ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଜୋର୍ ଧରିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲା ଚାଷୀଙ୍କ ରବିଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ଗତମାସ ୩୦ତାରିଖରୁ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ବିଭିନ୍ନ ମଣ୍ଡିରେ ବିକ୍ରିଧାନ ପଡ଼ି ରହିଛି। ଅନେକ ଚାଷୀଙ୍କୁ ବିକ୍ରିଧାନର ପ୍ରାପ୍ୟ ମଧ୍ୟ ମିଳିପାରି ନଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଚାଷୀମାନେ ଖରିଫ୍ ଚାଷକାର୍ଯ୍ୟକୁ ଆଗେଇ ପାରୁ ନାହାନ୍ତି। ସେହିପରି ମଣ୍ଡିରେ ପଡ଼ି ରହିଥିବା ବିକ୍ରିଧାନର ସୁରକ୍ଷାକୁ ନେଇ ମଧ୍ୟ ଚାଷୀମାନଙ୍କୁ ଚିନ୍ତା ଘାରିଛି।
ଜିଲାରେ ଗତ ମେ ମାସ ୧୧ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲାର ଅତାବିରା, ବରଗଡ଼ ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍ଏମ୍ସି) ଅଧୀନରେ ରହିଥିବା ମଣ୍ଡି(ଧାନକ୍ରୟ କେନ୍ଦ୍ର)ରେ ଧାନ କିଣାବିକା ଚାଲିଥିଲା। ମାତ୍ର ଆରମ୍ଭରୁ ଟୋକନ ସମସ୍ୟା ଯୋଗୁ ଚାଷୀମାନଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନେକ ଚାଷୀଙ୍କୁ ଟୋକନ ମିଳି ନଥିବାରୁ ସେମାନେ ଧାନବିକ୍ରିରୁ ବଞ୍ଚିତ ହୋଇଥିଲେ। ସେହିପରି ଯେଉଁ ଚାଷୀମାନଙ୍କୁ ଟୋକନ ମିଳିଥିଲା, ଅଧିକାଂଶଙ୍କ କ୍ଷେତ୍ରରେ ବିକ୍ରିଯୋ୍ଯଯ ଧାନ ପରିମାଣ ଯଥେଷ୍ଟ କମ୍ ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ। ତେବେ କେତେକ ଚାଷୀଙ୍କ ଟୋକନ ସମସ୍ୟାର ସମାଧାନ ହୋଇଥିବାବେଳେ ଆହୁରି ଅନେକ ଚାଷୀଙ୍କ ଏହି ସମସ୍ୟା ଅସମାହିତ ରହିଗଲା।
ଏଭଳି ଭାବେ ଚାଲିଥିବା ଧାନ ସଂଗ୍ରହ ପ୍ରକ୍ରିୟାକୁ ଗତମାସ ୩୦ତାରିଖରୁ ବନ୍ଦ କରି ଦିଆଗଲା। ଜିଲାର ୯୯ହଜାର ୯୯୮ ଚାଷୀଙ୍କଠାରୁ ୫୮ଲକ୍ଷ ୨୭ହଜାର ୩୬୨କୁଇଣ୍ଟାଲ ଧାନ କିଣାଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଗଲା। ଅନ୍ୟପଟେ ଜିଲାର ରେଶମ, ତୁଲଣ୍ଡି ଭଳି କେତେକ ମଣ୍ଡିରେ ଏବେ ମଧ୍ୟ ଧାନ ପଡ଼ି ରହିଛି। ସେହି ଧାନକୁ କିଣାଯାଇଛି, କିନ୍ତୁ ତାକୁ ମିଲର୍ସମାନେ ଉଠାଇ ନାହାନ୍ତି। ପର୍ଯ୍ୟାୟକ୍ରମେ ମିଲର୍ସ ଧାନ ଉଠାଉଛନ୍ତି ସତ, ମାତ୍ର ତୁହାକୁ ତୁହା ବର୍ଷା ମାଡ଼ି ଆସୁଥିବା ଯୋଗୁ ଚାଷୀମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। କେବଳ ସେତିକି ନୁହେଁ, କେତେକ ଚାଷୀଙ୍କ ଧାନ ବିକ୍ରି ହୋଇ ମଣ୍ଡିରୁ ଉଠିଛି, ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କୁ ବିକ୍ରିଧାନର ପ୍ରାପ୍ୟ ମିଳିପାର ନାହିଁ। ରେଶମ ଗ୍ରାମର ଭୋଜରାଜ ରଣାଙ୍କ ଧାନ ଗତମାସ ୨୨ତାରିଖରୁ ସ୍ଥାନୀୟ ମଣ୍ଡିରୁ ଉଠି ସାରିଛି। ମାତ୍ର ଏପର୍ଯ୍ୟନ୍ତ ତାଙ୍କୁ ବିକ୍ରିଧାନର ପ୍ରାପ୍ୟରାଶି ମିଳିପାରି ନଥିବା ସେ କହିଛନ୍ତି। ସେହିପରି ଉକ୍ତ ଗ୍ରାମର ବଲରାମ ବାଗଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ସମସ୍ୟା ଦେଖାଯାଇଛି। ତାଙ୍କ ଧାନ ମଣ୍ଡିରୁ ଉଠିଥିଲେ ମଧ୍ୟ ବିକ୍ରିଧାନର ପ୍ରାପ୍ୟ ଏପର୍ଯ୍ୟନ୍ତ ସେ ପାଇ ନଥିବା କହିଛନ୍ତି। ଉକ୍ତ ଗ୍ରାମର ଅନ୍ୟଜଣେ ଚାଷୀ ଅଧିକାରୀ ପାତ୍ରଙ୍କ ୯୯କୁଇଣ୍ଟାଲ ୭୦କି.ଗ୍ରା ଧାନ ଗତ ୮ତାରିଖରୁ ଉଠିଛି। ହେଲେ ଶନିବାର ସୁଦ୍ଧା ତାଙ୍କୁ ମଧ୍ୟ ବିକ୍ରିଧାନର ପ୍ରାପ୍ୟଧାନ ମିଳିପାରି ନାହିଁ। ସେହିପରି ସୁଦାମ ପାତ୍ରଙ୍କ ୧୨୬କୁଇଣ୍ଟାଲ ଧାନ ରେଶମ ପଣ୍ଡିରେ ପଡ଼ି ରହିଛି। ଚକ୍ଷୁ ସ୍କାନ କରାଯାଇଛି ଏବଂ ସେହିଧାନ କିଣା ସରିଛି। ହେଲେ ମଣ୍ଡିରୁ ତାକୁ ଉଠାଯାଉ ନାହିଁ କି ବିକ୍ରିଧାନର ପ୍ରାପ୍ୟ ଦିଆଯାଉ ନାହିଁ ବୋଲି ପାତ୍ର କହିଛନ୍ତି। ଏଭଳି ସ୍ଥିତିରେ ଚଳିତବର୍ଷ ଜିଲାରେ ଧାନ କିଣାବିକା ଫେଲ୍ ମାରିଛି ବୋଲି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି। ମଣ୍ଡିରେ ପଡ଼ିଥିବା ଧାନକୁ ତୁରନ୍ତ ଉଠା ନଗଲେ କିମ୍ବା ଚାଷୀଙ୍କୁ ବିକ୍ରିଧାନର ପ୍ରାପ୍ୟରାଶି ତୁରନ୍ତ ପ୍ରଦାନ କରା ନଗଲେ ସଂଗଠନ ପକ୍ଷରୁ ଚାଷୀଙ୍କ ହକ୍ ଦାବିରେ ଆନ୍ଦୋଳନ କରାଯିବ ବୋଲି ମହାପାତ୍ର ଚେତାବନୀ ଦେଇଛନ୍ତି।
(((ଫଟୋ-ବିଜି୧୧୦୭ଏଫ୍- ମଣ୍ଡିରେ ପଡ଼ି ରହିଥିବା ଧାନ।