ନୂଆଦିଲ୍ଲୀ,୨।୯: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ (ମର୍ଚାଣ୍ଟ) ଏବଂ QR କୋଡ କିମ୍ୱା UPI ମାଧ୍ୟମରେ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଆପଣଙ୍କ ପାଇଁ ୧୫ ସେପ୍ଟେମ୍ୱର ୨୦୨୬ର ଡେଡଲାଇନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନିୟମ ଅନୁଯାୟୀ ସମସ୍ତ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀଙ୍କ ପାଇଁ ରି-କେୱାଇସି (Re-KYC) କରିବା ବାଧ୍ୟତାମୂଳକ କରାଯାଇଛି।
RBIର ନୂତନ ନିର୍ଦ୍ଦେଶ ଅନୁସାରେ, ସମସ୍ତ ଡିଜିଟାଲ ପେମେଣ୍ଟ ନେଉଥିବା ବ୍ୟବସାୟୀମାନଙ୍କୁ ୧୫ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଯେକୌଣସି ପରିସ୍ଥିତିରେ ରି-କେୱାଇସି (Re-KYC) ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେବ। ଧାର୍ଯ୍ୟ ସମୟ ସୀମା ଭିତରେ ଯଦି ରି-କେୱାଇସି କରା ନ ଯାଏ, ତେବେ ମର୍ଚାଣ୍ଟମାନଙ୍କର QR କୋଡ ବ୍ଲକ ହୋଇପାରେ, ଯାହାଫଳରେ ସେମାନଙ୍କର ପେମେଣ୍ଟ ଅଟକି ଯାଇପାରେ।
ନକଲି ମର୍ଚାଣ୍ଟ ଆକାଉଣ୍ଟ ଉପରେ ରୋକ ଲଗାଇବା ପାଇଁ ରି-କେୱାଇସି ନିହାତି ଜରୁରୀ। ଅନେକ ଲୋକ ନକଲି ଦସ୍ତାବିଜ କିମ୍ୱା ଅନ୍ୟମାନଙ୍କ ନାମରେ ମର୍ଚାଣ୍ଟ ଆକାଉଣ୍ଟ ଖୋଲି ନିଅନ୍ତି। ରି-କେୱାଇସି ମାଧ୍ୟମରେ ସରକାର ଏହା ସୁନିଶ୍ଚିତ କରିବାକୁ ଚାହାନ୍ତି ଯେ QR କୋଡ ପଛରେ ଥିବା ଦୋକାନୀ ବା ବ୍ୟବସାୟୀ ଜଣକ ପ୍ରକୃତ ବ୍ୟକ୍ତି ଅଟନ୍ତି। ଏହା ଦ୍ୱାରା ବଜାରରୁ ନକଲି ମର୍ଚାଣ୍ଟ ଆକାଉଣ୍ଟଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ହଟିଯିବ।
ଏହା ଅନଲାଇନ ଠକେଇ ଏବଂ ମନି ଲଣ୍ଡରିଂକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ। ବର୍ତ୍ତମାନ ସମୟରେ ସ୍କାମରମାନେ ଲୋକଙ୍କୁ ଠକି ସେହି ଟଙ୍କା କୌଣସି ଅଜଣା ମର୍ଚାଣ୍ଟଙ୍କ QR କୋଡ୍ରେ ଟ୍ରାନ୍ସଫର କରାଇ ନିଅନ୍ତି। ରି-କେୱାଇସି ହେବା ଫଳରେ ପ୍ରତ୍ୟେକ QR କୋଡ୍ର ମାଲିକଙ୍କୁ ସିଧାସଳଖ ତାଙ୍କର ଆଧାର ଏବଂ ପାନ (PAN) ସହିତ ଟ୍ରାକ କରାଯାଇ ପାରିବ।
ପୂର୍ୱରୁ ପ୍ରତ୍ୟେକ ପେମେଣ୍ଟ ଆପ (Paytm, PhonePe, Google Pay) ମର୍ଚାଣ୍ଟଙ୍କର ଅଲଗା ଅଲଗା କେୱାଇସି କରୁଥିଲେ, ଯାହାଫଳରେ ତଥ୍ୟ ମେଳ ଖାଉ ନଥିଲା। ସେଣ୍ଟ୍ରାଲ କେୱାଇସି (Central KYC) ଦ୍ୱାରା ମର୍ଚାଣ୍ଟଙ୍କର ସମସ୍ତ ତଥ୍ୟ ଏକ କେନ୍ଦ୍ରୀୟ ରେଜିଷ୍ଟ୍ରି (CERSAI)ରେ ସୁରକ୍ଷିତ ରହିବ। ଥରେ ଏଠାରେ ଯାଞ୍ଚ (ଭେରିଫିକେସନ) ହୋଇଗଲେ ମର୍ଚାଣ୍ଟଙ୍କ ତଥ୍ୟ ସମସ୍ତ ଆର୍ଥିକ ଅନୁଷ୍ଠାନ ପାଇଁ ବୈଧ ହୋଇଯିବ।
ରାସ୍ତାକଡ଼ର ଉଠାଦୋକାନୀ, ଚାହା ଦୋକାନୀ, ପନିପରିବା ବିକ୍ରେତା କିମ୍ୱା ଛୋଟ ତେଜରାତି ଦୋକାନୀମାନେ ଏହି ସମୟରେ ସବୁଠାରୁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏକ ଆକଳନ ଅନୁସାରେ, ୩୦ ରୁ ୩୫ ପ୍ରତିଶତ ବ୍ୟବସାୟୀ ଏହି ଡେଡ୍ଲାଇନ ଭିତରେ କାମ ସାରିବାରୁ ବଞ୍ଚିତ ହୋଇପାରନ୍ତି। ଏହାର ଏକ ବଡ଼ କାରଣ ହେଉଛି ସଚେତନତାର ଅଭାବ। ସେମାନଙ୍କୁ QR କୋଡ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରିବା ତ ଜଣାଅଛି, କିନ୍ତୁ ’ରି-କେୱାଇସି’ କିପରି କରିବେ କିମ୍ୱା ଡକ୍ୟୁମେଣ୍ଟ କିପରି ପୁନର୍ୱାର ଅପଲୋଡ କରିବେ ଭଳି ବୈଷୟିକ ଜ୍ଞାନ ନାହିଁ।
ଅନଲାଇନ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ପରିସ୍ଥିତି ସହଜ ନୁହେଁ। ଯେଉଁମାନେ ଘରୁ, ସୋସିଆଲ ମିଡିଆ ଜରିଆରେ କିମ୍ୱା ଛୋଟ ଇ-କମର୍ସ ପୋର୍ଟାଲରେ ନିଜ ସାମଗ୍ରୀ ବିକ୍ରି କରୁଛନ୍ତି, ସେହିଭଳି ଛୋଟ ଅନଲାଇନ ମର୍ଚାଣ୍ଟମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ଅନଲାଇନ ଉପଲବ୍ଧ ତଥ୍ୟ ଏବଂ ଦସ୍ତାବିଜରେ ନାମ ବା ଅନ୍ୟାନ୍ୟ ତଥ୍ୟ ମେଳ ନ ଖାଇବା।