ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା ଦରକାର। ସେଥିପାଇଁ ଯୁବପିଢ଼ି ଯେଉଁ ସାମ୍ପ୍ରତିକ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରୁଛନ୍ତି ତାହାକୁ ଛାଡ଼ି ଆମକୁ ଅନେକ ବିଷୟକୁ ଅନୁଧ୍ୟାନ କରିବାକୁ ହେବ। ଆସନ୍ତୁ ଦେଖିବା ରାଜ୍ୟ କିମ୍ୱା କେନ୍ଦ୍ର ସରକାରଙ୍କ ସହିତ ଆମର ସମ୍ପର୍କ କ’ଣ? ଦୈନନ୍ଦିନ ଜୀବନରେ ଆମମାନଙ୍କ ମଧ୍ୟରୁ କେତେକେ ଅର୍ଥାତ୍ ଉଚ୍ଚବର୍ଗଙ୍କର ସରକାରଙ୍କ ସହ ସମ୍ପର୍କ କମ୍। ଏହି ଉଚ୍ଚବର୍ଗ ପେସାଗତ ଭାବେ ସବୁ କାମ ଇଂଲିଶ୍ରେ କରନ୍ତି ଏବଂ ରହନ୍ତି ସହରରେ। ଭାରତରେ ୧୦ ଜଣରୁ ୯ ଜଣ ଇଂଲିଶ୍ କହିପାରୁ ନ ଥିଲେ ମଧ୍ୟ ଆମ ଭିତରୁ ଯେଉଁମାନେ ଇଂଲିଶ୍ କୁହନ୍ତି ଏବଂ ଏଥିରେ କାମ କରନ୍ତି, ସେମାନେ ବିଶ୍ୱସ୍ତରୀୟ ହେବାକୁ ସୁଯୋଗ ପାଆନ୍ତି। ସାଂସ୍କୃତିକ ଓ ପେସାଗତ ଦୃଷ୍ଟିରୁ ସେମାନେ ଅଧିକ ପ୍ରତିଷ୍ଠିତ, ଯେଉଁଠାରେ ଅଧିକାଂଶ ଭାରତୀୟ ସେହି ସୁଯୋଗ ପାଆନ୍ତି ନାହିଁ। ଦେଖିବାକୁ ଗଲେ, ଅଧିକାଂଶ ଭାରତୀୟଙ୍କ ତୁଳନାରେ ଆମ (ଉଚ୍ଚବର୍ଗ) ଜୀବନ ଉପରେ ବ୍ୟବସ୍ଥା ବା ସରକାରଙ୍କ ପ୍ରଭାବ କମ୍। ଆମେ ସରକାରୀ ବିଦ୍ୟାଳୟରେ ପଢ଼ିବାର କିମ୍ୱା ଆମ ପିଲାମାନେ ଅଙ୍ଗନଓ୍ୱାଡିି ଯିବାର ସମ୍ଭାବନା ନାହିଁ। ଆମ ସ୍ୱାସ୍ଥ୍ୟର ଯତ୍ନ ବେସରକାରୀ ଡାକ୍ତର ଓ ଡାକ୍ତରଖାନା ଉପରେ ନିର୍ଭରଶୀଳ। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ମିଳୁଥିବା ଗହମ କିମ୍ୱା ଚାଉଳ ଉପରେ ଆମେ ନିର୍ଭର କରୁନାହଁୁ। କିନ୍ତୁ ୮୦ କୋଟି ଲୋକ, ଅର୍ଥାତ୍ ଭାରତର ଦୁଇତୃତୀୟାଂଶ ଜନସଂଖ୍ୟା ପିଡିଏସ୍ ଦ୍ୱାରା ଉପକୃତ ହୁଅନ୍ତି। ୨୦ କୋଟିରୁ ଅଧିକ ଭାରତୀୟ ଏବେ ବି ଅପପୁଷ୍ଟିର ଶିକାର, କାରଣ ସରକାରୀ ସହାୟତା ପାଇବାରେ ସେମାନଙ୍କ ପାଇଁ ସୁଯୋଗ ଅପର୍ଯ୍ୟାପ୍ତ କିମ୍ୱା ଆଦୌ ନାହିଁ।
ଆମେ ଯେଉଁ ଫ୍ଲାଟ୍ରେ ରହୁଛୁ ସେଠାରେ ସରକାର ଶୌଚାଳୟ ନିର୍ମାଣ କରିନାହାନ୍ତି। ଆମେ ସାଧାରଣଲୋକଙ୍କ ଭଳି ସାଧାରଣ ପରିବହନ ବ୍ୟବସ୍ଥା, ବିଶେଷକରି ଶସ୍ତା ମାଧ୍ୟମ ଯେପରି କି ଆନ୍ତଃ-ସହର ଓ ଆନ୍ତଃ-ରାଜ୍ୟ ବସ୍ଗୁଡ଼ିକ ବ୍ୟବହାର କରୁନାହୁଁ। ଆମ ମଧ୍ୟରୁ ଅନେକେ ଟ୍ରେନ୍ ବଦଳରେ ବିମାନ ଯାତ୍ରାକୁ ଆପଣେଇ ନେଇଛନ୍ତି। ତେଣୁ ରେଳ ସେବାର ଅବନତି ଆମକୁ ବିଶେଷ ପ୍ରଭାବିତ କରେନାହିଁ। ୨୦୧୮ରେ ଭାରତର ଏକ ତୃତୀୟାଂଶ ଟ୍ରେନ୍ ବିଳମ୍ୱରେ ଚାଲୁଥିଲା। କେନ୍ଦ୍ର ସରକାର ପ୍ରଥମେ କୋଭିଡ୍-୧୯ କଟକଣା କୋହଳ କଲାବେଳେ ଏୟାରଲାଇନ୍ସଗୁଡ଼ିକୁ ସମ୍ପୂର୍ଣ୍ଣ କ୍ଷମତାର ସହ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ, କିନ୍ତୁ ନିଜର ଦୈନିକ ୧୬,୦୦୦ ଟ୍ରେନ୍ ମଧ୍ୟରୁ ୩୦୦ରୁ କମ୍ ଟ୍ରେନ୍ କିଛି ମାସ ପର୍ଯ୍ୟନ୍ତ ଚଲାଇଥିଲେ। ବିମୁଦ୍ରୀକରଣ ସମୟରେ ଅନେକ କୋଟି ପରିବାର ପ୍ରଭାବିତ ହୋଇଥିବା ବେଳେ ଆମେ କେହି ସେଭଳି ପ୍ରଭାବିତ ହୋଇ ନ ଥିଲୁ। ତା’ପରେ ସରକାରଙ୍କ ସହିତ କିଛି ନକାରାତ୍ମକ ସମ୍ପର୍କର ଦିଗକୁ ଆସିବା। ଅନେକ ଭାରତୀୟଙ୍କ ଭଳି ଆମେ ଉଚ୍ଚବର୍ଗ ଆପରାଧିକ ନ୍ୟାୟ ବ୍ୟବସ୍ଥା ଦ୍ୱାରା ପ୍ରଭାବିତ ହୋଇନାହଁୁ। ଆମେ ହୁଏତ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାର କିଛି ନିଆରା ବୈଶିଷ୍ଟ୍ୟ, ଯେପରି କି ପ୍ରଶାସନିକ ଅଟକ ସହିତ ପରିଚିତ ନୋହଁୁ, ଯେଉଁଥିରେ ପୋଲିସ ଓ ପ୍ରଶାସନ ଜଣେ ବ୍ୟକ୍ତି ଭବିଷ୍ୟତରେ ଅପରାଧ କରିପାରନ୍ତି ବୋଲି ସନ୍ଦେହ କରି ତାଙ୍କୁ ବନ୍ଦୀ କରିଥାନ୍ତି। ଆମେ କିମ୍ୱା ଆମ ପରିଚିତମାନେ କ୍ୱଚିତ୍ ଏଭଳି ଏକ ନ୍ୟାୟ ବ୍ୟବସ୍ଥାର ସମ୍ମୁଖୀନ ହୋଇଥାଉ, ଯେଉଁଠାରେ ବିନା ଅପରାଧରେ ଦଣ୍ଡ ମିଳିଥାଏ। ଆମେ ହୁଏତ ଏ ବିଷୟରେ ଅବଗତ ମଧ୍ୟ ନ ଥାଇପାରୁ।
ସରକାରଙ୍କ ସହିତ ଆମର ଯେଉଁ କେତୋଟି ବିଷୟରେ ସମ୍ପର୍କ ରହିଥାଏ, ତାହା ଭିନ୍ନ ସ୍ଥାନରେ ଏବଂ ବହୁତ କମ୍ ସମୟରେ ଘଟିଥାଏ। ଆମକୁ ହୁଏତ ପୁନଃ ବିଦ୍ୟୁତ୍ ସଂଯୋଗ, ରାସ୍ତା ନିର୍ମାଣ, ପାସ୍ପୋର୍ଟ ନବୀକରଣ କିମ୍ୱା ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ସମ୍ପର୍କ ଆବଶ୍ୟକ ହୋଇପାରେ। ତେବେ ଏହିସବୁ କାମ ହାସଲ କରିବା ପାଇଁ ଉଦ୍ଦିଷ୍ଟ ପ୍ରକ୍ରିୟାରେ ଆମେ ହଇରାଣ ହେଉଥିବା ଅନୁଭବ କରୁ। ଅନେକ ସମୟରେ ଏଜେଣ୍ଟମାନଙ୍କ ସହାୟତାରେ ଆମେ ଏହି ସମସ୍ୟାରୁ ମୁକ୍ତି ପାଉ। ଏଭଳି କାମରେ ମିଳୁଥିବା ଅନୁଭୂତିକୁ ଆଧାର କରି ଆମେ ସରକାରଙ୍କ ଅକ୍ଷମତା ବିଷୟରେ ଅଭିଯୋଗ କରୁ। ଆମର ଖାଦ୍ୟ, ସ୍ୱାସ୍ଥ୍ୟ, ବାସଗୃହ ଏବଂ ଶିକ୍ଷା ସରକାରଙ୍କ ଉପରେ ନିର୍ଭରଶୀଳ ନୁହେଁ। ତେଣୁ ରାଜ୍ୟ କେତେ ଦକ୍ଷ କିମ୍ୱା ଅଦକ୍ଷ, ତାହାକୁ ଆମେ ପ୍ରକୃତ ଅର୍ଥରେ ଆକଳନ କରିପାରୁନାହୁଁ। ଆମେ ସରକାରଙ୍କ କାର୍ଯ୍ୟପ୍ରଣାଳୀ ସହ ସିଧାସଳଖ ପରିଚିତ ହେବାର ସୁଯୋଗ ମଧ୍ୟ ଖୁବ୍ କମ୍। ତେଣୁ କୁହାଯାଇପାରେ ଯେ, ଆମେ ସୀମିତ ଉଚ୍ଚବର୍ଗ, ଭାରତର ଶାସନ ବ୍ୟବସ୍ଥା କେତେ ଭଲ କିମ୍ୱା ଖରାପରେ ଚାଲୁଛି ସେ ବିଷୟରେ ସାଧାରଣ ଲୋକଙ୍କ ତୁଳନାରେ କମ୍ ଜାଣୁଛୁ। ଆମେ ଅଳ୍ପ ସଂଖ୍ୟକ ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନେ, ବୋଧହୁଏ ସାଧାରଣ ଜନତାଙ୍କ ଅପେକ୍ଷା ଭାରତର ଶାସନ ବ୍ୟବସ୍ଥା ଏବଂ ରାଷ୍ଟ୍ରର ଦକ୍ଷତା ବିଷୟରେ କମ୍ ଜାଣିଛୁ।
