ଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ରତ୍ନ ସିଂହାସନକୁ ବାହୁଡ଼ି ଗଲେ ମହାପ୍ରଭୁ

ପୁରୀ ଅଫିସ,୧୨।୭: ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ମଙ୍ଗଳବାର ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହୋଇଛି। ସନ୍ଧ୍ୟାଧୂପ ଶେଷ ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀରାମକୃଷ୍ଣ ଓ ଶ୍ରୀମଦନମୋହନଙ୍କୁ ଏବଂ ପରେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ବଡ଼ଦେଉଳ ରତ୍ନବେଦିକୁ ବିଜେ କରାଯାଇଥିଲା। ଏହାପରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଗୋଟି ପହଣ୍ଡି ହୋଇ ରତ୍ନସିଂହାସନକୁ ବିଜେ କରିଥିଲେ।

ତେବେ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ନୀତିକାନ୍ତି ଆରମ୍ଭ ହୋଇଥିଲା। ମହାପ୍ରଭୁ ସିଂହଦ୍ୱାର ଅତିକ୍ରମ କରି ପହଣ୍ଡି ହୋଇ ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପହଞ୍ଚିବା ପୂର୍ବରୁ ମହାଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ପୂର୍ବରୁ ମହାପ୍ରଭୁଙ୍କ ପକ୍ଷରୁ ଦଇତା ଓ ଭିତରପଟେ ମହାଲକ୍ଷ୍ମୀଙ୍କ ପକ୍ଷରୁ ଭିତରଚ୍ଛ ମହାପାତ୍ର ବଚନିକା କରିଥିଲେ। ପରେ ଜୟବିଜୟ ଦ୍ୱାର ଖୋଲାଯାଇଥିଲା। ଭଣ୍ଡାରଘରେ ବିଜେ କରିଥିବା ମହାଲକ୍ଷ୍ମୀଙ୍କ ପାଖରେ ଠାକୁର ବିଜେ ହୋଇଥିଲେ। ସେଠାରେ ମହାପ୍ରଭୁଙ୍କ ପକ୍ଷରୁ ଭିତରଚ୍ଛ ସେବାୟତ ବିବାହ ଗଇଁଠାଳ ଫିଟାଇଥିଲେ। ଏହାପରେ ବନ୍ଦାପନା କରାଯାଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ଉଦ୍ଦେଶ୍ୟରେ ରସଗୋଲା ଭୋଗ କରାଯାଇଥିଲା। ଏଭଳି ଭାବେ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିଥିଲେ ମହାପ୍ରଭୁ। ଶେଷରେ ଘସାବିଡ଼ିଆ ମଣୋହୀ ପରେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥିଲେ। ତେବେ ନୀଳାଦ୍ରି ବିଜେ ସହ ରଥଯାତ୍ରା ସୁଚାରୁ ରୂପେ ସମ୍ପନ୍ନ ହୋଇଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।