Categories: ବାଣିଜ୍ୟ

ଆରମ୍ଭ ହୋଇପାରେ ରେଗୁଲାର ଟ୍ରେନ୍‌

ନୂଆଦିଲ୍ଲୀ,୨୫ା୧: କରୋନା ପାଇଁ ରେଲଓ୍ବେ ଏହାର ନିୟମିତ ରେଳ ସେବାକୁ ବନ୍ଦ କରିବାକୁ ପଡିଥିଲା। ଇତିହାସରେ ପ୍ରଥମ ଥର ଲାଗି ରେଲଓ୍ବେର ଚକା ଗଡି ନ ଥିଲା। କରୋନା ସଂକ୍ରମଣ ମାମଲା ହ୍ରାସ ଏବଂ ଭ୍ୟାକସିନ ପ୍ରୋଗ୍ରାମ ଆରମ୍ଭ ହୋଇଥିବାରୁ ରେଲଓ୍ବେ ଏହାର ନିୟମିତ ସେବା ଆରମ୍ଭ କରିବା ଲାଗି ବିଚାର କରୁଛି। ଯଦି ସବୁ ଠିକ୍‌ଠାକ୍‌ ଚାଲେ ତେବେ ଏପ୍ରିଲ ବେଳକୁ ରେଳ ସେବା ସ୍ବାଭାବିକ ହେବାର ସମ୍ଭାବନା ରହିଛି। ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ, କରୋନା ଯୋଗୁ ବନ୍ଦ ଥିବା ରେଲଓ୍ବେ ଯାତ୍ରୀ ସେବା ଏପ୍ରିଲରୁ ପୂର୍ବ ଭଳି ମିଳିପାରେ। ଏହାବାଦ ରେଲଓ୍ବେ ନୂଆ ସମୟ ସୂଚୀ ମଧ୍ୟ କାର୍ଯ୍ୟକାରୀ କରାଇପାରେ। କରୋନା ପାଇଁ ରେଲଓ୍ବେ ବର୍ତ୍ତମାନ ସ୍ପେଶାଲ ଟ୍ରେନ ଚଳାଉଛି। ଏହା ସମ୍ପୂର୍ଣ୍ଣ ଭାବେ ସଂରକ୍ଷିତ ଶ୍ରେଣୀର ବୋଲି ଜଣାପଡିଛି।
ସ୍ଥାନରେ ଲୋକାଲ ଏବଂ ସହରତଳୀ ଟ୍ରେନ ସେବା ଉପଲବ୍ଧ ରହିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ମଧ୍ୟ ୩୫% ଟ୍ରେନ ବନ୍ଦ ରହିଛି। ଟିକାକରଣ ଆରମ୍ଭ ହୋଇଥିବାରୁ ପୁଣି ଥରେ ଯାତ୍ରୀ ସେବା ଆରମ୍ଭ କରିବା ନେଇ ରେଲଓ୍ବେ ସମୀକ୍ଷା କରୁଛି। ବର୍ତ୍ତମାନ ୧୧୫୦ ସ୍ବତନ୍ତ୍ର ଟ୍ରେନ ଚାଲୁଥିବା ବେଳେ ଲଗାତର ଏହି ସଂଖ୍ୟାରେ ବୃଦ୍ଧି ହେଉଛି। ଆଗାମି ଦିନରେ ଟ୍ରେନ ପରିଚାଳନାର ଆବଶ୍ୟକତାକୁ ନେଇ ନୂଆ ଟାଇମ ଟେବୁଲ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି। ଟ୍ରେନ ସଂଖ୍ୟା ସହ ଗତିରେ ମଧ୍ୟ ବୃଦ୍ଧି କରାଯିବ। ନିୟମିତ ଟ୍ରେନ ଚାଳନା ସମୟରେ ଟାଇମ ଟେବୁଲ ଲାଗୁ କରାଯିବ କି ପରେ କରାଯିବ ସେ ନେଇ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମହାମାରୀ ରହିଥିବାରୁ ରେଳ ସେବାକୁ ସମ୍ପୂର୍ଣ୍ଣ ସ୍ବାଭାବିକ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ମଞ୍ଜୁରୀ ଲୋଡା ପଡିବ। ମାର୍ଚ୍ଚରେ କରୋନା ସ୍ଥିତିରେ ନିୟନ୍ତ୍ରଣ ଆସିବା ନେଇ ଆଶା ରହିଛି। ଏହା ହେଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପ୍ରସ୍ତାବିତ ଏହି ସେବାକୁ ମଞ୍ଜୁରୀ ଦେଇ ପାରେ। ସମ୍ପୂର୍ଣ୍ଣ ସେବା ଉପଲବ୍ଧ କରାଇବାକୁ ରେଳଓ୍ବେ ପ୍ରସ୍ତୁତ ଥିବା ପୂର୍ବରୁ କହି ସାରିଛି। ହେଲେ କୋଭିଡ ସ୍ଥିତି କୁ ନଜରରେ ରଖି ସତର୍କ ରହିବାକୁ ପଡୁଛି।

Share