ନିନ୍ଦିତ ଈଶ୍ୱରଙ୍କ ସମ୍ପର୍କରେ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

ଈଶ୍ୱର ପୁଣି ନିନ୍ଦିତ! ସକଳ ନିନ୍ଦା ପ୍ରଶଂସାର ଊର୍ଦ୍ଧ୍ୱରେ ବୋଲି ତ ତାଙ୍କ ନାମ ଈଶ୍ୱର। ମଣିଷ ସିନା ପ୍ରଶଂସାରେ ଉଲ୍ଲସିତ ହୁଏ ଓ ନିନ୍ଦାରେ ହୁଏ ମର୍ମାହତ; ମାତ୍ର ଈଶ୍ୱରଙ୍କୁ ପ୍ରଶଂସା କଲେ ଅବା ଗଳା ଫଟାଇ ତାଙ୍କର ନିନ୍ଦା କଲେ ତାଙ୍କ ଈଶ୍ୱରତ୍ୱର ମାନ ବଢ଼ିଯାଏ ନାହିଁ କି କମିଯାଏ ନାହିଁ। ନିନ୍ଦା ପ୍ରଶଂସା, ଶତ୍ରୁ ମିତ୍ର ବା ଧନୀ ଗରିବ ନିର୍ବିଶେଷରେ ସମଗ୍ର ସୃଷ୍ଟିର ସମସ୍ତ ଅଧିବାସୀଙ୍କୁ ସମାନ ଭାବରେ ଦେଖୁଥିବା ଭଳି ଦିବ୍ୟ ଗୁଣର ଅଧିକାରୀଙ୍କ ଅନ୍ୟ ନାମ ଈଶ୍ୱର। ତାଙ୍କ ସ୍ଥିତିକୁ ସ୍ବୀକାର କରୁଥିବା ଅବା ତାଙ୍କ ଅସ୍ତିତ୍ୱକୁ ଅବଜ୍ଞା କରୁଥିବା ସମସ୍ତଙ୍କ ପାଇଁ ସେ ସର୍ବତୋଭାବେ ସମାନ। ତେବେ କିଏ ଏହି ନିନ୍ଦିତ ଈଶ୍ୱର!
ଏ ଈଶ୍ୱର ସ୍ବର୍ଗରେ ଅବା ଦେବଲୋକରେ ନ ଥାନ୍ତି। ଏଇଠି ଅନ୍ୟମାନଙ୍କ ଗହଣରେ ଏମାନେ ଆତଯାତ ହୁଅନ୍ତି ଓ ନିଜ ନିଜର କର୍ତ୍ତବ୍ୟ ପରିସରରେ ଅନନ୍ୟତା ହାସଲ କରିଥିବାର ସାଧାରଣ ମଣିଷର ସୀମା ସରହଦ ଡେଇଁ ଈଶ୍ୱର ପଦବାଚ୍ୟ ହୋଇଯାଆନ୍ତି। ଆମ ସମାଜରେ ମୁଖ୍ୟତଃ ଦୁଇଟି ବୃତ୍ତିରେ ନିୟୋଜିତ ବୃତ୍ତିଧାରୀମାନେ ସଚରାଚର ଈଶ୍ୱର ଭାବେ ମାନ୍ୟତା ଅର୍ଜନ କରିଥା’ନ୍ତି। ଏମାନେ ହେଲେ ଡାକ୍ତର ଓ ଶିକ୍ଷକ। ଡାକ୍ତରଙ୍କୁ ଦ୍ୱିତୀୟ ଈଶ୍ୱର କୁହାଯାଏ। ଈଶ୍ୱର ସିନା ଶରୀରଟିଏ ସୃଷ୍ଟି କରି ସଂସାରକୁ ପଠାଇଥା’ନ୍ତି, ମାତ୍ର ସେଇ ଶରୀରର ସୁଷମ ପରିପୁଷ୍ଟିର ଦାୟିତ୍ୱ ଯେଉଁ ବିଶାରଦମାନଙ୍କର, ସେମାନେ ଈଶ୍ୱରଙ୍କଠୁଁ କମ୍‌ ମହାନ୍‌ ନୁହନ୍ତି। ନାନା ରୋଗ ବ୍ୟାଧି, ଶାରୀରିକ ଘାତ ପ୍ରତିଘାତରେ ଘାଣ୍ଟି ହୋଇ ମାନବ ଶରୀର ଯେତେବେଳେ ରୋଗ ଜ୍ୱାଳାରେ ଜଳୁଥାଏ, ସେତେବେଳେ ତହିଁରେ ନିଜ ଧନ୍ବନ୍ତରୀ ହାତର ଶୀତଳ ଚନ୍ଦନ ବୋଳି ଜ୍ୱଳନମୁକ୍ତ କରୁଥିବା ଡାକ୍ତରମାନେ ପାଲଟିଯା’ନ୍ତି ଜଣେ ଜଣେ ଦ୍ୱିତୀୟ ଈଶ୍ୱର। ଡାକ୍ତରଙ୍କ ଦେୟ କୁହାଯାଉଥିବା ସାମାନ୍ୟ କିଛି ଅର୍ଥ ବିନିମୟରେ ଏଇ ଈଶ୍ୱରତ୍ୱ କମାଯାଏ ବୋଲି ଉପରକୁ ପ୍ରତୀୟମାନ ହୁଏ ସିନା, ବାସ୍ତବରେ ବ୍ୟାଧିମୁକ୍ତ ମଣିଷର କୃତଜ୍ଞ ଅନ୍ତରରୁ ଯେଉଁ ମୁଗ୍‌ଧ ଆଶ୍ୱସ୍ତି ଟିକକ ଝରିପଡ଼େ ଓଠର ଓ ଆଖିର ଲୁହ ହୋଇ; ତାହା ହିଁ ଏଇ ଈଶ୍ୱରଙ୍କ ପାଇଁ ପ୍ରକୃତ ଭକ୍ତି ନୈବେଦ୍ୟ।
ଅଥଚ ବିଡ଼ମ୍ବନାର ବିଷୟ ଏହା ଯେ, ଏହି ଈଶ୍ୱରମାନଙ୍କ ମଧ୍ୟରୁ ବେଶ୍‌ କେତେକ ସେମାନଙ୍କ ଦିବ୍ୟ ଈଶ୍ୱରତ୍ୱକୁ ଛୁଟିରେ ପଠାଇ ପାଲଟି ଯା’ନ୍ତି ରାକ୍ଷସଠୁଁ ବଳି ଆହୁରି ଇତର, ଆହୁରି ପାମର। ପୁଳାଏ ଅର୍ଥ ଅର୍ଜନ କରିବାର ଅଭିଳାଷ ଏମାନଙ୍କୁ ଏମିତି ଉଚ୍ଚାଟ କରେ ଯେ ନିଜ ଅଜାଣତରେ ଏମାନେ ଅର୍ଥମୋହ ଭଳି ଏକ ବିଚିତ୍ର ବ୍ୟାଧିରେ ଆକ୍ରାନ୍ତ ହୋଇପଡ଼ନ୍ତି। ପରିଣାମ ହୁଏ ଅତ୍ୟନ୍ତ ଭୟାବହ। ବହୁ କଠୋର ସାଧନାର ସିଦ୍ଧି ସ୍ବରୂପ ଯେଉଁ ଈଶ୍ୱରତ୍ୱ ଉପଲବ୍ଧ ହୋଇଥାଏ, ଅର୍ଥମୋହର ଆକ୍ରମଣରେ ସେଇ ଦିବ୍ୟ ଉପଲବ୍ଧି ଅକାଳରେ ଅପସରିଯାଏ। ବଦଳରେ ନିଜ ଭିତରେ ଥିବା ମୂଳ ମଣିଷଟିକୁ ନିକାଲି ଦେଇ କାୟା ବିସ୍ତାର କରେ ଅର୍ଥଲୋଲୁପ ଭୟଙ୍କର ଅସୁରଟିଏ, ଯିଏ ଗରିବ ରୋଗୀଟି ପାଖରୁ ପାଉଣା ନ ପାଇଲେ ଲେଖିଥିବା ପ୍ରେସ୍‌କ୍ରିପ୍‌ସନକୁ ଚିରିପକାଏ ଓ ଅପରେଶନ ଅଧା ରଖି ବାକି ଟଙ୍କା ଜମା ନ ଦେଲେ ଅବଶିଷ୍ଟ ଅପରେଶନ ହେବ ନାହିଁ ବୋଲି ଶୁଣାଇଦିଏ।
