Categories: HomeHome Middle

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)। ଗୁଜରାଟ ଟାଇଟନ୍ସ(ଜିଟି)କୁ ହରାଇ ଆର୍‌ସିବି ଟାଇଟଲ ହାସଲ କରିଛି। ଏହି ବିଜୟ ସହ ଆର୍‌ସିବି ଆଇପିଏଲରେ ଦ୍ୱିତୀୟ ଥର ପାଇଁ ଟାଇଟଲ ହାତେଇଛି।

ବୋଲରଙ୍କ ଜବରଦସ୍ତ ବୋଲିଂ ପରେ ବିରାଟ କୋହଲିଙ୍କ ଦମ୍‌ଦାର ଇନିଂସ ବଳରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି ଆର୍‌ସିବି। ଅନ୍ୟପକ୍ଷରେ ଗୁଜରାଟ ଦ୍ୱିତୀୟ ଥର ପାଇଁ ଆଇପିଏଲ୍‌ ଫାଇନାଲରେ ପରାଜିତ ହୋଇଛି।

ଅଧିନାୟକ ରଜତ ପଟିଦାର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଗୁଜରାଟ ବ୍ୟାଟିଂ ଆରମ୍ଭ କରିଥିଲା। କ୍ୱାଲିଫାୟର-୨ରେ ଶତକୀୟ ପାଳି ଖେଳିଥିବା ଅଧିନାୟକ ଶୁବମନ ଗିଲ ୧୦ ଓ ସାଇ ସୁଦର୍ଶନ ୧୨ ରନ କରି କ୍ରମାଗତ ଓଭରରେ ଆଉଟ୍‌ ହେବାରୁ ଗୁଜରାଟ ବ୍ୟାକଫୁଟକୁ ଚାଲି ଯାଇଥିଲା। ନଂ.୩ରେ ଆସିଥିବା ନିଶାନ୍ତ ସିନ୍ଧୁ (୨୦) ମଧ୍ୟ ବିଫଳ ହୋଇଥିଲେ। ଫଳରେ ଗୁଜରାଟ ପ୍ରଥମ ୧୦ ଓଭର ସୁଦ୍ଧା ୩ ଉଇକେଟ ହରାଇ ୬୩ ରନ କରିଥିଲା।

ପ୍ରାରମ୍ଭିକ ଉଇକେଟ ପତନ ଯୋଗୁ ଡିଫେନ୍ସିଭ ବ୍ୟାଟିଂ କରୁଥିବା ଜୋଶ ବଟଲର(୧୯) ୧୩ତମ ଓଭରରେ ଆଉଟ୍‌ ହୋଇଥିଲେ। ଆର୍ଶଦ ଖାନ (୧୫ ରନ, ୬ ବଲ, ୨ ଛକା) ଓ ରାହୁଲ ଟଓ୍ବେଟିଆ (୭) ଆଟାକିଂ ଶଟ୍‌ ଖେଳିବାକୁ ଯାଇ ଉଇକେଟ ହରାଇଥିଲେ। ଏହାପରେ ଓ୍ବାଶିଂଟନ ସୁନ୍ଦର(୫୦ ରନ, ୩୭ ବଲ, ୫ ଚୌକା) ଏକାକୀ ଦଳୀୟ ସ୍କୋରକୁ ୧୫୦ ଅତିକ୍ରମ କରାଇଥିଲେ। ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୫୫ ରନ କରିଥିଲା।

ଜବାବରେ ବିରାଟ କୋହଲି ଓ ଭେଙ୍କଟେଶ ଆୟାରଙ୍କ ଓପନିଂ ଯୋଡ଼ି ଆର୍‌ସିବିକୁ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିଲା। ଦୁହେଁ ୪.୩ ଓଭରରେ ଦଳୀୟ ସ୍କୋରକୁ ୬୨ ରନରେ ପହଞ୍ଚାଇଥିଲେ। ପଞ୍ଚମ ଓଭରରେ ଭେଙ୍କଟେଶ (୩୨ ରନ, ୧୬ ବଲ, ୪ ଚୌକା ଓ ୨ ଛକା)ଙ୍କୁ ଆଉଟ୍‌ କରି ମହମ୍ମଦ ସିରାଜ ଗୁଜରାଟକୁ ଗୁରୁତ୍ୱପୂର୍ଣ୍ଣ ବ୍ରେକଥ୍ରୁ ଆଣି ଦେଇଥିଲେ। ହେଲେ ଦେବଦତ୍ତ ପାଡିକଲ (୧), ଅଧିନାୟକ ରଜତ ପଟିଦାର (୧୫) ଓ କୃନାଲ ପାଣ୍ଡ୍ୟା (୧) ଫେଲ ମାରିଥିଲେ।

କୋହଲି, ଟିମ ଡେଭିଡ୍‌ଙ୍କ ସହ ୪୧ ଓ ଜିତେଶ ଶର୍ମାଙ୍କ ସହ ୨୯ ରନର ପାର୍ଟନରଶିପ କରି ଦଳକୁ ଜିତାଇଥିଲେ। ଫଳରେ ଆର୍‌ସିବି ୧୮ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। କୋହଲି ୪୨ ବଲରେ ୭୫ (୯ ଚୌକା ଓ ୩ ଛକା) ରନ କରି ଅପରାଜିତ ରହିଥିଲେ।

Dharitri – Odisha’s No.1 Odia Daily