ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ଅନୁକୂଳ, ଉତ୍ସବମୁଖର ରଥଖଳା

ପୁରୀ ଅଫିସ,୩।୫: ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମଙ୍ଗଳବାର ପରମ୍ପରା ମୁତାବକ ରଥ ନିର୍ମାଣ ଶୁଭ ଅନୁକୂଳ କରାଯାଇଛି। ଏହାକୁ ନେଇ ବଡ଼ଦାଣ୍ଡରେ ଥିବା ରଥଖଳା ଉତ୍ସବମୁଖର ହୋଇଉଠିଛି। ସକାଳଧୂପ ପରେ ଶ୍ରୀମନ୍ଦିର ଭିତରୁ ପୂଜାପଣ୍ଡା ସମନ୍ତମାନେ ମହାପ୍ରଭୁମାନଙ୍କ ତିନି ବାଡରୁ ଆଜ୍ଞାମାଳ ଆଣି ଶ୍ରୀନଅର ରଥ ଖଳାରେ ପହଞ୍ଚି ଥିଲେ। ପରେ ଶ୍ରୀମନ୍ଦିରରୁ ମଣିବିମାନରେ ବସି ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ ଆସି ରଥ ଖଳାରେ ପହଞ୍ଚି ଥିଲେ। ରଥ ଖଳାରେ ହୋଇଥିବା ବନଯାଗ ଚାଳିରେ ଅନୁକୂଳ ହେବାକୁ ଥିବା ରଥ କାଠ ଉପରେ ପୂଜାପଣ୍ଡାମାନେ ଆଜ୍ଞାମାଳ ରଖିଥିଲେ। ଶ୍ରୀମନ୍ଦିର ପୁରୋହିତ ଓ ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କ ଦ୍ୱାରା ବନଯାଗ ପଦ୍ଧତିରେ ପୂଜା ଓ ହୋମ କରାଯିବାପରେ ସୁନା କୁରାଢୀ, ରୂପା କୁରାଢୀ ଓ ଲୁହା କୁରାଢୀ ଦ୍ୱାରା ରଥ ନିର୍ମାଣ ଶୁଭାରମ୍ଭ ହୋଇଥିଲା। ତିନି ରଥ ଉଦ୍ଦେଶ୍ୟରେ ତିନି ରଥର ମୁଖ୍ୟ ବର୍ଦ୍ଧକୀମାନଙ୍କ ଦ୍ୱାରା ତିନି ଖଣ୍ଡ କାଠରେ ଏହି କୁରାଢ଼ୀ ସ୍ପର୍ଶ କରାଯାଇଛି। ଏହି ସମୟରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ଜିଲାପାଳ, ଏସ୍‌ପିଙ୍କ ସମେତ ପ୍ରଶାସନିକ ଅଧିକାରୀ, ରଥ ନିର୍ମାଣକାରୀ ବିଶ୍ୱକର୍ମା ସେବକ ପ୍ରମୁଖ ଉପସ୍ଥିତ ଥିଲେ।