କାହାକୁ ରୋଗ ହେଲେ ଯେଉଁଠି କିଛି ଡାକ୍ତରଙ୍କୁ ଶୋଷଣ କରିବାର ଏକ ସୁବର୍ଣ୍ଣ ସୁଯୋଗ ମିଳିଥାଏ, ଯେଉଁଠି ମୃତ୍ୟୁର ଭୟ ଦେଖାଇ ଜୀବନକୁ ସବୁମତେ ଲୁଣ୍ଠନ କରାଯାଏ କେବଳ ପରୀକ୍ଷାଗାରରୁ ମୋଟା ଅଙ୍କର କମିଶନ ପାଇବା ପାଇଁ ଆବଶ୍ୟକତା ନ ଥାଇ ମଧ୍ୟ ଦୁଇଟା ଜାଗାରେ ବାରଟା ଅନାବଶ୍ୟକ ପରୀକ୍ଷା କରିବାକୁ ବାଧ୍ୟ କରାଯାଏ। ପୁଣି ରୋଗୀ ସୁସ୍ଥ ହୋଇଗଲା ପରେ ମଧ୍ୟ ଅଧିକ ରୋଜଗାର ପାଇଁ ରୋଗୀକୁ ଡିସ୍‌ଚାର୍ଜ କରାଯାଏ ନାହିଁ ଏବଂ ସର୍ବୋପରି ରୋଗୀ ମରିଗଲା ପରେ ବି ମୋଟା ଅଙ୍କର ବିଲ୍‌ ପରିଶୋଧ ନ କରିବା ଯାଏଁ ଶବକୁ ଅଟକାଇ ରଖାଯାଏ, ଯେଉଁଥିପାଇଁ ସବୁଦିନ ଲାଗି ସଂସାରକୁ ପିଠି କରି ବାହୁଡ଼ି ଯାଉଥିବା ଲୋକର ଶବ ଉପରେ ଟିକିଏ ମୁଣ୍ଡ କୋଡ଼ି କାନ୍ଦିବାକୁ ଜ୍ଞାତି ପରିଜନଙ୍କୁ ସୁଯୋଗ ମିଳେନାହିଁ; ସେଠି ଡାକ୍ତରଙ୍କୁ ମଣିଷ କହିବାକୁ ବି କଷ୍ଟ ଲାଗିବ, ଈଶ୍ୱର କହିବା ତ ଦୂରର କଥା। ଯେଉଁଠି କେବଳ ପୁଳାଏ ଟଙ୍କା ରୋଜଗାର କରିବାକୁ ଆପେଣ୍ଡିସାଇଟିସ୍‌ ଭଳି ମାମୁଲି ଅପରେଶନ କରିବାକୁ ଆସିଥିବା ରୋଗୀର ଅଣ୍ଟା ଚିରି କିଡ୍‌ନୀ କାଢ଼ି ନିଆଯାଏ, ସେଠି ଡାକ୍ତରଙ୍କୁ ଈଶ୍ୱର କହିଲେ କେବଳ ଈଶ୍ୱରଙ୍କର ଅସମ୍ମାନ ହେବନାହିଁ, ବରଂ ଈଶ୍ୱର ଭଳି ଏକ ଦିବ୍ୟ ଶବ୍ଦର ମଧ୍ୟ ଅପମାନ ହେବ।
କେବଳ ଅର୍ଥମୋହ ନୁହେଁ, ନାରୀମୋହରେ ବି ଆକ୍ରାନ୍ତ କେତେକ ତଥାକଥିତ ଦ୍ୱିତୀୟ ଈଶ୍ୱର, ଯାହାର ପ୍ରମାଣ ମିଳିଥିଲା ଅଳ୍ପଦିନ ତଳେ ଓଡ଼ିଶାର ସବୁଠୁ ନିର୍ଭରଯୋଗ୍ୟ ବଡ଼ ଡାକ୍ତରଖାନାରେ। ଚିକିତ୍ସା କରିବା ନଁାରେ ନିମ୍ନତମ ନୈତିକତାକୁ ପାସୋରି ପକାଇଥିବା ଏହି ଦ୍ୱିତୀୟ ଈଶ୍ୱରମାନଙ୍କୁ କେବଳ ଚାକିରିରୁ ବହିଷ୍କାର କରିବା ଯଥେଷ୍ଟ ନୁହେଁ, ସେମାନଙ୍କୁ ଏମିତି ଦଣ୍ଡିତ କରିବା ସମୀଚୀନ ହେବ, ଯାହାଙ୍କୁ ଦେଖି ରୋଗୀର ଶରୀର କଷ୍ଟ ନିବାରଣ କରିବା ପାଇଁ ସମର୍ପିତ ଏଇ ଦ୍ୱିତୀୟ ଈଶ୍ୱରମାନେ ନିଜ ଶରୀରର କ୍ଷୁଧା ନିବାରଣ କରିବା ଭଳି ଅସୁରଟିଏ ହେବାକୁ ଭୟ କରିବେ।
