ଆଜି ବାହୁଡ଼ା

ପୁରୀ ଅଫିସ,୯।୭: ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସରିବା ପରେ ଶନିବାର ଚତୁର୍ଦ୍ଧାମୂର୍ତ୍ତି ବାହୁଡ଼ିବେ। ଏଥିପାଇଁ ରଥ-ପଥ ସବୁ ପ୍ରସ୍ତୁତ। ତିନିରଥ ଦକ୍ଷିଣମୋଡ଼ ହୋଇ ନାକଚଣା ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ। ଗୋଟିଏ ପଟେ ବୈଷୟିକ ଟିମ୍‌ ରଥ ଯାଞ୍ଚ କାର୍ଯ୍ୟ ଶେଷ କରିଥିବା ବେଳେ ଅନ୍ୟପଟେ ଦଇତାପତି ସେବାୟତମାନେ ନୀତିକାନ୍ତି ସଅଳ ସାରିବା ପ୍ରୟାସରେ ଲାଗିଛନ୍ତି। ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବା ନେଇ କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଏହାକୁ ଆଗୁଆ ଆରମ୍ଭ କରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି। ବାହୁଡ଼ା ପହଣ୍ଡି, ଛେରାପହଁରା, ଚାରମାଳ ଫିଟା, ଘୋଡ଼ା ଲାଗି ପ୍ରଭୃତି ନୀତିକାନ୍ତି ପରେ ରଥଟଣା ଆରମ୍ଭ ହେବ ବୋଲି ବରିଷ୍ଠ ଦଇତାପତି ଜଗନ୍ନାଥ ଦାସ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ୧୮୦ ପ୍ଲାଟୁନ୍‌ ଫୋର୍ସ, ୧୮ ଜଣ ଏସ୍‌ପି ର଼୍ୟାଙ୍କର ଅଧିକାରୀ, ୩୩ ଅତିରିକ୍ତ ଏସ୍‌ପି, ୭୪ ଡିଏସ୍‌ପି, ୧୩୬ ଇନ୍ସପେକ୍ଟର, ୭୨୧ ଏସ୍‌ଆଇ ଏବଂ ଏଏସ୍‌ଆଇ, ୧୦୭ ହାବିଲଦାର, ୬୭୩ କନଷ୍ଟେବଳ, ୨୦୦୮ ଜଣ ହୋମଗାର୍ଡ ନିଯୁକ୍ତ ହୋଇଛନ୍ତି। ଟ୍ରାଫିକ୍‌ ନିଯନ୍ତ୍ରଣ ଦୃଷ୍ଟିରୁ ପୁରୀ ସହରକୁ ୧୦ଟି ଜୋନ୍‌ ଓ ୨୯ ସେକ୍ଟରରେ ବିଭକ୍ତ କରାଯାଇଛି ବୋଲି ଏଡିଜି ଆର୍‌.କେ.ଶର୍ମା ସୂଚନା ଦେଇଛନ୍ତି। ଆରପିଏଫ୍‌ ଏବଂ ରେଲଓ୍ବ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିସିଟିଭି କ୍ୟାମେରା ଉପରେ କଣ୍ଟ୍ରୋଲ ରୁମ୍‌ ନଜର ରଖିବ। ବାହୁଡ଼ା ଯାତ୍ରାରେ କର୍ଡନ ପାସ୍‌କୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ ବୋଲି ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି। ବିଭିନ୍ନ ବିଭାଗର କର୍ମଚାରୀ ପ୍ରସ୍ତୁତ ରହିଥିବାବେଳେ ଭକ୍ତଙ୍କ ସୁରକ୍ଷିତ ଓ ସୁବିଧା ଦର୍ଶନକୁ ଗୁରୁତ୍ୱ ଦିଆଯାଉଥିବା ଜିଲାପାଳ ସମର୍ଥ ବର୍ମା କହିଛନ୍ତି।