ଶିମିଳିପାଳରେ ରେକର୍ଡ ବର୍ଷା

ଭୁବନେଶ୍ୱର,୨୭।୫(ବ୍ୟୁରୋ): ବାତ୍ୟା ୟାସ୍‌ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ହାଇଆଲର୍ଟ ଜାରି କରାଯାଇଛି। ଆସନ୍ତା ୧୨ ଘଣ୍ଟା ମୟୂରଭଞ୍ଜ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଏସ୍‌ଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ତେବେ ବାତ୍ୟା ପ୍ରଭାବରେ ମୟୂରଭଞ୍ଜ ଜିଲାରେ ବର୍ଷା ଓ ପବନ ଲାଗି ରହିଥିବା ବେଳେ ଏବେ ଶିମିଳିପାଳରେ ପ୍ରବଳ ବର୍ଷା ହେଉଛି। ବତ୍ତର୍ମାନ ସୁଦ୍ଧା ଶିମିଳିପାଳରେ ୧୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଭଞ୍ଜବସାରେ ୩୮୨ମିଲିମିଟର ଓ ରାମତୀର୍ଥରେ ୩୫୭ ମିଲିମିଟର ବର୍ଷ ରେକର୍ଡ କରାଯାଇଛି। ସେହିପରି ବରେହିପାଣି ୩୩୧, କବାଟ ଘାଇ ୩୦୬, ନଅଣାରେ ୨୭୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ଷା ଯୋଗୁ ଶିମିଳିପାଳ ଅଞ୍ଚଳରୁ ବାହାରିଥିବା ବିଭିନ୍ନ ନଦୀରେ ବନ୍ୟା ଦେଖାଯାଇଛି। ଅନ୍ୟପଟେ ଖଇରି, ଭଣ୍ଡନ, ଦେଓନଦୀ ଓ ବୁଢ଼ାବଳଙ୍ଗରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା କରାଯାଇଛି। ଏନେଇ ଏସ୍‌ଆରସି ଟୁଇଟ କରି ସୂଚନା ଦେଇଛନ୍ତି। ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲାପାଳ ପ୍ରାୟ ୧ଲକ୍ଷ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରିଛନ୍ତି। ସେମାନଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଥିବା ଜଣାପଡ଼ିଛି।