Categories: ଖେଳ

କ୍ଲିନ ବୋଲ୍ଡ ହେବା ପରେ ନେଲେ ଡିଆରଏସ୍‌

ମୁମ୍ବାଇ,୪।୧୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ମୁମ୍ବାଇ ତଥା ଦ୍ୱିତୀୟ ଟେଷ୍ଟରେ ଭିନ୍ନ କାରଣରୁ ଚର୍ଚ୍ଚକୁ ଆସିଛନ୍ତି ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବ୍ୟାଟିଂ କରିବାକୁ ଆସିଥିବା ଅଶ୍ୱିନ ଖାତା ଖୋଲିବା ପୂର୍ବରୁ ଏଜାଜ ପଟେଲଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଏହାପରେ ସେ ଡିଆରଏସ୍‌ (ଡିସିଶନ ରିଭ୍ୟୁ ସିଷ୍ଟମ) ଲାଗି ସଙ୍କେତ ଦେଇଥିଲେ, ଯାହାକି କେବଳ ଫିଲ୍ଡରେ ଉପସ୍ଥିତ ଥିବା ଖେଳାଳି, ଅମ୍ପାୟରଙ୍କୁ ନୁହେଁ, ବରଂ ଦର୍ଶକଙ୍କୁ ଚକିତ କରିଥିଲା।

ଘଟଣା ଘଟିଥିଲା ଶନିବାର ଭାରତୀୟ ଦଳର ଇନିଂସରେ ୭୨ତମ ଓଭରରେ। ରିଦ୍ଦିମାନ ଶାହାଙ୍କ ଉଇକେଟ ପଡ଼ିବା ପରେ ୭ମ କ୍ରମରେ ବ୍ୟାଟିଂ ଆସିଥିଲେ ଅଶ୍ୱିନ। ସେ ଏଜାଜଙ୍କ ବଲକୁ ଡିଫେନ୍ସ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବଲ ତାଙ୍କ ବ୍ୟାଟକୁ ଅତିକ୍ରମ କରିବା ପରେ ବାଜିଥିଲା ଅଫ୍‌ ଷ୍ଟମ୍ପ ଶୀର୍ଷରେ। ବଲ ଟର୍ନିଂରେ ଏତେ ଚକିତ ହୋଇଯାଇଥିଲେ ଯେ, ପଛକୁ ନ ଦେଖି ଅଶ୍ୱିନ ଡିଆର୍‌ଏସ୍‌ ପାଇଁ ସଙ୍କେତ ଦେଇଥିଲେ।

ଏହା ଅମ୍ପାୟରଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲା। ବଲ ଦ୍ୱାରା ହିଁ ଉଇକେଟରୁ ବେଲ ଅଲଗା ହୋଇଥିବା ଯାଞ୍ଚ କରିବା ପାଇଁ ଥାର୍ଡ ଅମ୍ପାୟରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିଲେ ଫିଲ୍ଡ ଅମ୍ପାୟର। ରିପ୍ଲେରୁ ବୋଲ୍ଡ ସ୍ପଷ୍ଟ ହେବା ପରେ କ୍ରିଜ ଛାଡ଼ି ଚାଲିଯାଇଥିଲେ ଅଶ୍ୱିନ।

Share