ନିର୍ୱାଚନ ହେଉଛି ଏକମାତ୍ର ସମୟ, ଯେତେବେଳେ ଆମେ ସାଂଗଠନିକ ସ୍ତରରେ ସରକାର ବା ବ୍ୟବସ୍ଥା ସହିତ ରାଜନୈତିକ ଭାବେ ଜଡ଼ିତ ହେଉ। ଏ କ୍ଷେତ୍ରରେ ବହୁସଂଖ୍ୟକଙ୍କର ବ୍ୟବସ୍ଥା ସହିତ ଯେତିକି ସମ୍ପର୍କ ଥାଏ ତାହାଠାରୁ ଆମର ମଧ୍ୟ କମ୍ ରହେ। ନିର୍ୱାଚନୀ ପ୍ରତିଶ୍ରୁତି ଏବଂ ତାହା ପୂରଣ ଆମ ପାଇଁ ସମାନ ଗୁରୁତ୍ୱ ରଖେ ନାହିଁ। ଆମ ଭିତରୁ କେତେକେ ପ୍ରକୃତରେ ନିଜ ନିର୍ୱାଚିତ ପ୍ରତିନିଧିଙ୍କୁ ଭେଟି ନିଜ ଜୀବନରେ ପରିବର୍ତ୍ତନ ଆଣିବା ଭଳି କୌଣସି ବିଷୟରେ ଦାବି କରିଛନ୍ତି? ଇସ୍ତାହାରରେ ଥିବା ପ୍ରତ୍ୟକ୍ଷ ତଥା ଉପାଦେୟ ବିଷୟଗୁଡ଼ିକ ତୁଳନାରେ ଅଧିକ ଜଟିଳ ବିଷୟଗୁଡ଼ିକ ଆମକୁ ଅଧିକ ଆକର୍ଷିତ କରିଥାଏ। ଆମକୁ ଅଧିକ ଆକର୍ଷଣ କରେ ସ୍ୱତନ୍ତ୍ର ପରିଚୟ, ଜାତୀୟତାବାଦ, ବିଶ୍ୱରେ ଭାରତର ସ୍ଥାନ, ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ଆସନ କିମ୍ୱା କଠୋର ସାମରିକ ପଦକ୍ଷେପର ଆଶ୍ୱାସନା। ବିଶ୍ୱ ସହ ନିଜକୁ ଜଡ଼ିତ ମନେକରୁଥିବା ଏହି ଉଚ୍ଚବର୍ଗ ପାଇଁ ଏହି ବିଷୟଗୁଡ଼ିକ ବିଶେଷ ଗୁରୁତ୍ୱ ରଖେ। ଏକ ଦୁର୍ନୀତିଗ୍ରସ୍ତ ପରୀକ୍ଷା ପଦ୍ଧତି ମାଧ୍ୟମରେ ଯେତେବେଳେ ରାଷ୍ଟ୍ରର ବିଫଳତା ଆମ ଜୀବନକୁ ସିଧାସଳଖ ପ୍ରଭାବିତ କରିଛି, ତାହା ଅସନ୍ତୋଷ ବା କ୍ରୋଧ ସୃଷ୍ଟି କରିଛି। ତେବେ ଆସନ୍ତୁ ଦେଖିବା ଏହି ସକରାର ଦେଶର ବିପୁଳ ସଂଖ୍ୟକ ସାଧାରଣ ଲୋକଙ୍କ ଜୀବନରେ କେତେ ପ୍ରକାର ବିଫଳ ହେଉଛି ଏବଂ ସେହି ବିଫଳତାର ଭାର ସେମାନେ ପ୍ରତିଦିନ କିପରି ବହନ କରୁଛନ୍ତି।