ମର୍ତ୍ତ୍ୟର ଈଶ୍ୱର ବୋଲାଉଥିବା ଆଉ ଏକ ବୃତ୍ତିଧାରୀ ହେଲେ ଶିକ୍ଷକ, ଯାହାଙ୍କୁ ଡାକ୍ତରଙ୍କ ଭଳି ‘ଦ୍ୱିତୀୟ ଈଶ୍ୱର’ ନାମ ନ ଦେଇ ଆମ ଶାସ୍ତ୍ରକାରମାନେ ତାଙ୍କୁ ‘ସାକ୍ଷାତ୍‌ ଈଶ୍ୱର’ର ମର୍ଯ୍ୟାଦା ଦେଇଛନ୍ତି। କେବଳ ଭାରତବର୍ଷ ଭଳି ଏକ ସଂସ୍କାରସିଦ୍ଧ ଦେଶ ନୁହେଁ, ବିଶ୍ୱର ପ୍ରତ୍ୟେକ ଭୂଖଣ୍ଡରେ ଶିକ୍ଷକଙ୍କୁ ଈଶ୍ୱରଙ୍କ ସମତୁଲ ଭାବେ ବିବେଚନା କରାଯାଇଛି। ପ୍ରାଚୀନ ପରମ୍ପରାର ଗୁରୁକୁଳ ଆଶ୍ରମଠୁ ଆରମ୍ଭ କରି ଆଧୁନିକ ଯୁଗର ବିଶ୍ୱବିଦ୍ୟାଳୟ ଯାଏ, ସବୁଠି ସବୁକାଳରେ ନିଜ ଜୀବନ ଗଠନର ପ୍ରସ୍ତୁତିପର୍ବରେ ନିୟୋଜିତ ଥିବା ବିଦ୍ୟାର୍ଥୀର ହାତ ଧରି ବାଟ କଢ଼ାଇ ନେଉଥିବା ମାର୍ଗଦର୍ଶକଙ୍କ ନାମ ଶିକ୍ଷକ ବା ଆଚାର୍ଯ୍ୟ। ଜଣେ ଛାତ୍ର ବା ଛାତ୍ରୀଙ୍କ ଜୀବନରେ ତା’ ମାତାପିତାଙ୍କ ପରେ କେବଳ ଶିକ୍ଷକ ହିଁ ଏକମାତ୍ର ବ୍ୟକ୍ତି, ଯାହାଙ୍କୁ ସେ ଈଶ୍ୱରଙ୍କ ସାକ୍ଷାତ୍‌ ରୂପ ବୋଲି ମାନିନିଏ ଓ ତାଙ୍କ ମୁହଁର ବାଣୀକୁ ବେଦବାକ୍ୟ ବୋଲି ବିବେଚନା କରେ। ଏଥିପାଇଁ ବୋଧହୁଏ ସେଦିନ ପାଶ୍ଚାତ୍ୟ ଜଗତର ବିଶିଷ୍ଟ ଦାର୍ଶନିକ ବର୍ଟ୍ରେଣ୍ଡ ରସେଲ୍‌ କହିଲେ, ”ସମସ୍ତେ ସ୍ବର୍ଗ ସ୍ବର୍ଗ ବୋଲି କହନ୍ତି, ମାତ୍ର ଏ ସଂସାରର କେହି ଜଣେ ବି ସ୍ବର୍ଗର ଠିକଣା ଜାଣିନାହାନ୍ତି। କିନ୍ତୁ ମୁଁ ଏମିତି ଏକ ସମ୍ପ୍ରଦାୟକୁ ଜାଣେ, ଯିଏ ତୁମକୁ ସ୍ବର୍ଗର ନିକଟବର୍ତ୍ତୀ ସ୍ଥାନକୁ ନେଇ ଯାଇପାରିବେ। ଏବଂ ସେମାନେ ହେଉଛନ୍ତି- ତୁମ ଶିକ୍ଷକ।“
ନିକଟ ଅତୀତରେ ଟିଭି ସମାଚାରରେ ଏମିତି ଜଣେ ସ୍ବର୍ଗଦ୍ରଷ୍ଟା ଶିକ୍ଷକଙ୍କ ଅପୂର୍ବ ଅବସରକାଳୀନ ଶୋଭାଯାତ୍ରା ଦେଖି ଲାଗୁଥିଲା ଦାର୍ଶନିକ ରସେଲ୍‌ କିଛି ଭୁଲ୍‌ କହିନାହାନ୍ତି। ପ୍ରାୟ ଚାଳିଶ ବର୍ଷ ଶିକ୍ଷାଦାନ କରି ଅବସର ନେଇଥିବା ଏହି ଯଶସ୍ବୀ ଶିକ୍ଷକଙ୍କୁ ଏକ ସୁସଜ୍ଜିତ ଗାଡ଼ିରେ ପଟୁଆର କରି ତାଙ୍କ ଘରକୁ ନେଇଥିଲେ ପ୍ରାୟ ପାଞ୍ଚଶହ ଲୋକ। କୌଣସି ରାଜନେତାଙ୍କ ବିଜୟ ଶୋଭାଯାତ୍ରାଠୁ କୌଣସି ଗୁଣରେ କମ୍‌ ନ ଥିଲା ଏହି ବର୍ଣ୍ଣାଢ଼୍ୟ ପଟୁଆର। କେବଳ ଫରକ ଥିଲା ଏତିକି, ପଟୁଆରରେ ସାମିଲ ଥିଲେ ଜେଜେ, ତାଙ୍କ ପୁଅ ଓ ତାଙ୍କ ନାତି ଭଳି ତିନି ପିଢ଼ିର ଛାତ୍ର, ଯେଉଁମାନଙ୍କୁ ଶିକ୍ଷାଦାନ କରିଥିଲେ ସେଇ ଅବସରପ୍ରାପ୍ତ ଶିକ୍ଷକ। ସମସ୍ତଙ୍କ ମୁହଁଟିମାନ ଥିଲା ବିଷାଦଗ୍ରସ୍ତ, ଯେମିତିକି କେହି ଅନ୍ତରଙ୍ଗ ଆତ୍ମୀୟ ବୃତ୍ତିଚ୍ୟୁତ ନୁହେଁ, ସଂସାରଚ୍ୟୁତ ହୋଇ ଆର ପୁରକୁ ଯାଉଛନ୍ତି! ଈଶ୍ୱର ବୋଲାଇବାର ସାର୍ଥକତା ଆଉ କାହାକୁ କହନ୍ତି କି!
ଅଥଚ ଭାବିଲେ କଷ୍ଟ ଲାଗେ, ଏଇ ଐଶ୍ୱରୀୟ ଅବତାରୀଙ୍କ ମଧ୍ୟରୁ କେତେଜଣ ବାଟ ଭାଙ୍ଗି କେମିତି ନର୍କ ଆଡ଼କୁ ଦ୍ରୁତଗତିରେ ମାଡ଼ି ଚାଲିଛନ୍ତି। ସେଇ ଟିଭିରୁ ବି ଦେଖିବାକୁ ମିଳିଥିଲା କେତେଜଣ ନିନ୍ଦିତ ଈଶ୍ୱରଙ୍କ ନର୍କଯାତ୍ରାର ଅଭିନବ ଦୃଶ୍ୟ। କେଉଁଠି ବିଦ୍ୟାଳୟର ଏକ ଶ୍ରେଣୀକକ୍ଷ ମଧ୍ୟରେ ପ୍ରଚୁର ମଦ୍ୟପାନ କରି ନିଜର ଚେତା ହରାଇଥିବା ଶିକ୍ଷକଙ୍କୁ ହଲାଇ ହଲାଇ ତାଙ୍କ ଚେତା ଫେରାଇ ଆଣିବାକୁ ଉଦ୍ୟମ କରୁଛନ୍ତି ଟିକିଟିକି ବିଦ୍ୟାର୍ଥୀବୃନ୍ଦ ତ ଅନ୍ୟ କେଉଁଠି ନିଜ କିଶୋରୀ ଛାତ୍ରୀକୁ ଯୌନ ନିର୍ଯାତନା ଦେଉଥିବା ଶିକ୍ଷକଙ୍କ ଚୁଟି ଟାଣି ମାଡ଼ ଦେଉଛନ୍ତି ଛାତ୍ରୀଟିର ମା’ବାପା। ମଧ୍ୟାହ୍ନଭୋଜନ ଅନୁଦାନରୁ କିଛି ଭିଡ଼ିଆଣି ପକେଟ୍‌ରେ ପୂରାଉଥିବା ଶିକ୍ଷକ, ମଦ ପିଇ ରାସ୍ତାରେ ଗଡ଼ୁଥିବା ଶିକ୍ଷକ ବା ଉଚ୍ଚାରଣରେ ଚରିତ୍ରବତ୍ତା କଥା କହି ଆଚରଣରେ ବିପରୀତ କରୁଥିବା ଶିକ୍ଷକ- ଏମାନେ କ’ଣ ବର୍ଟ୍ରାଣ୍ଡ ରସେଲ୍‌ ଚିହ୍ନାଇଥିବା ସେଇ ଶିକ୍ଷକ, ଯେଉଁମାନେ ଈଶ୍ୱର ସାଜି ସ୍ବର୍ଗ ଆଡ଼କୁ ବାଟ କଢ଼ାଇନେବେ! କେଜାଣି!
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri