ଅଧ୍ୟାପକ ନିଯୁକ୍ତିରେ ଓଡ଼ିଆ ପିଲାଙ୍କୁ ଅଣଦେଖା

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବଶେନର ଗୁରୁବାର ତୃତୀୟ ଦିବସ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଭିନ୍ନଭିନ୍ନ ପ୍ରଶ୍ନ ମାଧ୍ୟମରେ ରାଜ୍ୟରେ ଅଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ରହିଥିବା ଅବ୍ୟବସ୍ଥା ସମ୍ପର୍କରେ କହିଥିଲେ। ରାଜ୍ୟରେ ଅଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ଯେଉଁ ନୂତନ ନିୟମ କରାଯାଇଛି ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ବେଖାତିର କରୁଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ସର୍ତ୍ତାବଳୀକୁ ମଧ୍ୟ ଏହା ଖିଲାପ କରୁଥିବା ବିରୋଧୀମାନେ ଅଭିଯୋଗ ଆଣିଥିଲେ।
ଓଡ଼ିଶାର ସମସ୍ତ ସରକାରୀ ଚାକିରିରେ ଓଡ଼ିଆରେ ସପ୍ତମ ପାସ୍‌ ଯୋଗ୍ୟତା ବାଧ୍ୟତାମୂଳକ କରାଯାଇଥିବାବେଳେ ଓଇଏସ୍‌ ଅଧ୍ୟାପକ ନିଯୁକ୍ତିରେ ୭ମ ଶ୍ରେଣୀ ଓଡ଼ିଆ ଭାଷା ଯୋଗ୍ୟତା ବାଧ୍ୟତାମୂଳକ କରାଯାଇ ନାହିଁ। ଓଇଏସ୍‌ ଅଧ୍ୟାପକମାନଙ୍କୁ କ୍ୟାରିୟର ଆସେସ୍‌ମେଣ୍ଟରେ ନିଯୁକ୍ତି ଦେବାର ବ୍ୟବସ୍ଥା କରିଛନ୍ତି। ସେହିଭଳି ପ୍ରୋବେଶନ ପିରିୟଡ ଭିତରେ ସେମାନେ ଓଡ଼ିଆ ପଢିବେ ବୋଲି କୁହାଯାଇଛି। ଏହାଦ୍ୱାରା ଓଡ଼ିଶାର ଯୁବତୀଯୁବକଙ୍କ ପରିବର୍ତ୍ତେ ଅନ୍ୟ ରାଜ୍ୟର ଯୁବତୀଯୁବକ ଚାକିରି ପାଉଛନ୍ତି। ଅଣଓଡ଼ିଆ ଯୁବତୀଯୁବକଙ୍କୁ ରାଜ୍ୟରେ ନିଯୁକ୍ତି ଦେବା ଅଣଓଡ଼ିଆ ଅଫିସରଙ୍କ ଷଡ଼ଯନ୍ତ୍ର ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ। ଯେଉଁମାନେ ଓଡ଼ିଆ ବୁଝନ୍ତିନାହିଁ ସେମାନେ ଆସି ଏଠାରେ ପାଠ ପଢ଼ାଉଛନ୍ତି। ମଧ୍ୟପ୍ରଦେଶ, ଛତିଶଗଡ଼ କୌଣସି ସ୍ଥାନରେ ଏଭଳି ବ୍ୟବସ୍ଥା ନାହିଁ। କିନ୍ତୁ ଓଡ଼ିଶା ଅନ୍ୟ ରାଜ୍ୟ ପିଲାଙ୍କ ନିଯୁକ୍ତି ପାଇଁ ଶସ୍ତା ରାଜ୍ୟ ପାଲଟିଛି ବୋଲି ସେ କହିଥିଲେ। ତୁରନ୍ତ ଏହି ନୂତନ ନିୟମକୁ ପ୍ରତ୍ୟାହାର କରାଯାଉ ଏବଂ ପୂର୍ବ ବ୍ୟବସ୍ଥା କାର୍ଯ୍ୟକାରୀ ହେଉ। ନଚେତ୍‌ ରାଜ୍ୟରେ ଛାତ୍ର ଆନ୍ଦୋଳନ ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଥିଲେ। ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ପ୍ରଦୀପ୍ତଙ୍କୁ ସମର୍ଥନ କରି ନିଯୁକ୍ତି ପାଇବା ପରେ ପରୀକ୍ଷା ଦେବା ବ୍ୟବସ୍ଥାକୁ ତୁରନ୍ତ ଉଚ୍ଛେଦ କରିବାକୁ ଦାବି କରିଥିଲେ। ଓଡ଼ିଆମାନେ ପାଠ ପଢି ବେକାରି ହୋଇ ବସିଥିବାବେଳେ ରାଜ୍ୟ ସରକାର ଅନ୍ୟ ରାଜ୍ୟରୁ ପିଲା ଆଣି ଏଠାରେ ନିଯୁକ୍ତ କରୁଛନ୍ତି। ଓଇଏସ୍‌ ନିଯୁକ୍ତିରେ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ପଢିଥିବା ବିଷୟକୁ ବାଧ୍ୟତାମୂଳକ କରିବାକୁ ସେ ଦାବି କରିଥିଲେ।