ଭୋଟର ତାଲିକାରେ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଚାଲିଛି: ତୁରନ୍ତୁ କରନ୍ତୁ ଆବେଦନ

ଭୁବନେଶ୍ୱର,୫।୩(ସୁନିତ୍‌ ମିଶ୍ର):ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା ଗତ ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବା ପରେ ଏହାର ପରଦିନଠାରୁ ଭୋଟର ତାଲିକାରେ ନିରନ୍ତର ଅଦ୍ୟତନ କାର୍ଯ୍ୟ ଚାଲୁଛି। ଇତିମଧ୍ୟରେ ଭୋଟର ତାଲିକାରେ ୧.୯୦ ଲକ୍ଷ ନୂଆ ଭୋଟର ଯୋଗ ଦେଇଛନ୍ତି ଓ ରାଜ୍ୟରେ ଗତ ୨ ମାସରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୩.୩୨ କୋଟିରୁ ବଢ଼ି ୩.୩୪ କୋଟିରେ ପହଞ୍ଚତ୍ଛି। ଏହି ସମୟରେ ୩୬ ହଜାର ଯୁବ ନିର୍ବାଚକ ଭୋଟର ତାଲିକାରେ ଯୋଗଦେବା ଫଳରେ ଯୁବ ଭୋଟରଙ୍କ ସଂଖ୍ୟା ୭.୫୪ ଲକ୍ଷରୁ ବଢ଼ି ୭.୯୧ ଲକ୍ଷରେ ପହଞ୍ଚିଛି। ୫୮ ହଜାର ଦିବ୍ୟାଙ୍ଗ ଭୋଟର ତାଲିକାରେ ଯୋଡ଼ିହେବା ଫଳରେ ଦିବ୍ୟାଙ୍ଗ ଭୋଟର ସଂଖ୍ୟା ୪.୫୭ ଲକ୍ଷରୁ ବଢ଼ି ୫.୧୫ ଲକ୍ଷରେ ପହଞ୍ଚିଛି। ଏହା ବ୍ୟତୀତ ଲକ୍ଷେରୁ ଅଧିକ ମହିଳା ଭୋଟର ତାଲିକାରେ ଯୋଡ଼ିହେବା ଫଳରେ ଲିଙ୍ଗ ଅନୁପାତ ୯୭୨ରୁ ବଢ଼ି ୯୭୪ରେ ପହଞ୍ଚିଛି। ଯେଉଁ ଯୋଗ୍ୟ ଭୋଟରମାନେ ଏବେ ସୁଦ୍ଧା ତାଲିକାରେ ନାମ ପଞ୍ଜୀକରଣ କରିନାହାନ୍ତି, ସେମାନେ ଫର୍ମ ନଂ ୬ରେ, ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଓ ସ୍ଥାନାନ୍ତରଣ ନିମନ୍ତେ ଭୋଟର ଫର୍ମ ନଂ-୮ରେ ଆବେଦନ କରିପାରିବେ। ଏ ବାବଦରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ମଧ୍ୟ ଭୋଟର ତାଲିକାରେ ନାମ ପଞ୍ଜୀକରଣ ଓ ତ୍ରୁଟି ସଂଶୋଧନ କାର୍ଯ୍ୟରେ ଭୋଟରଙ୍କୁ ସହାୟତା କରୁଛନ୍ତି। ଏହା ସହିତ ଅନ୍‌ଲାଇନ୍‌ ମାଧ୍ୟମରେ ପୋର୍ଟାଲ କିମ୍ବା ଭୋଟର ହେଲପ୍‌ଲାଇନ୍‌ ଆପ୍‌ ଡାଉନ୍‌ଲୋଡ୍‌ କରି ଜଣେ ନିର୍ବାଚକ ଭୋଟର ତାଲିକାରେ ନାମ ପଞ୍ଜୀକରଣ ଓ ତ୍ରୁଟି ସଂଶୋଧନ ଇତ୍ୟାଦି କାର୍ଯ୍ୟ କରିପାରିବେ ବୋଲି ମୁଖ୍ୟ ନିିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।