ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଟାର୍ଗେଟ କରିଛନ୍ତି। ନନ୍ଦ କହିଛନ୍ତି, ବିଜେଡି ପ୍ରାର୍ଥିନୀ ଇନ୍ଦିରା ନନ୍ଦ ବିଜୟୀ ହେଲେ ଜୟପୁର କାଗଜକଳ ସମସ୍ୟା ସମାଧାନ ହେବ। ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଦରମା ମିଳିବ। ଗ୍ରାଚ୍ୟୁଇଟି, ଇପିଏଫ୍‌ ସମସ୍ୟାର ମଧ୍ୟ ସମାଧାନ ହେବ। ଆସନ୍ତା ବର୍ଷଠାରୁ ଜୟପୁରରେ ଭବ୍ୟ ଶ୍ରୀରାମ ନବମୀ ପାଳନ କରାଯିବ। ତାଙ୍କ ସମୟରେ ଆରମ୍ଭ ହୋଇଥିବା ଦଶହରା ଜାକଜମକରେ ପାଳିତ ହେବ। କୋରାପୁଟ ଜିଲାରେ ବେଧଡ଼କ ଗୋଚାଲାଣ ଚାଲିଛି। ଏହାକୁ ରୋକିବାରେ ବିଧାୟକ ବିଫଳ ହୋଇଛନ୍ତି।
ଏଠାରେ ଯଦି ବିଜେଡି ପ୍ରାର୍ଥତ୍ନୀ ଇନ୍ଦିରା ବିଜୟୀ ହୁଅନ୍ତି, ତେବେ ଜୟପୁର ନିର୍ବାଚନମଣ୍ଡଳୀରେ ଗୋଚାଲାଣ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ସେ କହିଛନ୍ତି।
ରବିନାରାୟଣଙ୍କ କଥାର ଜବାବ ଦେଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି, ପୂର୍ବତନ ମନ୍ତ୍ରୀଙ୍କୁ ତାଙ୍କ ଦଳ ବିଶ୍ୱାସକୁ ନେଲା ନାହିଁ ବୋଲି ସ୍ତ୍ରୀ ଇନ୍ଦିରାଙ୍କୁ ଦଳ ପ୍ରାର୍ଥୀ କଲା। ଜୟପୁର ସହରରେ କିମ୍ବା ଯେକୌଣସି ସ୍ଥାନରେ ଶ୍ରୀରାମ ନବମୀ ପାଳନ ପାଇଁ ମର୍ଯ୍ୟାଦାବନ୍ତ ପୁରୁଷ ଶ୍ରୀରାମଙ୍କ ଆଶୀର୍ବାଦର ଆବଶ୍ୟକତା ରହିଛି ା ସେ କି ମୁଁ କେହି ଚାହିଁଲେ ଏହା ହେବ ନାହିଁ।
ସେହିପରି ରଙ୍ଗିନ ଦଶହରା ମା’ ଦୁର୍ଗା ଚାହିଁଲେ ହଁି ହେବ। ତମର ଗର୍ବ, ଅହଙ୍କାର ତମକୁ କେବେ ଜିତାଇଦେବ ନାହିଁ ବୋଲି ପ୍ରକାଶ କରି ବାହିନୀପତି କହିଥିଲେ, ଜୟପୁର କାଗଜକଳ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ସମୟରେ ହିଁ ଭୁଶୁଡ଼ି ପଡ଼ିଛି। ସେତେବେଳେ ସେ କାଗଜକଳକୁ ଶେଷ କରି ଦେଇଥିଲେ। ୟୁନିୟନକୁ ଭାଗ ଭାଗ କରି ଦେଇଥିଲେ। ବର୍ତ୍ତମାନର କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସମସ୍ୟା ପାଇଁ ନିଜେ ନନ୍ଦ ହିଁ ଦାୟୀ ବୋଲି ବାହିନୀପତି ପ୍ରକାଶ କରି ଦୁଇଟି ୟୁନିୟନ କରି ପ୍ରତ୍ୟେକ ଦିନ ଧର୍ମଘଟ କରି ମିଲ୍‌କୁ ସେ ଚଲାଇ ଦେଉନାହାନ୍ତି ବୋଲି କହିଥିଲେ। କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ପ୍ରକାଶ କରି ବାହିନୀପତି କହିଲେ, ମୁଁ ନିଜେ ବିଧାୟକ ଭାବେ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ସହ ୨୦ଥର ଆଲୋଚନା ଓ ବୈଠକ କରି ଅନେକ ସମସ୍ୟା ସମାଧାନ କରିଛି ବୋଲି ସେ କହିଥିଲେ।