Categories: ଖେଳ

‘ଏହା ଅନୁଚିତ, ମୁଁ ଫାଇନାଲ ଖେଳି ପାରିଥାନ୍ତି’

ମାନିଲା(ଫିଲିପାଇନ୍ସ),୧।୫ : ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ ପି ଭି ସିନ୍ଧୁ ବ୍ୟାଡ୍‌ମିଣ୍ଟନ ଏସିଆ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଜାପାନର ଆକାନେ ୟାମାଗୁଚିଙ୍କ ଠାରୁ ସେମିଫାଇନାଲରେ ତାଙ୍କୁ ଦୁର୍ଭାଗ୍ୟବଶତଃ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ମ୍ୟାଚ୍‌ର ଦ୍ୱିତୀୟ ଗେମ୍‌ରେ ସିନ୍ଧୁଙ୍କୁ ଅମ୍ପାୟର ଏକ ପେନାଲ୍ଟି ପଏଣ୍ଟ ଦେବା ପରେ ପୂରା ମୁକାବିଲାର ପରିସ୍ଥିତି ବଦଳି ଯାଇଥିଲା। ପ୍ରଥମ ଗେମ୍‌କୁ ସହଜରେ ଜିତିଥିବା ୨୬ ବର୍ଷୀୟା ଭାରତୀୟ ଶଟଲର ଦ୍ୱିତୀୟ ଗେମ୍‌ରେ ୧୪-୧୧ରେ ଆଗୁଆ ଥିଲେ। ପ୍ରତ୍ୟେକ ସର୍ଭ ମଧ୍ୟରେ ଅତ୍ୟଧିକ ଟାଇମ ନେବା ପାଇଁ ସିନ୍ଧୁଙ୍କୁ ଏକ ପେନାଲ୍ଟି ପଏଣ୍ଟ ଦେଇଥିଲେ ଅମ୍ପାୟର। ଏହି ଘଟଣା ପରେ ହାଇଦ୍ରାବାଦ ଖେଳାଳିଙ୍କୁ ମ୍ୟାଚ୍‌ରେ ଫେରିବାକୁ ସୁଯୋଗ ନ ଦେଇ ଦ୍ୱିତୀୟ ସିଡ୍‌ ଜାପାନର ଖେଳାଳି ଯାମାଗୁଚି ମ୍ୟାଚ୍‌କୁ ୨୧-୧୩, ୧୯-୨୧, ୧୬-୨୧ ଗେମ୍‌ରେ ଜିତି ନେଇଥିଲେ।
”ଅମ୍ପାୟର ମୋତେ କହିଲେ ଯେ, ତୁମେ ସର୍ଭିସ ପାଇଁ ଅଧିକ ସମୟ ନେଉଛ। କିନ୍ତୁ ଏଥି ଲାଗି ପ୍ରତିପକ୍ଷ ଖେଳାଳି ପ୍ରସ୍ତୁତ ନୁହନ୍ତି। ଏହାପରେ ଅମ୍ପାୟର ହଠାତ୍‌ ତାଙ୍କୁ ଏକ ପଏଣ୍ଟ ନେଇଥିଲା। ଏହା ସତରେ ଅନୁଚିତ। ମୋ ମତରେ ଏହି ପରାଜୟ ପଛରେ ଏହା ଅନ୍ୟତମ କାରଣ। ନ ହେଲେ ମୁଁ ଗେମ୍‌ରେ ୧୪-୧୧ରେ ଆଗୁଆ ଥିଲି। ଏହା ୧୫-୧୧ ହୋଇପାରିଥାନ୍ତା। କିନ୍ତୁ ଅମ୍ପାୟରଙ୍କ ଯୋଗୁ ସ୍କୋର ୧୪-୧୨ ହୋଇଯାଇଥିଲା। ତା’ ପରେ ସେ କ୍ରମାଗତ ପଏଣ୍ଟ ହାତେଇ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ମୋ ମତରେ ଏହା ଅନୁଚିତ। ହୁଏତ ଏହି ମ୍ୟାଚ୍‌କୁ ଜିତି ମୁଁ ଫାଇନାଲରେ ଖେଳିପାରିଥାନ୍ତି। ମୁଁ ଏସମ୍ପର୍କରେ ଚିଫ୍‌ ରେଫରିଙ୍କୁ ଜଣାଇଥିଲି। ସେ କହିଲେ, ଏହା ହୋଇସାରିଛ“ ବୋଲି ସିନ୍ଧୁ ମ୍ୟାଚ୍‌ ପରେ କହିଥିଲେ।

Share