ଭଙ୍ଗା ଚାଳିଆରେ ପାଠ ପଢ଼ା

ଠାକୁରମୁଣ୍ଡା,୫ା୮(ଡି.ଏନ.ଏ.): ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସୁଥିବା କହୁଛନ୍ତି। ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଚାଲିଛି। ମାତ୍ର ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ତାଳପଦା ପଞ୍ଚାୟତ ଅଧୀନ ଭଦୁବାହାଳି ଗ୍ରାମ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖିଲେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ବାସ୍ତବ ସ୍ଥିତି ଜଣାପଡ଼ିବ। ୮ ବର୍ଷ ହେଲା ଏହି ବିଦ୍ୟାଳୟର ଛାତ୍ରୀଛାତ୍ର ଭଙ୍ଗା ଚାଳିଆରେ ବସି ପଢ଼ୁଛନ୍ତି। ବିଦ୍ୟାଳୟ ପକ୍କା ଗୃହ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏଥିପ୍ରତି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନ ଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
୨୦୧୪ରେ ଭଦୁବାହାଳି ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ବିଦ୍ୟାଳୟ ପରିସରରେ ଏକ ଚାଳ ଘରେ ପିଲାଙ୍କୁ ପାଠ ପଢ଼ା ଯାଉଥିଲା। ବର୍ଷକ ପରେ ୨୦୧୫-୧୬ ଆର୍ଥିକ ବର୍ଷରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଶ୍ରେଣୀ ଗୃହ ନିର୍ମାଣ ପାଇଁ ୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଗୃହ ନିର୍ମାଣରେ ୪ ଲକ୍ଷ ଟଙ୍କା ବ୍ୟୟ ହେବା ପରେ ଛାତ ପଡ଼ିବା ପୂର୍ବରୁ ଏହି ଯୋଜନାରୁ ଅର୍ଥ ନ ଆସିବା କାରଣରୁ କାମ ବନ୍ଦ ହୋଇଯାଇଥିଲା। ପରେ ବ୍ଲକ ମାଧ୍ୟମରେ ଶ୍ରେଣୀ ଗୃହ ନିମନ୍ତେ ୨୦୨୧-୨୨ ବର୍ଷରେ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଗୃହ ନିର୍ମାଣ ନ ହୋଇ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ପିଲାମାନେ ଭଙ୍ଗା ଚାଳିଆରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୮ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ୫ଟି ଶ୍ରେଣୀ ଥିବା ବେଳେ ମାତ୍ର ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ବିଦ୍ୟାଳୟର ଗୃହ ନ ଥିବାରୁ ପାଚିକା ତାଙ୍କ ଘରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ଆଣି ପିଲାଙ୍କୁ ଖାଇବାକୁ ଦେଉଛନ୍ତି। ଏ ସଂକ୍ରାନ୍ତରେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଟୀକା ମହାନ୍ତ କୁହୁନ୍ତି, ଗୃହ ନ ଥିବାରୁ ପିଲାମାନେ ଭଙ୍ଗା ଚାଳିଆରେ ବସି ପାଠ ପଢୁଛନ୍ତି। ବର୍ଷା ହେଲେ ପାଠ ପଢ଼ା ବନ୍ଦ ରହୁଛି। ଅଧାପନ୍ତରିଆ ଗୃହ ସମ୍ପର୍କରେ ଠାକୁରମୁଣ୍ଡା ଏବିଇଓ ଭାଗ୍ୟରଥୀ ମହାନ୍ତିଙ୍କୁ ପଚାରିବାରୁ ଡିପିଇପି ଯୋଜନାରେ ଗୃହ ନିର୍ମାଣ ଚାଲିଥିଲା। ମାତ୍ର ୪ ଲକ୍ଷ ଟଙ୍କା ଆସିବା ପରେ ଆଉ ଟଙ୍କା ନ ଆସିବାରୁ ଗୃହ କାମ ହୋଇ ପାରିନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଠାକୁରମୁଣ୍ଡା ବିଡିଓଙ୍କୁ ଏ ବାବଦରେ ପଚାରିବାରୁ କ’ଣ ପାଇଁ କାମ ହୋଇପାରି ନାହିଁ ତାହା ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।