କରୋନା ମୃତକଙ୍କ ପାଇଁ ନିୟମାବଳୀ: ଶବ ସଂସ୍କାର ବେଳେ ଉପସ୍ଥିତ ରହିପାରିବେ ସମ୍ପର୍କୀୟ

ଭୁବନେଶ୍ୱର,୨୬।୭(ବ୍ୟୁରୋ): କୋଭିଡ୍‌-୧୯ ଆକ୍ରାନ୍ତ ମୃତକଙ୍କ ଶବ ସତ୍କାରକୁ ନେଇ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ସତ୍କାର ନ ହୋଇ ମୃତଦେହ ବହୁ ସମୟ ଧରି ପଡିରହୁଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହ ସତ୍କାରକୁ ନେଇ ଶନିବାର ରାଜ୍ୟ ସରକାର ଏକ ଗାଇଡ୍‌ଲାଇନ ଜାରି କରିଛନ୍ତି । ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲାପାଳ ଓ ସମସ୍ତ ମହାନଗର ନିଗମ କମିଶନରଙ୍କୁ ଗାଇଡ୍‌ଲାଇନ ପାଳନ କରିବା ନେଇ ଜଣାଇ ଦିଆଯାଇଛି।

ନୂତନ ଗାଇଡ୍‌ଲାଇନରେ କରୋନା ମୃତ ବ୍ୟକ୍ତି ଆଇସୋଲେଶନ ଓ୍ବାର୍ଡରୁ ବାହାରିବା ବେଳେ ଯଦି ସମ୍ପର୍କିତ ମୃତଦେହ ଦେଖିବାକୁ ଚାହିଁବେ ତେବେ ସେମାନଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ ପୂର୍ବକ ଦେଖିବାକୁ ସୁଯୋଗ ଦିଆଯିବ। ଶବ ସଂସ୍କାର ବେଳେ ପରିବାର ସଦସ୍ୟମାନେ ମୃତଦେହକୁ ନ ଛୁଇଁ ନିଜ ଧର୍ମ ଅନୁସାରେ ରୀତିନୀତି କରିପାରିବେ। ସର୍ବନିମ୍ନ ଦୂରତା ରକ୍ଷା କରିବା ସହିତ ସ୍ବାସ୍ଥ୍ୟଗତ ପୂର୍ବସତର୍କତା ଅବଲମ୍ବନ କରିବେ। ହାତରେ ଗ୍ଲୋବ୍‌ସ ପିନ୍ଧିବା ସହିତ ସର୍ବସାଧାରଣ ସ୍ଥାନରେ ଛେପ ପକାଇ ପାରିବେ ନାହିଁ। ମୃତଦେହକୁ ଛୁଇଁବା, ଗାଧୋଇ ଦେବା, ଚୁମା ଦେବା କିମ୍ବା କୁଣ୍ଢାଇବାକୁ ବାରଣ କରାଯାଇଛି। ଶବ ସଂସ୍କାର ପରେ ପରିବାର ଲୋକ ଚାହିଁଲେ ଚିତାଭସ୍ମ ନେଇପାରିବେ। ଶବଦାହ ବେଳେ ୨୦ ଜଣରୁ ଅଧିକ ବ୍ୟକ୍ତି ଉପସ୍ଥିତ ରହିବେ ନାହିଁ। ଯଦି ପରିବାରର କୌଣସି ଲୋକ ଶବ ସତ୍କାର ବେଳେ ରହିବାକୁ ଚାହିଁବେ ନାହିଁ ତେବେ ମୃତଦେହକୁ ବ୍ୟକ୍ତିଙ୍କ ଧର୍ମ ଅନୁଯାୟୀ ସଂସ୍କାର କରାଯିବ। ଯଦି ମୃତବ୍ୟକ୍ତିଙ୍କର କୌଣସି ଧର୍ମ ଜଣାପଡିବ ନାହିଁ ତେବେ ଯେ କୌଣସି ଗୋଟିଏ ଉପାୟରେ ସତ୍କାର କରାଯିବ। ଏଥିସହିତ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଶବ ସଂସ୍କାର ପାଇଁ ଜାରି କରାଯାଇଥିବା କୋଭିଡ୍‌-୧୯ ଗାଇଡ୍‌ଲାଇନକୁ ମଧ୍ୟ କଡ଼ାକଡି ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର କୋଭିଡ୍‌-୧୯ରେ ପ୍ରାଣ ହରାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ମୃତଦେହକୁ ସଂସ୍କାର କରିବା ପାଇଁ ୭,୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପୂର୍ବରୁ ଘୋଷଣା କରିଛନ୍ତି।