ମହିଳାଙ୍କ ବେକ ଏବଂ ଓଠରେ ଗଭୀର ଆଘାତ ଲାଗିଥିଲା। ପରିବାର ଲୋକେ ମଣିଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ କାଲିମେଳା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l

କୋରୁକୋଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ସୂଚନା ମୁତାବକ, ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତଙ୍କୁ କିଛି ଲୋକ ଧରି ନିସ୍ତୁକ ମାଡ଼ କରିଥିଲେ। ଫଳରେ ଅଭିଯୁକ୍ତ ଦେବାଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ରାସ୍ତା କଡରେ ଥିବା ଏକ ଗଛରେ ମୃତଦେକୁ ଝୁଲାଇ ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି  ତଦନ୍ତ ଆରମ୍ଭ କରିଥିଲା। ଏପରିକି ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ୪ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା।

ଅଭିଯୋଗ ପରେ ପୋଲିସ କାମୱାଡା ଗ୍ରାମର ଗଙ୍ଗା ମାଢ଼ି, ରାମା ମାଢ଼ି, ଇର୍ମା ମାଢ଼ିଙ୍କ ସମେତ ଚିନ୍ତଲୱାଡା ଗ୍ରାମର ଭିମା ମାଢ଼ିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କୋରୁକୋଣ୍ଡା ଥାନା ଭାର ପ୍ରାପ୍ତ ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି l ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।