୧୪ କଲେଜରେ ଆରମ୍ଭ ହେବ ରେଗୁଲାର ଆଇଟିଇପି

ଭୁବନେଶ୍ୱର, ୧୪।୫(ବ୍ୟୁରୋ): ରାଜ୍ୟର ୧୧ ସରକାରୀ ଡିଗ୍ରୀ କଲେଜ ଓ ୩ ମଡେଲ ଡିଗ୍ରୀ କଲେଜରେ ୨୦୨୩-୨୪ ଶିକ୍ଷାବର୍ଷରୁ ୪ବର୍ଷିଆ ସମନ୍ବିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ଇଣ୍ଟିଗ୍ରେଟେଡ୍‌ ଟିଚର ଏଜୁକେଶନ ପ୍ରୋଗ୍ରାମ ବା ଆଇଟିଇପି) ରେଗୁଲାର ଭାବେ ଆରମ୍ଭ ହେବ। ବର୍ତ୍ତମାନ ଏସବୁ କଲେଜରେ ଦୁଇବର୍ଷିଆ ସ୍ନାତକୋତ୍ତର ଶିକ୍ଷା ପାଠ୍ୟକ୍ରମ (ବିଏଡ୍‌) ସେଲ୍‌ଫ ଫାଇନାନ୍ସିଂ ମୋଡ୍‌ରେ ଚାଲିଛି। ଏହି ପାଠ୍ୟକ୍ରମ ପରିବର୍ତ୍ତେ ରେଗୁଲାର ବା ନିୟମିତ ଆଇଟିଇପି ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସମ୍ପୃକ୍ତ କଲେଜଗୁଡ଼ିକୁ ଚିଠି ଲେଖି ଜଣାଇଛନ୍ତି। ଜାତୀୟ ଶିକ୍ଷାନୀତି-୨୦୨୦ ଅନୁସାରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟରେ ଥିବା ସମସ୍ତ ୧୬ଟି ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ବିଏଡ୍‌ ପାଠ୍ୟକ୍ରମ ଜାରି ରଖିବେ ଓ ଏଥିମଧ୍ୟରୁ ପାଞ୍ଚଟି ଶିକ୍ଷାନୁଷ୍ଠାନରେ ଏମ୍‌ଏଡ୍‌ ପାଠ୍ୟକ୍ରମ ପ୍ରଦାନ କରାଯିବ। ଏଥିପାଇଁ ଏହି ଅନୁଷ୍ଠାନଗୁଡ଼ିକୁ ମେ’ ୩୧ ସୁଦ୍ଧା ନ୍ୟାଶନାଲ କାଉନ୍‌ସିଲ ଫର୍‌ ଟିଚର ଏଜୁକେଶନ (ଏନ୍‌ସିଟିଇ)ରେ ଆବେଦନ କରିବାକୁ ଉକ୍ତ ଚିଠିରେ କୁହାଯାଇଛି।