ମନର ସ୍ୱାସ୍ଥ୍ୟ ନେଇ ସ୍କୁଲରେ ବଡ଼ …

କେସିଙ୍ଗା, ୧୦।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ବୋରିଆ ପଞ୍ଚାୟତ ହାଇସ୍କୁଲ ପରିସରରେ ମଙ୍ଗଳବାର ମାନସିକ ସ୍ୱାସ୍ଥ୍ୟ ସନ୍ତୁଳନ ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏସ୍‌ବିଆଇ ଓ ରାମକୀ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏହି କର୍ମଶାଳା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ହୋଇଥିଲା।

କର୍ମଶାଳାରେ ମାନସିକ ସ୍ୱାସ୍ଥ୍ୟର ସନ୍ତୁଳନ କିପରି ବଜାୟ ରଖାଯାଇପାରିବ, ମାନସିକ ଚାପ କିମ୍ବା ଅସ୍ଥିରତା ଦେଖାଦେଲେ କେଉଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଏବଂ କେଉଁ ପରିସ୍ଥିତିରେ କିପରି ନିଜକୁ ସମ୍ଭାଳିବା ଉଚିତ, ସେ ସମ୍ପର୍କରେ ରାମକୀ ଫାଉଣ୍ଡେସନ୍‌ର ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ସଚେତନ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ ରାମକୀ ଫାଉଣ୍ଡେସନ୍‌ର ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାରତ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Share