ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ ନେତା ଓ କର୍ମୀଙ୍କୁ ବିଭିନ୍ନ କ୍ଷେତ୍ରରେ ଉପେକ୍ଷା ଏବଂ ଅବହେଳା କରୁଥିବା ଅଭିଯୋଗ ଆଣି ଦଳୀୟ କାର୍ଯ୍ୟକର୍ତ୍ତାମାନେ ମହଜୁଦ ହୋଇଛନ୍ତି। ମଙ୍ଗଳବାର ଦିଗପହଣ୍ଡି ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ଓ ସମିତି ସଭ୍ୟ ଏକତ୍ରିତ ହୋଇ ଏକ ଜରୁରୀ ବୈଠକ କରିଥିଲେ।

ଗତ ବିଧାନସଭା ନିର୍ବାଚନରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ଭାଜପା ପ୍ରାର୍ଥୀ ଭାବେ ଡ. ସିଦ୍ଧାନ୍ତ ମହାପାତ୍ର ନିର୍ବାଚନ ଲଢ଼ିଥିଲେ। ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଦିନରାତି ଏକ କରି ପ୍ରଚାର ଜୋରଦାର କରିଥିଲେ, ଯାହା ଫଳରେ ଦିଗପହଣ୍ଡିରେ ବିଜେଡିର ଦୀର୍ଘଦିନର ଗଡ଼ ଭାଙ୍ଗି ଭାଜପା ବିପୁଳ ଭୋଟରେ ବିଜୟୀ ହୋଇଥିଲା। ତେବେ ନିର୍ବାଚନ ଜିତିବା ପରେ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଦଳୀୟ ନେତୃସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କୁ ଅବହେଳା କରୁଥିବା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ଉଚିତ ଜବାବ ଦେବା ପାଇଁ ମେଳି ବାନ୍ଧିଛନ୍ତି।

ଏହି ବୈଠକରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ, ମହନ୍ତ ଚିନ୍ମୟାନନ୍ଦ ମହାରାଜ, ଜିଲ୍ଲା କାର୍ଯ୍ୟକର୍ତ୍ତା ପରେଶ ଚନ୍ଦ୍ର ରଥ, ବରିଷ୍ଠ କାର୍ଯ୍ୟକର୍ତ୍ତା ସନାତନ ସଂଗ୍ରାମ ସିଂ, ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମ୍.ପି ପ୍ରତିନିଧି କେ. ହରିବନ୍ଧୁ ରେଡ୍ଡୀ, ଭବାନୀ ଶଙ୍କର ପଣ୍ଡା, ସିମାଞ୍ଚଳ ପ୍ରଧାନ, ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି କିଶୋର କୁମାର ସାହୁ, ଭାଜପା ପଦ୍ମନାଭପୁର ମଣ୍ଡଳ ପ୍ରଭାରୀ ଶୁଭେନ୍ଦୁ ପାଢ଼ୀ, ବାଘଲଟି ସମିତି ସଭ୍ୟ ସାରଥୀ ଗୌଡ଼, ମହୁଡ଼ା ସମିତି ସଭ୍ୟ ଜତିନ୍ଦ୍ର ପାତ୍ର, ଭାଜପା ଆଙ୍କୁଶପୁର ମଣ୍ଡଳ ସଭାପତି ଏ. ବାବୁଲା ପାତ୍ର, ମହୁଡ଼ା ମଣ୍ଡଳ ସଭାପତି ଦୀପକ ମହାପାତ୍ର, ବାଲିପଡ଼ା ମଣ୍ଡଳ ସଭାପତି ଲଳିତ ବିଷୋୟୀ, ପୂର୍ବତନ ମଣ୍ଡଳ ସଭାପତି ସୀମାଞ୍ଚଳ ସାସମଲ, କାର୍ଯ୍ୟକର୍ତ୍ତା ସନ୍ନ୍ୟାସୀ ପ୍ରଧାନ, ସରପଞ୍ଚ ବିଜୟ କୁମାର ପ୍ରଧାନ, ଯୁବ କାର୍ଯ୍ୟକର୍ତ୍ତା ମନୋଜ କୁମାର ସାହୁ, କେ. କିଶୋରଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ରହି ବିଧାୟକଙ୍କ କାର୍ଯ୍ୟକଳାପ ବିରୋଧରେ କ୍ଷୋଭ ପ୍ରକାଶ କରିଥିଲେ।

ବୈଠକ ପରେ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଭାଗୀୟ ଅଧିକାରୀମାନଙ୍କୁ ସାକ୍ଷାତ କରିଥିଲେ। ସରକାରୀ ଯୋଜନା ସମ୍ପର୍କରେ କେବଳ ବିଧାୟକଙ୍କ ମତାମତ ନନେଇ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଅବଗତ କରାଇ ସେମାନଙ୍କ ପରାମର୍ଶରେ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଧାୟକଙ୍କ ଏକତରଫା ନିଷ୍ପତ୍ତି ବିରୋଧରେ ଖୁବ୍‌‌ଶୀଘ୍ର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ଦେବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି। ସୋମବାର ମଧ୍ୟ ଦିଗପହଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କ ବାସଭବନରେ କର୍ମୀମାନେ ଏକତ୍ରିତ ହୋଇ ବୈଠକ କରିଥିଲେ। ଏ ନେଇ ବିଧାୟକଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ ମୋବାଇଲ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ମତାମତ ମିଳିପାରିନାହିଁ।

Dharitri – Odisha’s No.1 Odia Daily

Share